ଜଳବାୟୁ ପରିବର୍ତନ ନେଇ ଚିନ୍ତା, ଏ ବର୍ଷ ବଜ୍ରପାତ ନେଲାଣି ୧୭୫ ଜୀବନ

ଭୁବନେଶ୍ବର: ଓଡ଼ିଶାରେ ଜଳବାୟୁ ପରିବର୍ତନର ପ୍ରଭାବ ପଡ଼ୁଛି। ଯେଉଁଥିପାଇଁ ସମୁଦ୍ର ଧୀରେ ଧୀରେ ଜନବସତି ଆଡ଼କୁ ମାଡ଼ି ଆସୁଛି। ବର୍ଷା ଦିନେ ବର୍ଷା ହେଉନି। ଅଦିନେ ବାତ୍ୟା ହେଉଛି। ଏଭଳି ପରିବର୍ତନ ଦ୍ବାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯଥା‌ ବାତ୍ୟା, ବନ୍ୟା, ମରୁଡ଼ି ଆଦିରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଗତ କିଛି ବର୍ଷ ହେଲା ବଜ୍ରପାତ ରାଜ୍ୟର ଏକ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟରେ ପରିଣତ ହୋଇଛି। ୨୦୧୮ରେ ୨୦୦ରୁ ଅଧିକ ଲୋକ ବଜ୍ରପାତରେ ପ୍ରାଣ ହରାଇଥିଲେ।‌ ୨୦୧୯ରେ ଏବେ ସୁଦ୍ଧା ୧୭୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସରକାରୀ କୋଠାରୁ ଆରମ୍ଭ କରି ବାସଭବନ ପର୍ଯ୍ୟନ୍ତ ସବୁଠି ଆର୍ଥିଂ ବ୍ୟବସ୍ଥା‌ କରାଯିବାର ଆବଶ୍ୟକତା ରହିଛି। ଏପର୍ଯ୍ୟନ୍ତ ସବୁ କୋଠାରେ ଆର୍ଥିଂ ବ୍ୟବସ୍ଥା ହୋଇପାରି ନଥିବା ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି।

ୟୁନିସେଫ୍‌, ୱାଟର ଇନି‌ସିଏଟିଭ୍‌ ଓ ଓସ୍‌ଡମାର ମିଳିତ ସହଯୋଗରେ ‌ହୋଟେଲ କ୍ରାଉନ୍‌ଠାରେ ଆୟୋଜିତ ଜଳବାୟୁ ପରିବର୍ତନ ଓ ବିପର୍ଯ୍ୟୟ ସମୟରେ ଜଳ ପରିମଳ, ସ୍ବଚ୍ଛତା ସମ୍ପର୍କିତ ଗଣମାଧ୍ୟମ କର୍ମଶାଳାକୁ ଉଦ୍‌ଘାଟନ କରି ଶ୍ରୀ ଜେନା ଆହୁରି କହିଲେ, ଗତ ଲଘୁଚାପଜନିତ ବର୍ଷା ସମୟରେ ବଲାଙ୍ଗୀରରେ ଜଳବନ୍ଦୀ ସମସ୍ୟା ଉପୁଜିଥିଲା। ୨୪ ଘଣ୍ଟାରେ ୫୧୫ ମିମିରୁ ଅଧିକ ବର୍ଷା ହୋଇଥିଲା। ଆଉ ୪୮ ଘଣ୍ଟାରେ ୮୦୦ ମିମି ବର୍ଷା ରେକର୍ଡ କରାଯାଇଥିଲା। ଯଦି କଟକ ଓ ଭୁବନେଶ୍ବରରେ ଏଭଳି ବର୍ଷା ହେବ, ତେବେ ପରିସ୍ଥିତି କ’ଣ ହେବ, ତାହା କହିବା ମୁସ୍କିଲ୍‌। ଏଭଳି ସମସ୍ୟାର ମୁକାବିଲା ପାଇଁ କିଛି ଦିନ ତଳେ ଉଭୟ ବିଏମ୍‌ସି ଓ ସିଏମ୍‌ସି ଅଧିକାରୀମାନଙ୍କୁ ନେଇ ବୈଠକ ହୋଇଥିଲା। ଏଥିରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ଉତ୍ସବରେ ୱାଟର ଇନି‌ସିଏଟିଭ୍‌ର ରଞ୍ଜନ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଜଳବାୟୁ ପରିବର୍ତନ ଉପରେ ଆଲୋକପାତ କରିଥିଲେ। ୟୁନିସେଫ୍‌ର ଲୋପାମୁଦ୍ରା ତ୍ରିପାଠୀ ଯୋଗ‌ଦେଇ କହିଲେ, ସ୍ବଚ୍ଛତା ଓ ପରିମଳ କାରଣରୁ ୧୭ପ୍ରତିଶତ ଶିଶୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କର୍ମଶାଳାର ଉଦ୍‌ଘାଟନୀ ପରେ ଆୟୋଜିତ ଆଲୋଚନାରେ ବିଶେଷଜ୍ଞ ଜୟଦେବ ଗୁପ୍ତା, ବରିଷ୍ଠ ସାମ୍ବାଦିକା ପତ୍ରଲେଖା ଚାଟାର୍ଜୀ, ପ୍ରିୟରଞ୍ଜନ ସାହୁ, ଅଜିତ୍‌ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଓଡ଼ିଶା କିଭଳି ପ୍ରଭାବିତ ହେଉଛି, ସେନେଇ ମତପ୍ରକାଶ କରିଥିଲେ। ନରେନ୍ଦ୍ର ସିଂ ଚୌହ୍ବାନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର