ଚୁପ୍‌ଚାପ୍‌ ମସ୍‌ଜିଦ୍‌କୁ ଫିକା ଫିକା ‘ଇଦ୍‌’

ଭୁବନେଶ୍ବର: ଇଦ୍‌ ପୂର୍ବରୁ ପ୍ରତିବର୍ଷ ଚଳଚଞ୍ଚଳ ହୋଇପଡ଼ୁଥିବା ବଜାର ଆଜି ସ୍ଥିର। ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଇଫ୍‌ତାର ପାର୍ଟିରେ ବ୍ୟସ୍ତ ରହୁଥିବା ମସ୍‌ଜିଦ୍‌ ଆଜି ଶାନ୍ତ। ଲକ୍‌ଡାଉନ୍‌ ଯୋଗୁଁ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ବାରଣ ଥିବାରୁ ଚଳିତ ବର୍ଷ ଇଦ୍‌ ଉତ୍ସାହ ଫିକା ପଡ଼ିଛି। ମସ୍‌ଜିଦ୍‌ରେ ପରିସରରୁ ନା ନମାଜର ପବିତ୍ର ଧ୍ବନି ଭାସି ଆସୁଛି ନା ସମ୍ମୁଖ ପଡ଼ୁଥିବାରେ ଇଦ୍‌ ବଜାର ଗହଳଚହଳ ଲାଗିଛି। ପ୍ରତିବର୍ଷ ଇଦ୍‌ର କୋଳାହାଳରେ ଫାଟି ପଡ଼ୁଥିବା ମସ୍‌ଜିଦ୍‌ ଆଜି ଯେମିତି ନିରବି ଯାଇଛି। କରୋନା କଟକଣା ଯୋଗୁଁ ଏଥର ରମଜାନ ଭଳି ଇଦ୍ ପର୍ବ ମଧ୍ୟ ଫିକା ପଡ଼ିଛି। ରମ୍‌ଜାନ୍‌ ମାସ ଶେଷରେ ଚାନ୍ଦ୍‌ ‌ଦେଖି ପାଳିତ ହୁଏ ‘ଇଦ୍‌’। ଏହି ଦିନ ମୁସଲମାନ ଭାଇ ଭଉଣୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୁଏ।

ସକାଳୁ ନୂଆ ପୋଷାକ ପିନ୍ଧି କିଛି ମିଠା ଖାଇ ମସ୍‌ଜିଦ୍‌ ବାହାରି ଯାଆନ୍ତି ମୁସଲ୍‌ମାନ ଭାଇମାନେ। ସକାଳ ପ୍ରାୟ ୮ଟା ସୁଦ୍ଧା ସହରର ସମସ୍ତ ମସ୍‌ଜିଦ୍‌ ଲୋକାରଣ୍ୟ ହୋଇପଡ଼େ। ପ୍ରତିବର୍ଷ ଇଦ୍‌ରେ ରାଜଧାନୀର ବିଭିନ୍ନ ମସ୍‌ଜିଦ୍‌ ଓ ଇଦ୍‌ଗାହରେ ସମୂହ ନମାଜ ପାଠ କରାଯାଏ। କିନ୍ତୁ ଚଳିତ ବର୍ଷ ଏସବୁ କିଛି ହେବ ନାହିଁ। ଏଥର ସମସ୍ତ ମୁସଲ୍‌ମାନ୍‌ ସମ୍ପ୍ରଦାୟର ସହମତି କ୍ରମେ ଘରେ ହିଁ ନମାଜ ପାଠ କରାଯିବ। ଏନେଇ ‌ବିଭିନ୍ନ ମସ୍‌ଜିଦ୍‌ର ମୌଲାନାମାନେ ମୁସଲ୍‌ମାନ୍‌ ଭାଇମାନଙ୍କୁ ଆଗରୁ ପ୍ରଶିକ୍ଷିତ କରାଇଦେଇଛନ୍ତି। ପୁଣି ପରସ୍ପରକୁ ଆଲିଙ୍ଗନ ନ କରି କେବଳ ‘ଇଦ୍‌ ମୁବାରକ’ ଶୁଭେଚ୍ଛା ଜଣାଇବାକୁ ମୌଲାନାମାନେ ନିର୍ଦ୍ଦେଶ ଦେଇଛନ୍ତି।

ଆଗରୁ କେବେ ‘ଇଦ୍‌’ ନମାଜ ଘରେ ପାଠ କରାଯାଇନଥିବାରୁ ଏହାକୁ ଘରେ କେମିତି ପାଠ କରିହେବ ସେ ନେଇ ମୁସଲ୍‌ମାନ୍‌ ସମ୍ପ୍ରଦାୟ ପକ୍ଷରୁ ଦେଓବନ୍ଦ ଓ ବରେଲୱିର ମୌଲାନାମାନଙ୍କ ଫତ୍‌ୱା ନିଆଯାଇଛି। ସେମାନେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଘରେ ହିଁ ଇଦ୍‌ ନମାଜ୍‌ ପାଠ କରାଯିବ। ଏଥିସହ ମୌଲାନା ମାନେ ଫୋନ୍‌ ଓ ଇଣ୍ଟରନେଟ୍‌ ଜରିଆରେ ସମସ୍ତଙ୍କୁ ଏନେଇ ସତର୍କ କରାଇଛନ୍ତି। ଚଳିତ ଇଦ୍‌ରେ ନୂଆ ପୋଷାକ ନ ପିନ୍ଧି, ଘରେ ଅତି ସାଧାରଣ ଖାଇବା କରି ଆମେ ନିରାଡମ୍ବର ଇଦ୍‌ ପାଳନ କରାଯିବ ବୋଲି ମୌଲାନାମାନେ କହିଛନ୍ତି।

ସମ୍ବନ୍ଧିତ ଖବର