ଚନ୍ଦ୍ରଶେଖରପୁର: ରୟାଲ୍ ପ୍ୟାଲେସ୍ ସଦୃଶ ତୋରଣରେ ବିରାଜିବେ ମା’। ରଙ୍ଗିନ ଆଲୋକମାଳାରେ ଝଲସିବ ପରିବେଶ। ମା’ଙ୍କ ମଥାରେ ଶୋଭା ପାଇବ ରୁପା ମୁକୁଟ। ତା’ସାଙ୍ଗକୁ ସପ୍ତମୀ ପୂଜା ଦିନ ଗାଁ ମହିଳାଙ୍କ ଦ୍ବାରା ୧୦୮ କଳସ ଶୋଭାଯାତ୍ରା ଆକର୍ଷଣ ସାଜିବ। ଦୁଇ ବର୍ଷ ଧରି ନିରାଡ଼ମ୍ବର ଭାବେ ମା’ଙ୍କ ପୂଜାର୍ଚ୍ଚନା କରୁଥିବା ଡମଣା ଦୁର୍ଗାପୂଜା କମିଟି ଚଳିତବର୍ଷ ଏଭଳି ଆଡ଼ମ୍ବର ଭାବେ ମା’ଙ୍କ ଆବାହନ କରିବାକୁ ଯୋଜନା ପ୍ରସ୍ତୁତ କରିଛି।
୧୧ବର୍ଷ ଧରି ଚାଲୁଥିବା ଏହି ପୂଜାମଣ୍ଡପରେ ପ୍ରତିବର୍ଷ ଭିନ୍ନ ଭିନ୍ନ ଆକୃତିର ତୋରଣରେ ମା’ ବିରାଜିଥାନ୍ତି। ତେଣୁ ଏଥର ମଧ୍ୟ ୮୦ଫୁଟ୍ ଉଚ୍ଚତା ଓ ୧୦୦ଫୁଟ୍ ଓସାରର ତୋରଣ ନିର୍ମାଣ ଲାଗି ଢେଙ୍କାନାଳରୁ ଆସିଥିବା କାରିଗର ଦିନରାତି ଏକ କରି ଦେଇଛନ୍ତି। ଅନ୍ୟ ପୂଜା ମଣ୍ଡପ ଅପେକ୍ଷା କିଭଳି ଆକର୍ଷଣ ହୋଇପାରିବ ସେଦିଗରେ ଅଧିକ ଗୁରୁତ୍ବ ଦିଆଯାଇଛି। ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ମଧ୍ୟ ଜୋର୍ସୋରରେ ଆରମ୍ଭ ହୋଇଛି। ଏଥର ମୂର୍ତ୍ତିର ଉଚ୍ଚତା ୧୬ଫୁଟ୍ ରଖାଯାଇଛି। ରଙ୍ଗିନ ଆଲୋକମାଳା ମଧ୍ୟ ଅନ୍ୟତମ ଆକର୍ଷଣ ପାଲଟିବ।
୫ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଷଷ୍ଠୀ ଓ ସପ୍ତମୀରେ ଭଜନ ସମାରୋହ, ଅଷ୍ଟମୀରେ ନୃତ୍ୟ, ନବମୀ ଓ ଦଶମୀରେ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଷଷ୍ଠୀରେ ବିଲ୍ୱବରଣୀ ପରେ ସପ୍ତମୀରେ ଗାଁ ମୁଣ୍ଡ ଡମଣା ମହିମା ଟୁଙ୍ଗୀ ପୋଖରୀରୁ ମହିଳାମାନେ ୧୦୮ କଳସ ଯାତ୍ରା କରି ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଆସିବେ। କଳସ ଯାତ୍ରା ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଏହାପରେ ମା’ଙ୍କର ଚକ୍ଷୁଦାନ ହେବ। ପ୍ରତିଦିନ ମା’ଙ୍କ ପାଖରେ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯିବ। ଅଷ୍ଟମୀରେ ମା’ଙ୍କ ନିକଟରେ ଖେଚୁଡ଼ି ଭୋଗ ଲାଗି ହେବ। ନବମୀରେ ମା’ଙ୍କୁ ରସଗୋଲା ସହ ଦଶମୀରେ ଦହିପଖାଳ ଭୋଗ ଲାଗି କରାଯିବ।
ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ୫ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାକୁ ଥିବାରୁ ଭକ୍ତଙ୍କ ସୁରକ୍ଷା ଲାଗି ଶହେ ସ୍ୱେଚ୍ଛାକୃତ ସୁରକ୍ଷା କର୍ମୀ ନିୟୋଜିତ ହେବେ। ମହିଳା ଓ ପୁରୁଷ ଭକ୍ତଙ୍କ ଲାଗି ଅଲଗା ଧାଡ଼ି କରାଯିବ। ଅସାମାଜିକଙ୍କ ଉପରେ ନଜର ରଖିବାକୁ ମଣ୍ଡପର ବିଭିନ୍ନ ସ୍ଥାନରେ ୬ଟି ସିସିଟିଭି କ୍ୟାମେରା ଲାଗିବ। ଏଥିସହ ସ୍ବତନ୍ତ୍ର ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ହେବେ। ୫୦ଫୁଟ୍ ଉଚ୍ଚତା ବିଶିଷ୍ଟ ରାବଣ ପୋଡ଼ି ଏଥରର ବିଶେଷ ଆକର୍ଷଣ ପାଲଟିବ। ଚଳିତବର୍ଷ ପୂଜା ପାଇଁ ୨୦ଲକ୍ଷ ଟଙ୍କାର ବଜେଟ ରଖାଯାଇଛି।
ସୁରକ୍ଷା ଉପରେ ଅଧିକ ଗୁରୁତ୍ବ
/sambad/media/post_attachments/wp-content/uploads/2022/09/55-4.jpg)
ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଏକ ଥିମ୍କୁ ନେଇ ତୋରଣ ନିର୍ମାଣ କରାଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସମାରୋହ ସାଙ୍ଗକୁ ମେଲୋଡି ମଧ୍ୟ ପରିବେଷିତ ହେବ। ଅଷ୍ଟମୀରେ ମହିଳା ଭକ୍ତମାନେ ଶାଢୀ ପୂଜା କରିବାର ବ୍ୟବସ୍ଥା ହେବ। ରାଜ୍ୟ ସରକାରଙ୍କ ଗାଇଡ଼୍ଲାଇନ୍ ଅନୁସାରେ ଯଥାବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା ହୋଇଛି। ଚଳିତବର୍ଷ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଛୁ। ଏନେଇ ପ୍ରଶାସନର ସହଯୋଗ ଲୋଡ଼ିଛୁ। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଗ୍ରାମବାସୀମାନେ ଲାଗିପଡ଼ିଛୁ। ସ୍ଥାନୀୟ ପୁଲିସର ସହାୟତା ନିଆଯାଇଛି। ଅଗ୍ନି ନିରାପତ୍ତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଭସାଣ ଉତ୍ସବ ଅନୁଷ୍ଠିତ ହେବ।
ନିଶାକର ସାହୁ, କମିଟିର ପ୍ରତିଷ୍ଠାତା ସଭାପତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/54-5.jpg)