ଭୁବନେଶ୍ବର: ରଜ ପାଗ ଏଥର ରୋମାଣ୍ଟିକ୍ ହେବ। ରୋମାଣ୍ଟିକ୍ ବୟ ବାବୁସାନ୍ ଗୋଳମାଳିଆ ଲଭ୍ରେ ଫସି ଦର୍ଶକଙ୍କୁ ଖୁବ୍ ହସାଇବେ। ତେବେ ଓଲିଉଡ୍ର ଏଙ୍ଗ୍ରି ୟଙ୍ଗ୍ମ୍ୟାନ୍ ଅନୁଭବ ମହାନ୍ତିଙ୍କ ଆକ୍ସନ ଫିଲ୍ମରୁ ବଞ୍ଚିତ ହେବେ ଦର୍ଶକ। ଗତ ୩ ବର୍ଷ ଧରି ରଜରେ ‘ଅନୁଭବ-ବାବୁସାନଙ୍କ ଟକ୍କର’ ପ୍ରମୁଖ ଶିରୋନାମା ପାଲଟୁଥିଲେ ହେଁ ଏଥର ଏକ ପାଖିଆ ରାଜ କରିବେ ବାବୁସାନ୍। ତରଙ୍ଗ ବ୍ୟାନର ପ୍ରତିବର୍ଷ ଭଳି ଏଥର ବି ରଜ ବଜାରକୁ ଓହ୍ଲାଇଛି। ମାତ୍ର ଦର୍ଶକ ପ୍ରତୀକ୍ଷାରେ ରହୁଥିବା ସାର୍ଥକ ବ୍ୟାନର ଏଥର ସିନେମା ଦେଇ ପାରିନାହିଁ। ଚଳଚ୍ଚିତ୍ର ବ୍ୟବସାୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ସମୟ ହେଉଛି ରଜ ପର୍ବ। ଏହି ଦୃଷ୍ଟିରୁ ବହୁ ବଡ଼ ବଡ଼ ଷ୍ଟାର୍ଙ୍କୁ ପରଦାରେ ଦେଖିବାକୁ ମିଳେ। ମାତ୍ର ଏଥର ବାବୁସାନ୍ଙ୍କୁ ଛାଡ଼ିଦେଲେ ଆଉ କୌଣସି ଆଗ ଧାଡ଼ିର ଅଭିନେତାଙ୍କୁ ଦେଖିବାକୁ ମିଳିବନାହିଁ। ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବ୍ୟସ୍ତ ଅନୁଭବ, ଅରିନ୍ଦମ ଏଥର ରଜ ଫିଲ୍ମ ବଜାରକୁ ଓହ୍ଲାଇ ନାହାନ୍ତି। ଆଗଧାଡ଼ିର ଅନ୍ୟତମ ତାରକା ସବ୍ୟସାଚୀଙ୍କୁ ମଧ୍ୟ ଦେଖିବାକୁ ମିଳିନାହିଁ। ଠିକ୍ ସେମିତି ବର୍ଷା, ଅର୍ଚିତାଙ୍କ ଭଳି ଲୋକପ୍ରିୟ ତାରକାଙ୍କୁ ଏଥର ରଜ ସିନେ ପରଦାରେ ଦେଖିବାକୁ ମିଳିବନି। ତେବେ ରାଜନୀତି ମୈଦାନରୁ ପୁଣି ସିନେ ପରଦାକୁ ଫେରି ରଜରେ ଦର୍ଶକଙ୍କୁ ଦେଖା ଦେଇଛନ୍ତି ସିଦ୍ଧାନ୍ତ-ଅନୁ ଯୋଡ଼ି। ‘ତୁ ମୋ ଲଭ୍ ଷ୍ଟୋରି-୨’ରେ ଦୁହିଁଙ୍କୁ ଦେଖିବାକୁ ମିଳିବ। ସେହିଭଳି ତୁ ମୋ ଲଭ୍ ଷ୍ଟୋରିରେ ଟିନ୍ ଏଜ୍ ଦର୍ଶକଙ୍କ ମନ ଜିଣିଥିବା ସ୍ବରାଜ-ଭୂମିକା ଯୋଡ଼ି ଏଥର ବି ଏହି ସିକ୍ବେଲ୍ରେ ମନ ଜିଣିବେ ବୋଲି ଚର୍ଚା ହେଉଛି।
ରଜରେ ୪ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିଲେ ହେଁ ଶେଷ ପର୍ଯ୍ୟାୟରେ ଓହରି ଯାଇଛି ‘ସେଲ୍ଫିସ୍ ଦିଲ୍’। ୩ଟି ଚଳଚ୍ଚିତ୍ରରୁ ଦୁଇଟି ଚଳଚ୍ଚିତ୍ର ‘ତରଙ୍ଗ’ ବ୍ୟାନରରେ ମୁକ୍ତିଲାଭ କରିବ। ବାବୁସାନ ଓ ତମନ୍ନାଙ୍କ ‘ଗୋଲ୍ମାଲ୍ ଲଭ୍’ ଏବଂ ସ୍ବରାଜ ଓ ଭୂମିକାଙ୍କ ଅଭିନୀତ ‘ତୁ ମୋ ଲଭ୍ ଷ୍ଟୋରି-୨’। ଅନ୍ୟ ଚଳଚ୍ଚିତ୍ରଟି ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ‘ଚିର୍କୁଟ୍’। ଦୀର୍ଘଦିନ ଧରି ଅସୁସ୍ଥତା ପରେ ଓଡ଼ିଶାର ଲୋକପ୍ରିୟ କମେଡି ତାରକା ପପୁ ପମ୍ପମ୍ ପ୍ରଥମ ଥର ପାଇଁ ନିର୍ଦେଶନା ଭାର ତୁଲାଇଛନ୍ତି। ଚିତ୍ରନାଟ୍ୟ ସହ ସଂଗୀତ ଭାର ବି ବହନ କରିଛନ୍ତି। ପରଦା ଉପରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ପପୁ ପରଦା ପଛରେ ଥିଲେ ବି ଦର୍ଶକଙ୍କୁ ଖୁବ୍ ହସାଇବେ ବୋଲି ଆଗରୁ କହି ସାରିଛନ୍ତି। ଚିର୍କୁଟ୍ରେ ନବାଗତ ଅରୋଜିତ୍ ଓ ଅନନ୍ୟାଙ୍କୁ ଦେଖିବାକୁ ମିଳିବ। ମୁକ୍ତିଲାଭ କରିବାକୁ ଯାଉଥିବା ଗୀତଗୁଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ସବୁଠୁ ବଡ଼ କଥା ହେଲା, ଗୋଲ୍ମାଲ୍ ଲଭ୍ ୬୦ ଓ ତୁ ମୋ ଲଭ୍ ଷ୍ଟୋରି-୨ ୪୦ଟି ହଲ୍ରେ ମୁକ୍ତିଲାଭ କରୁଥିବା ବେଳେ ଚିର୍କୁଟ୍ ୧୫ଟି ହଲ୍ରେ ମୁକ୍ତିଲାଭ କରୁଛି। ‘ଫନି’ ଯୋଗୁଁ ଓଡ଼ିଶାର କିଛି ସିନେମା ହଲ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏଭଳି ସ୍ଥିତିରେ ଚଳଚ୍ଚିତ୍ର ପରଦାକୁ ଆଣିବା ମଧ୍ୟ କୌଣସି ଆହ୍ବାନଠୁ କମ୍ ନୁହେଁ ବୋଲି କିଛି ନିର୍ଦେଶକ କହିଛନ୍ତି। ରାଜ୍ୟରେ ମୋଟ୍ ୯୮ଟି ହଲ୍ ଏବଂ ୧୨ଟି ମଲ୍ଟିପ୍ଲେକ୍ସ ଥିଲେ ହେଁ ସବୁଠି ସଲ୍ମନ ଖାନ୍ ଓ କାଟ୍ରିନା କୈଫ୍ଙ୍କ ଅଭିନୀତ ‘ଭାରତ’ ରାଜ କରୁଛି।