ଭୁବନେଶ୍ୱର: ଏଥର ପୂଜାରେ ନିର୍ବାଚନ ବାସ୍ନା ସ୍ପଷ୍ଟ ବାରି ହେଉଛି। ସଦ୍ୟ ସମାପ୍ତ ଗଣେଶ ପୂଜାରୁ ଏହାର ଆଭାସ ମିଳି ସାରିଲାଣି। ଏଇ ଧାରା ଆସନ୍ତା ଲକ୍ଷ୍ମୀ ଓ କାଳୀପୂଜା ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁମାନ କରାଯାଉଛି। କାରଣ ଯେଉଁଠି କେବେ ପୂଜାର ନାଁ ଗନ୍ଧ ନଥିଲା, ସେଠି ନୂଆ କରି ପୂଜା ଆରମ୍ଭ ହେଲା। ସପ୍ତାହେବ୍ୟାପୀ ପୂଜା ଅବସରରେ ଯେଉଁଠି ଦିନଟିଏ ନାଚ ଗୀତରେ ସୀମିତ ରହୁଥିଲା, ସେଠି ଏ ବର୍ଷ ୫ରୁ ୭ଦିନ ବ୍ୟାପୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଲା। ସନ୍ଧ୍ୟାରେ ଦିନେ ମେଲୋଡି କରିବେ ବୋଲି ଯେଉଁ ସଂଗଠନର କର୍ମକର୍ତାମାନେ ଯାଇ ସ୍ଥାନୀୟ ନେତା, ବିଲ୍ଡର, ବ୍ୟବସାୟୀ ଓ ଶିଳ୍ପପତିଙ୍କ ଦ୍ୱାର ନିକଟରେ ଡେରା ପକାଉଥିଲେ, ସେତକ ବି କରିବାକୁ ପଡ଼ିଲା ନାହିଁ। ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ପରେ ବି ସଂଗଠନ ଉପରେ ଟିକେ ଫରକ ପଡ଼ିଲା ନାହିଁ। ନିର୍ବାଚନ ପାଖେଇଲାନି ଯେ ପୂଜା ଅନୁଷ୍ଠାନ ପାଇଁ ‘ସୋନେପେ ସୁହାଗା’ ପାଲଟି ଗଲା। ପୂର୍ବ ବର୍ଷମାନଙ୍କ ତୁଳନାରେ ଏଥର ରାଜଧାନୀ ଭୁବନେଶ୍ୱରର ପୂଜା ଅନୁଷ୍ଠାନଗୁଡ଼ିକରେ ପୂଜା ଉତ୍ସବ ଅଧିକ ଜାକଜମକରେ ହୋଇଥିଲା। ବାସ୍ତବ କଥା ହେଉଛି, ଏଥର ଅଧିକାଂଶ ପୂଜାରେ ହାତ ଖୋଲା ଖର୍ଚ ହୋଇଛି। ଆଗକୁ ମଧ୍ୟ ହେବ, ଏଥିରେ ଦ୍ୱିମତ ନାହିଁ ବୋଲି କିଛି ରାଜନେତା ସ୍ୱୀକାର କରିଛନ୍ତି। ଭିତିରି କଥା ପଚାରିଲାରୁ ଜଣେ କର୍ପୋରେଟର୍ ଥଟାରେ କହିଥିଲେ, ଆଗକୁ ନିର୍ବାଚନ ନଦେଲେ ନ ଚଳୁଛି। କଥାଟା ବି ଠିକ୍ ସେମିତି। ହାତ ପାହାନ୍ତାରେ ଥିବା ନିର୍ବାଚନରେ ନିଜ ପାଇଁ ସମର୍ଥନ ଯୋଗାଡ଼ିବାକୁ ଏଇ ସଂଗଠନର କର୍ମକର୍ତାମାନେ ଯେ ପ୍ରମୁଖ ଯୋଗଦାନ ଦେବେ ତାହା କାହାକୁ ଅଛପା ନାହିଁ। ପ୍ରଚାରଠୁ ଆରମ୍ଭ କରି ଭୋଟ୍ ହାତେଇବାରେ ବି ସଂଗଠନର କର୍ମକର୍ତାମାନଙ୍କର ପ୍ରମୁଖ ଯୋଗଦାନ ରହିବ। ଗଣେଶ ପୂଜା ଅବସରରେ ବିଭିନ୍ନ ଅନୁଷ୍ଠାନ ଏଥର ଯେମିତି ପୂଜାକୁ ଆଡ଼ମ୍ବର ସହକାରେ ପାଳନ କଲେ, ଏଥିରେ ଯେ ନେତାମାନଙ୍କର ଯଥେଷ୍ଟ ଭାଗୀଦାରି ଅଛି, ତାହା ସଂଗଠନର କର୍ମକର୍ତାମାନେ ଖୋଦ୍ ସ୍ୱୀକାର କରିଛନ୍ତି। ତେବେ କେବଳ ଗଣେଶ ପୂଜା ନୁହେଁ, ବିଶ୍ୱକର୍ମା ପୂଜା ଏବଂ ସ୍ଥାନେସ୍ଥାନେ ହେଉଥିବା ଖୁଦୁରୁକୁଣୀ ପୂଜାକୁ ମଧ୍ୟ ଆଡ଼ମ୍ବର ସହକାରେ ପାଳିବାକୁ ବଡ଼ ଧରଣର ଆର୍ଥିକ ସହଯୋଗର ସୁଅ ଛୁଟିଛି। ପୁଣି ଆଗକୁ ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପୂଜାଗୁଡ଼ିକ ବି ଧୁମ୍ ଜମିବ ବୋଲି ପ୍ରାୟ ନିଶ୍ଚିତ ହୋଇସାରିଛି। ବିରୋଧୀମାନେ ବି ଏକରକମ ସକ୍ରିୟ ହୋଇ ଉଠିଛନ୍ତି।
ଏବର୍ଷ ପୂଜା ଜମାଣିଆ ନେତାଙ୍କ ହାତ ଖୋଲା ଖର୍ଚ
/sambad/media/post_attachments/wp-content/uploads/2017/09/manka-astami-puja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)