ତୋରଣରେ ସିଂହଭାଗ ବଜେଟ୍‌: ୩୦ କୋଟି ଟପିବ ପୂଜା ବଜେଟ୍‌

ଭୁୁବନେଶ୍ୱର: ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ। ମା’ଙ୍କ ଆବାହନ ପାଇଁ ରାଜଧାନୀ ଛାତି ଉପରେ ଛିଡ଼ା ହେଉଛି ଆଖି ଖୋସି ଦେବା ଭଳି ତୋରଣ। ମାଟିରେ ଜୀବନ୍ୟାସ ଭରିବାକୁ ମୂର୍ତି ଗଢ଼ାରେ ନିମଗ୍ନ ହେଲେଣି ମୂର୍ତିକାର। ଆଉ ମାତ୍ର କେଇଟି ମୁହୂର୍ତର ଅପେକ୍ଷା। ଦଶହରା ପାଇଁ କଟକ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ତୋରଣରେ ବାଜିମାତ କରିବ ରାଜଧାନୀ ଭୁବନେଶ୍ୱର। ଏଇଥି ପାଇଁ ଖର୍ଚ ହେଉଛି କୋଟିକୋଟି ଟଙ୍କା। ତୋରଣରେ ଯେମିତି କୌଣସି ସାଲିସ୍‌ କରିବାକୁ ପ୍ରସ୍ତୁତ ନୁହଁନ୍ତି ପୂଜା ମଣ୍ଡପର ସଦସ୍ୟ। ବିଶାଳ ତୋରଣ ଏବଂ ଅବିଶ୍ୱସନୀୟ ନିର୍ମାଣ ଶୈଳୀରେ ଚକମା ଦେଖାଇବା ପାଇଁ ରାଜଧାନୀର ପୂଜା କମିଟିମାନ ଯେମିତି ପଣ କରିଛନ୍ତି।

ପୂର୍ବ ବର୍ଷ ଭଳି ଏଥର ମଧ୍ୟ ରାଜଧାନୀର ୧୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ମା’। ତୋରଣ ପାଇଁ ସିଂହ ଭାଗ ବଜେଟ୍‌ ବିନିଯୋଗ ହେବ। ଅର୍ଥାତ ପୂଜା ବଜେଟ୍‌ର୨ ତୃତୀୟାଂଶ କେବଳ ସାଜସଜାରେ ଖର୍ଚ କରିବେ ରାଜଧାନୀବାସୀ। କଟକରେ ତାରକସି ମେଢ଼କୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ରାଜଧାନୀରେ ସୁଦୃଶ୍ୟ ତୋରଣରେ ସୃଜନ ରଙ୍ଗ ମାଖିବେ କୋଲକାତା କାରିଗର। ଝାରପଡ଼ା, ରସୁଲଗଡ଼, ସହିଦନଗର, ନୟାପଲ୍ଲୀ, ବରମୁଣ୍ଡା, ପୁରୁଣା ଷ୍ଟେସନ୍‌ ବଜାର, ବମିଖାଲ ଦୁର୍ଗାପୂଜା ମଣ୍ଡପ ପୂର୍ବ ଭଳି ଏଥର ମଧ୍ୟ ତୋରଣରେ ଚମକ ଭରିବେ। ସବୁଠୁ ବଡ଼ କଥା ହେଉଛି କେବଳ ଏହି ବଡ଼ ପୂଜା ମଣ୍ଡପର ପୂଜା ବଜେଟ୍‌ ୩କୋଟି ଛୁଇଁବ। ସେଥି ମଧ୍ୟରୁ କେବଳ ୨ କୋଟି ତୋରଣ ନିର୍ମାଣରେ ଖର୍ଚ କରାଯିବ। ଏହି ପୂଜା ମଣ୍ଡପଗୁଡ଼ିକରେ ତୋରଣ ନିର୍ମାଣ ପାଇଁ ପ୍ରତି ପୂଜା କମିଟି ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ କରିବେ। କାଁ ଭାଁ ପୂଜା ମଣ୍ଡପକୁ ଛାଡ଼ି ଦେଲେ ରାଜଧାନୀର କୋଣ ଅନୁକୋଣରେ ତୋରଣକୁ ସୁଦୃଶ୍ୟ କରାଯିବ। ୨୫ରୁ ଊର୍ଧ୍ୱ ପୂଜା ମଣ୍ଡପ ୨୦ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂଜା ବଜେଟ୍‌ ରଖିଥିବା ବେଳେ ୫୦ରୁ ଊର୍ଧ୍ୱ ପୂଜା ମଣ୍ଡପର ବଜେଟ୍‌ ୧୦ ଲକ୍ଷରୁ ଅଧିକ ରହିଛି। ଅନ୍ୟାନ୍ୟ ପୂଜା ମଣ୍ଡପଗୁଡ଼ିକ ୫ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂଜା ବାବଦରେ ବ୍ୟୟ କରିବେ ବୋଲି ସୂଚନା ମିଳିଛି। ଯଦି ୧୭୦ ପୂଜା ମଣ୍ଡପକୁ ହିସାବକୁ ନିଆଯାଏ, ତେବେ ପୂଜା ବଜେଟ୍‌ ୩୦ କୋଟି ଟପିବ ବୋଲି ଆକଳନ କରାଯାଇଛି।

ବିଶେଷତଃ ତୋରଣ ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀ, କାରିଗରଙ୍କ କାରିଗରୀର ମୂଲ୍ୟ ବାବଦକୁ ପୂଜା ମଣ୍ଡପ ଏହି ଟଙ୍କା ଖର୍ଚ କରିବେ। ମୂର୍ତି କାରିଗରଙ୍କଠାରୁ ମିଳିଥିବା ସୂଚନା ମୁତାବକ, ମା’ଙ୍କ ମୃଣ୍ମୟ ମୂର୍ତି ପାଇଁ ୨୫ରୁ ୩୦ହଜାର ଟଙ୍କା ଲାଗିବ। ଏହା ବ୍ୟତୀତ ସୁଦୃଶ୍ୟ ଆଲୋକ ତୋରଣ, ଭସାଣି ଯାତ୍ରା ବେଳେ ପାରମ୍ପରିକ ନୃତ୍ୟ ଓ ନାଚଗୀତରେ ଲକ୍ଷାଧିକ ଟଙ୍କା ବିନିଯୋଗ ହେବ। ପୂଜା ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଳେ ମେଲୋଡ଼ିଠାରୁ ଆରମ୍ଭ କରି ନୃତ୍ୟଗୀତର କାର୍ଯ୍ୟକ୍ରମ ପାଇଁ ମଧ୍ୟ ପୂଜା କମିଟି ଏକ ନିର୍ଦ୍ଦିଷ୍ଟ ବଜେଟ୍‌ ସ୍ଥିର କରିଛନ୍ତି। ଏହାବ୍ୟତୀତ ରାବଣ ପୋଡ଼ି ବେଳେ ବାଣ ମରା ଉତ୍ସବ ପାଇଁ ମଧ୍ୟ କିଛି ପୂଜା ମଣ୍ଡପ ପକ୍ଷରୁ ସ୍ୱତନ୍ତ୍ର ବଜେଟ୍‌ର ବନ୍ଦୋବସ୍ତ ହୋଇଛି। ଛୋଟରୁ ବଡ଼ ସମସ୍ତ ପୂଜା ମଣ୍ଡପ ଭସାଣି ଯାତ୍ରାକୁ ମହା ଆଡ଼ମ୍ବରରେ କରିବାକୁ ଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସାଂସ୍କୃତିକ ଅନୁଷ୍ଠାନକୁ ବଇନା ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର