ଏଥର ଘରେ ମଉଜ: ସକାଳୁ ସଞ୍ଜ ଚାଲିଲା କିଣାକିଣି, ନୂଆ ଡିଜାଇନ ନଥିବାରୁ ନିରାଶ

ଶୁଭିବନି ରଜ ଦୋଳିର କଟମଟ। ସିନେମା ଦେଖିବାକୁ ହଲ୍‌ ଆଗେ ଲମ୍ବିବନି ଲମ୍ବା ଲାଇନ୍‌। ଜମିବନି ବୁଲାବୁଲି। ଏସବୁ ନୈରାଶ୍ୟ ଭିତରେ ବି ଆଶା ମଉଳିନି। କରୋନା ଓ କଟକଣା ରଜ ମନସ୍କ ରାଜଧାନୀବାସୀଙ୍କୁ ଅଟକାଇ ପାରିନି। ମାର୍କେଟ ବିଲ୍‌ଡିଂରେ କିଣାକିଣି କରୁଥିବାର ଚିତ୍ର ଏସବୁ ବୟାନ କରିଦେଉଛି। ଘରେ ପିଠାପଣା କରିବା ପାଇଁ ଚାଲିଥିବା ମାର୍କେଟିଂ ଏହା ସୂଚେଇ ଦେଉଛି। ପହିଲି ରଜ ସଟ୍‌ଡାଉନ୍‌ ହେବ ସତ, କିନ୍ତୁ ଉପାନ୍ତ ଓ ସାହି ଗଳିକନ୍ଦିରେ ମଉଜ ଫିକା ପଡ଼ିବନି। ପିଠାରେ ମହକିବ ଗାଁ’ରୁ ସହର। ଘରେ ବନ୍ଧା ହେବ ଦୋଳି। ଖେଳ ବି ଜମିବ। କବାଡ଼ି ଖେଳ ହେବନି, ହେଲେ ଲୁଡୁ ଓ ତାସ ପାଲି ପଡ଼ିବ। ଝିଅମାନେ ରଜ ପାନ ଖାଇ ପାଟି ନାଲି କରିବେ। ଘରଘର ବୁଲି ସାଙ୍ଗସାଥୀଙ୍କ ଘରେ ପିଠାର ସ୍ବାଦ ନେବେ।

ପାର୍ବଣ ଋତୁରେ ବଜାର ଚଳଚଞ୍ଚଳ ହୋଇଉଠେ। ବ୍ୟବସାୟୀମାନେ ବି ଏହିଭଳି କିଛି ଗଣପର୍ବକୁ ଚାହିଁ ରହିଥାଆନ୍ତି। ତେବେ କରୋନା ଲକ୍‌ଡାଉନ ଯୋଗୁଁ ଏଥର ‌ପୁରୁଣା ପରିଧାନରେ ରଜ ବିତିଯିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ରଜକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଏତେ ଯେ କରୋନା ସଂକ୍ରମଣର ଭୟ ବି ଲୋକଙ୍କୁ ଘରେ ଅଟକାଇପାରିଲା ନାହିଁ। ଏଇ ୩/୪ଦିନ ହେବ ରାଜଧାନୀର ପ୍ରମୁଖ ବଜାରଗୁଡ଼ିକରେ ଭିଡ଼ ଅସମ୍ଭାଳ ହେଉଛି। ଏଥର ବିଶେ‌ଷ ରିହାତି ନାହିଁ। ନୂଆ ଡିଜାଇନ୍‌ ନାହିଁ। ମାତ୍ର ନୂଆ ପୋଷାକ ପିନ୍ଧିବାର ଉତ୍ସାହ ଫିକା ପଡ଼ିନାହିଁ। ଦୀର୍ଘଦିନ ଲକ୍‌ଡାଉନରେ ରହିବା ପରେ ଡ୍ରେସ ଓ ଶାଢ଼ି ବ୍ୟବସାୟୀମାନେ ମନକୁ ପାଇଲା ଭଳି ବେପାର କରିଛନ୍ତି। ତେବେ ଲକ୍‌ଡାଉନ ଯୋଗୁଁ ସବୁ ବନ୍ଦ ହେଇଯିବାରୁ ନୂଆ ଡିଜାଇନ ମାର୍କେଟରେ ଉପଲବ୍ଧ ହେଉନଥିଲା। ଏହା କିଛିଟା ମନ ଭାଙ୍ଗି ଦେଉଥିଲା। ହେଲେ ମାର୍କେଟରୁ କେହି ଖାଲି ହାତରେ ଫେରୁନଥିଲେ। ପୂର୍ବାହ୍ନରୁ ମାର୍କେଟ ବିଲ୍‌ଡିଂ ଖୋଲିବା ପରଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ସୀମା ଟପି ଯାଇଥିଲା। କରୋନା କଟକଣା ମାନିବା ଯେମିତି ଅସମ୍ଭବ ହୋଇପଡ଼ିଥିଲା।

ପାତ୍ରପଡ଼ାରେ ଦେଢ଼ଶ’ ନୁହେଁ, ୨ଟି ଦୋଳି
ରଜ ଆସିଲେ, ପାତ୍ରପଡ଼ା ମହାରାଜା କ୍ରିକେଟ୍‌ ପଡ଼ିଆରେ ଦୋଳି ଖେଳିବାକୁ ମନ ଟାଣେ। ରାଜଧାନୀବାସୀ ସେଠାରେ ପାଳନ ହେଉଥିବା ରଜ ପର୍ବ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରତିବର୍ଷ ୧୫୦ରୁ ଅଧିକ ଦୋଳି ଓ ନାଚ ଗୀତର କାର୍ଯ୍ୟକ୍ରମ ହୁଏ। ପାରମ୍ପରିକ ପିଠା ଓ ଖାଦ୍ୟ ଷ୍ଟଲ୍‌ ଖୋଲେ। ତେଣୁ ସେଠାରେ ହଜାର ହଜାର ଲୋକଙ୍କ ସମାଗମ ହୁଏ। ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏଥର ଆଉ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। ବରଂ କେବଳ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟ ନେଇ ୨ଟି ଦୋଳି ଲାଗିବ। କିନ୍ତୁ ଭିଡ଼ ଜମିବାକୁ ଦିଆଯିବ ନାହିଁ ବୋଲି ଆୟୋଜକ କମିଟିର ସଦସ୍ୟ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି।

ଆମିଷ ରଙ୍କୁଣାଙ୍କୁ ନିରାଶ କରିବ ରବିବାରିଆ ପହିଲି ରଜ
ଏଥର ପହିଲି ରଜ ରବିବାର ପଡ଼ୁଥିବାରୁ ଆମିଷ ଖାଇବାକୁ ମନ ବଳିଥିଲା। ମାତ୍ର ସଟ୍‌ଡାଉନ୍‌ ସବୁ ବିଗାଡ଼ିଦେଲା। ପୁଣି ଶନିବାର ଓ ରବିବାର ଦୁଇଦିନ ସଟ୍‌ଡାଉନ୍‌ ରହୁଥିବାରୁ ଲୋକେ ନିରାଶ ଓ ବେପାରୀ ବି ନିରାଶ। ଏହି ଦିନ ଦୋକାନ ଖୋଲା ରହିଥିଲେ କେବଳ ରାଜଧାନୀରେ ୭୦ରୁ ୮୦ ଲକ୍ଷ ଟଙ୍କାର ଖାସି ମାଂସ ବିକ୍ରି ହୋଇଥାଆନ୍ତା। ମାତ୍ର ଏଥରକ ଟଙ୍କାଟିଏ ବି ଆୟ ହେବ ନାହିଁ। କରୋନା କଟକଣା କାଳ ହେଲା ବୋଲି ମଟନ୍‌ ବ୍ୟବସାୟୀ ସଂଘର ସଭାପତି ଏସ.କେ ସରଜନ୍‌ କହିଛନ୍ତି।

୩ ଘଣ୍ଟାର କୋହଳ ଯଥେଷ୍ଟ ନୁହେଁ
ସରକାର ସମୟସୀମା କୋହଳ କରିବାକୁ ନେଇଥିବା ନିଷ୍ପତ୍ତି ଏକପ୍ରକାରର ସ୍ବାଗତଯୋଗ୍ୟ। କାରଣ, ମୁଁ ଅଫିସ୍‌ରୁ ଫେରି କିଣାକିଣି ପାଇଁ ସୋ’ରୁମ୍‌ ଗଲାବେଳକୁ ସେଗୁଡ଼ିକ ବନ୍ଦ ହୋଇଯାଉଥିଲା। ଯେଉଁଗୁଡ଼ିକ ବି ଖୋଲାଥାଏ, ୫ଟା୩୦ ଓ ୬ଟା ପରେ ଭିତରକୁ ଯିବା ପାଇଁ ଅନୁମତି ଦିଅନ୍ତି ନାହିଁ। ଅପରପକ୍ଷରେ ରଜ ପର୍ବ ଆଗକୁ ଆସୁଥିବାରୁ ଏବେ ବହୁତ ଲୋକ ବଜାରକୁ ଆସୁଛନ୍ତି। ଏଭଳି ସ୍ଥିତିରେ ବଜାର ଖୋଲିବା ପାଇଁ ଆଉ ୩ଘଣ୍ଟାର ସମୟ ଦିଆଯିବା ଯଥେଷ୍ଟ ନୁହେଁ। ଏଥିରେ ସେମିତି କିଛି ବିଶେଷ ଲାଭ ହେବାର ନାହିଁ। ସମୟ ଅଭାବ ପାଇଁ ବଜାରରେ ସମସ୍ତେ ମଡ଼ାଦଳା ହେଉଛନ୍ତି। ସାମାଜିକ ଦୂରତା ରଖୁନାହାନ୍ତି।
ସ୍ବାଗତିକା ପାଣିଗ୍ରାହୀ, ଡୁମୁଡୁମା

ନିଷ୍ପତ୍ତିର ପୁନର୍ବିଚାର କରାଯାଉ
ରଜ ଆମ ଓଡ଼ିଆ ଜାତିର ଏକ ବଡ଼ ପର୍ବ। କିନ୍ତୁ ମହାମାରୀ କରୋନା ସମୟରେ ସରକାର ପର୍ବକୁ ଅଗ୍ରାଧିକାର ନ ଦେଇ ଲୋକଙ୍କ ଜୀବନ ରକ୍ଷା ପ୍ରତି ଚିନ୍ତା କରିବା ଆବଶ୍ୟକ। ଲୋକଙ୍କୁ ନେଇ ପର୍ବ ପାଳନ କରାଯାଏ। କିନ୍ତୁ ପରମ୍ପରା ଆଳରେ ସରକାର କଟକଣା କୋହଳ ନ କରିବା ଉଚିତ। ଏବର୍ଷ ନ ହେଲେ ଲୋକେ ଆରବର୍ଷକୁ ରଜ ଧୁମ୍‌ଧାମରେ ପାଳିବେ। କିନ୍ତୁ ଜୀବନ ଥିଲେ ତ ! ତେଣୁ ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।
ପ୍ରତୀକ୍ଷା ଦାଶ, ଖଣ୍ଡଗିରି

ସରକାରଙ୍କ ନିଷ୍ପତ୍ତି ଆମ ହିତ ପାଇଁ
ସରକାର ଯାହା ବି ନିଷ୍ପତ୍ତି ନେଉଛନ୍ତି, ଆମ ହିତ ପାଇଁ ନେଉଛନ୍ତି। ଅସୁବିଧା ହେଲେ ବି ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଉଚିତ। ଆମେ ଏଥର ଯଦି କଟକଣା ଓ ନିୟମ ଭିତରେ ଚଳିବା, ତେବେ ଆରଥରକୁ ଏକାସଙ୍ଗେ ଦୁଇ ବର୍ଷର ରଜ ମଉଜ ପାଳି ପାରିବା। ତେଣୁ ଚଳିତଥର କଟକଣା ମାନିଲେ ହିଁ ଆମେ ବଞ୍ଚି ରହିବା ଓ ସବୁ ବର୍ଷ ରଜ ପାଳୁଥିବା।
କଲ୍ୟାଣୀ ସାହୁ, ଭୁବନେଶ୍ବର

ପଦକ୍ଷେପ ନେବାରେ ବିଳମ୍ବ କଲେ
ରଜ ପାଇଁ ସରକାର ନିୟମରେ କୋହଳ କରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ନେବାରେ ବିଳମ୍ବ କରିଦେଲେ। ଶନିବାର ଓ ରବିବାର ସଟ୍‌ଡାଉନ୍ ରହୁଥିବାରୁ ଶୁକ୍ରବାର ଲୋକ କିଣିବାକୁ ବଜାର ଆସି‌ବେ। ବଜାର ଖୋଲିବାର ସମୟସୀମା ରହୁଥିବାରୁ ଲୋକଙ୍କ ଭିଡ଼ ଅଧିକ ହେବ। ଯଦି ଆଉ କିଛି ଦିନ ପୂର୍ବରୁ ଏ ନେଇ ସରକାର ବିଚାର କରିଥାଆନ୍ତେ, ଆମେ ବି କିଣିବା ପାଇଁ କିଛି ସମୟ ପାଇଥାଆନ୍ତୁ। ସାମାଜିକ ଦୂରତା ବି ଲୋକେ ବଜାୟ ରଖି ପାରି ଥାଆନ୍ତେ।
ଚିନ୍ମୟୀ ପାଣିଗ୍ରାହୀ, ଆଚାର୍ଯ୍ୟବିହାର

ସରକାର ନିଷ୍ପତ୍ତିରେ ଆମେ ଖୁସି
ରଜ ପାଇଁ ସରକାର ଯାହା ବି ନିଷ୍ପତ୍ତି ନେଇଛନ୍ତି, ସେଥିପାଇଁ ଆମେ ଖୁସି ଅଛୁ। କିନ୍ତୁ ମଣିଷ ଜୀବନ ମୂଲ୍ୟବାନ। ଏଥର ଆମେ ବଞ୍ଚିଥିଲେ, ଆଗାମୀ ଥରକୁ ଆହୁରି ଧୁମ୍‌ଧାମ୍‌ରେ ରଜ ପାଳି ପାରିବା। ଏଣୁ କରୋନା କଟକଣା ଦିଗ ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ।
ସରିତା ଦାସ, ରସୁଲଗଡ଼

ମେହେନ୍ଦି ଆର୍ଟିଷ୍ଟ୍‌ଙ୍କ ଦେଖାନାହିଁ
ରଜସଜରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ନିଏ ଅଳତା ଓ ମେହେନ୍ଦି। ପ୍ରତିବର୍ଷ ରଜ ଆସିଲେ ମାର୍କେଟ କମ୍ପ୍ଲେକ୍ସଠାରୁ ଆରମ୍ଭ କରି ବିଭିନ୍ନ ସପିଂ ମଲ୍‌ ବାହାରେ ମେହେନ୍ଦି ଆର୍ଟିଷ୍ଟଙ୍କ ଭିଡ଼ ଜମେ। ଏବେ ତ’ ମଲ୍‌ ବନ୍ଦ ଅଛି, କିନ୍ତୁ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ବି‌ ସେମାନଙ୍କ ଦେଖାନାହିଁ। ଅନ୍ୟପ‌ଟେ କରୋନା ଏଭଳି ଭୟଭୀତ କରିଛି ଯେ ଅଜଣା ଲୋକଙ୍କୁ ହାତ ଦେଖାଇ ମେହେନ୍ଦି କରିବାକୁ ଝିଅମାନେ ଡରୁଛନ୍ତି। ପାର୍ଲରକୁ ମଧ୍ୟ ମେହେନ୍ଦି ପକାଇବାକୁ ଯିବାକୁ ଝିଅମାନେ ଡରୁଛନ୍ତି। ଏଣୁ ଏବେ ଘରେ ହିଁ ଝିଅମାନେ ମେହେନ୍ଦି ଲଗାଇବେ। ସିନିୟର୍‌ ବିୟୁଟିସିଆନ୍‌ ରୀତା କୁମାରୀ କହିଛନ୍ତି, ଆଗରୁ ମେହେନ୍ଦି ଲଗାଇବାକୁ ରଜ ସମୟରେ ଝିଅମାନଙ୍କ ଭିଡ଼ ଲଗେ। କିନ୍ତୁ ଏବର୍ଷ ପାର୍ଲର ଖୋଲିଲାଠାରୁ ଗ୍ରାହକଙ୍କ ଦେଖାନାହିଁ। କେବଳ ଜରୁରୀ କିଛି ସେବା ପାଇଁ ଆସୁଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଝିଅମାନେ ଶୁକ୍ରବାର ପାର୍ଲର ଆସିବେ ନାହିଁ ଲାଗୁଛି। ଅନ୍ୟପଟେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଯୋଗୁଁ ରଜ ବେପାର ବି ମାନ୍ଦା ପଡ଼ିବ।

ଅନ୍‌ଲାଇନ୍‌ରେ ‘ରଜ ସୁନ୍ଦରୀ ପ୍ରତିଯୋଗିତା’
ରଜ ଆସିଲେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଯାଏ ‘ରଜ ସୁନ୍ଦରୀ’ ପ୍ରତିଯୋଗିତା। ମୁକୁଟ ହାସଲ ପାଇଁ ତରୁଣୀମାନଙ୍କ ମଧ୍ୟରେ କଡ଼ା ଟକ୍କର୍‌ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତବର୍ଷ କରୋନାକୁ ଆଖି ଆଗରେ ରଖି ନିଆରା ଢଙ୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶାରୀରିକ ଭାବେ କୌଣସି ମଞ୍ଚରେ ଉପସ୍ଥିତ ରହି ନୁହେଁ, ବରଂ ନିଜ ଘରେ ରହି ବୈଷୟିକ ଜ୍ଞାନକୌଶଳର ସହାୟତାରେ ପ୍ରତିଯୋଗିତାରେ ତରୁଣୀମାନେ ଭାଗନେବେ। ଏଥର ରଜରେ ହେବାକୁ ଯାଉଛି ଭର୍ଚୁଆଲ୍‌ ‘ରଜ ସୁନ୍ଦରୀ’ ପ୍ରତିଯୋଗିତା। ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ହେଲ୍ପମେଟ୍‌’ ପକ୍ଷରୁ ହେବାକୁ ଯାଉଛି ଏହି ‘ଭର୍ଚୁଆଲ୍‌ ରଜ କ୍ବିନ୍‌ ପ୍ରତିଯୋଗିତା’। ଏଥିରେ ପାରମ୍ପରିକ ଫଟୋ ସୁଟ୍‌ଠାରୁ ଆରମ୍ଭ କରି ରୢାମ୍ପ ୱାକ୍‌, ପାରମ୍ପରିକ ଲୁକ୍‌ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଭା ଅନୁସନ୍ଧାନ ରାଉଣ୍ଡ୍‌ ଅନ୍‌ଲାଇନ୍‌ରେ କରାଯିବ। ଏଥିସହ କୋଭିଡ୍-୧୯ ପ୍ରତିଯୋଗିତା ମଧ୍ୟ ଅନ୍‌ଲାଇନ୍‌ରେ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ୧୬ରୁ ୨୨ବର୍ଷର ତରୁଣୀମାନେ ଭାଗ ନେଇ ପାରିବେ। ଆବେଦନକାରୀମାନେ ହେଲ୍‌ପମେଟ୍‌ର ଫେସ୍‌ବୁକ୍‌ ଏବଂ ଇମେଲ୍‌ ଆଇଡିରେ ଆବେଦନ କରିପାରିବେ। ଅପରପକ୍ଷେ ‘ଆମ ଟିଭି’ ପକ୍ଷରୁ ମଧ୍ୟ ଅନ୍‌ଲାଇନ୍‌ରେ ‘ରଜ ରାଜକୁମାରୀ ସିଜିନ୍‌-୩’ ଆୟୋଜିତ ହେବ।

ସମ୍ବନ୍ଧିତ ଖବର