ସୂରଜକୁଣ୍ଡ ମେଳାକୁ ଅତିକ୍ରମ କରିଛି: ତୋଷାଳି: ଏଥରର ବିଷୟବସ୍ତୁ ‘ତନ୍ତୁ କୃତି’

ଶାମୁକା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, ୩୮୦ ଷ୍ଟଲ୍‌, ୩୫୦ କାରିଗର

ଭୁବନେଶ୍ବର: ସେରିଫେଡ୍‌, ବୟନିକା, ଉତ୍କଳିକାର ଇ-ବାଣିଜ୍ୟ ସୁଦୃଢ଼ ହେଉଛି। ଏହି ମାଧ୍ୟମରେ ବୁଣାକାରମାନେ ପ୍ରତି ବର୍ଷ ୮ରୁ ୧୦କୋଟି ଟଙ୍କାର ରୋଜଗାର ପାଉଛନ୍ତି। ଦିନେ ୧୦କୋଟିରୁ ଆରମ୍ଭ ହୋଇଥିବା ବୟନିକା ୧୦୦ କୋଟି ଅତିକ୍ରମ କରିଛି। ବୁଣାକାରର ଆର୍ଥିକ ସ୍ଥିତି ସୁଦୃଢ଼ ହେଉଛି। ବୁଣାକାରର ପୁଅ ବୁଣାକାର ହେବାକୁ ଚାହିଁଲାଣି। ‘ତୋଷାଳି ମେଳା’ ଭଳି ଉଚ୍ଚମାନର ବଜାର ହସ୍ତଶିଳ୍ପୀଙ୍କୁ କାରିଗରୀକୁ ମଜଭୁତ କରିବା ପାଇଁ ଉତ୍ସାହିତ କରିଛି। ଦେଶର ହସ୍ତଶିଳ୍ପୀ ଓ କାରିଗରମାନେ ସୂରଜକୁଣ୍ଡ ଭଳି ମେଳା‌ରେ ଅଂଶ ହେବାକୁ ଉଦ୍ୟମ କରୁଥିବା ବେଳେ ଏବେ ତୋଷାଳି ମେଳା ତାକୁ ଅତିକ୍ରମ କରିଛି ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ଜନତା ମଇଦନ୍‌ରେ ଆରମ୍ଭ ହୋଇଥିବା ତୋଷାଳି ମେଳାର ୧୩ତମ ସଂସ୍କରଣକୁ ଉଦ୍‌ଘାଟନ କରି ଶ୍ରୀମତୀ ଛୁରିଆ ଏହା କହିଛନ୍ତି। ମେଳାରେ ୨୫ଟି ରାଜ୍ୟରୁ ୩୫୦ରୁ ଅଧିକ କାରିଗର ଓ ବୁଣାକାର ସାମିଲ୍ ହୋଇଛନ୍ତି। ଏଥର ମେଳାର ବିଷୟବସ୍ତୁ ରହିଛି ‘ତନ୍ତୁ କୃତି’।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ମେଳା ଜାତୀୟ ସଂହତି ବଢ଼ାଉଛି ବୋଲି କହିଥିଲେ। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ସଚିବ ଶୁଭା ଶର୍ମା ସ୍ବାଗତ ଭାଷଣ ରଖିବା ସହ ୩୮୦ ଷ୍ଟଲ୍‌ରେ ଦେଶର ବିଭିନ୍ନ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେବା ସମ୍ପର୍କରେ ସୂଚନା ଦେଇଥିଲେ। ମଞ୍ଚରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ପରିଷଦର ସଭାପତି ପଦ୍ମଶ୍ରୀ ସୁଦର୍ଶନ ସାହୁ, ବୟନିକାର ସଭାପତି ଶେଷ କୁମାର ମେହେର, ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ, ସେରିଫେଡ୍‌ର ସଭାପତି ସତ୍ୟବାନ ନାୟକ, ଉତ୍କଳିକାର ସଭାପତି ଯତୀନ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ୨୦୧୭ ମସିହା ପାଇଁ ପୁରୀର ଶଙ୍ଖ ଓ ଶାମୁକା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ଜୀବନବ୍ୟାପୀ ସାଧନା ସ୍ବୀକୃତି ସମ୍ମାନ ପ୍ରଦାନ କରାଯାଇଥିଲା। କଟକର ବାଉଁଶ ଓ ବେତ କାରିଗର ଏକାଦଶୀ ବାରିକ, ପୁରୀର ତାଳପତ୍ର ଖୋଦେଇ କାରିଗର ପୂର୍ଣ୍ଣଚନ୍ଦ୍ର ପରିଡ଼ା, ସୁନ୍ଦରଗଡ଼ର ଟସର ଶିଳ୍ପୀ ରାଜେନ୍ଦ୍ର ନାରାୟଣ ମେହେରଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ବୌଦ୍ଧର ନଡ଼ିଆ ଷଢ଼େଇ କଳା ଶିଳ୍ପୀ ଶିବନାରାୟଣ ଦାସ, ପୁରୀର କାଗଜମୁଖା ଶିଳ୍ପୀ ସରସ୍ବତୀ ଦାସ, ଯାଜପୁରର କାଇଁଚ ଶିଳ୍ପୀ ମାଳତୀ ପ୍ରଧାନ ଏବଂ ତରୁଲତା ଓଝାଙ୍କୁ ‘କଳାକୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସିଡାକ୍‌ର ଶିତିକାନ୍ତ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଗଜେନ୍ଦ୍ର ପଣ୍ଡାଙ୍କ ନୃତ୍ୟ ସଂଯୋଜନା‌ରେ ‘ତ୍ରିଧାରା’ ନୃତ୍ୟାନୁଷ୍ଠାନର ଶିଳ୍ପୀଙ୍କ ଦ୍ବାରା ନୃତ୍ୟରେ ‘ଜଗନ୍ନାଥ ମହିମା’ ପରିବେଷିତ ହୋଇଥିଲା। ୧୭ଦିନ ଧରି ଚାଲିବାକୁ ଥିବା ଏହି ମେଳା ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେହ ଦିନ ୨ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ।

ସମ୍ବନ୍ଧିତ ଖବର