ଏ ବର୍ଷ ହେବ ଖଣ୍ଡଗିରି କୁମ୍ଭମେଳା, ୧୨ଦିନ ଯାତ୍ରା ପାଇଁ ଅନୁମତି

ଭୁବନେଶ୍ବର: କରୋନା କଟକଣା ‌ଯୋଗୁଁ ରାଜ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ପ୍ରଦର୍ଶନୀ ଯାତ୍ରା ବନ୍ଦ ଥିଲା। ଜାନୁଆରି ପହିଲାରୁ ରାଜ୍ୟ ସରକାର ଏନେଇ ସବୁଜ ସଂକେତ ଦେଇଛନ୍ତି। ଏହାପରେ ରାଜଧାନୀରେ ମେଳା, ପ୍ରଦର୍ଶନୀ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଖଣ୍ଡଗିରି କୁମ୍ଭମେଳା କେମିତି ହେବ, କ’ଣ କଟକଣା ରହିବ, କେତେ ଷ୍ଟଲ୍‌ ପଡ଼ିବ; ସେନେଇ ବିଏମ୍‌ସି ପକ୍ଷରୁ କିଛି ଠୋସ୍‌ ନିଷ୍ପତ୍ତି ନିଆଯାଇନି। ଖଣ୍ଡଗିରି ମେଳା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ଶୀଘ୍ର ପ୍ରସ୍ତୁତି ବୈଠକ ବସିବାକୁ ଯାଉଥିବାରୁ ଏନେଇ ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖଣ୍ଡଗିରି କୁମ୍ଭମେଳା ପାଇଁ ଦକ୍ଷିଣ-ପଶ୍ଚିମ ଜୋନ୍‌ ଜେଡ୍‌ଡିସି ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି। ରାଜଧାନୀରେ ଏବେ ତୋଷାଳୀ ମେଳାରୁ ଆରମ୍ଭ କରି ଆଦିବାସୀ ମେଳା ପର୍ଯ୍ୟନ୍ତ ସବୁ ବଡ଼ ମେଳା ଆୟୋଜନ ହେଉଥିବାରୁ ଖଣ୍ଡଗିରି ମେଳା ପାଇଁ ଅନୁମତି ଦେବାରେ କିଛି ଅସୁବିଧା ନାହିଁ। ଖଣ୍ଡଗିରି ମେଳା ହେବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। କିନ୍ତୁ ବିଏମ୍‌ସି କମିସନର୍‌ଙ୍କ ଅଧ୍ୟକ୍ଷତାରେ ଖୁବ୍‌ ଶୀଘ୍ର ବସିବାକୁ ଥିବା ବୈଠକରେ ମେଳାର ରୂପରେଖ ପ୍ରସ୍ତୁତ ହେବ।

ମେଳା ହେଲେ କେତେ ଷ୍ଟଲ୍‌ ପଡ଼ିବ, ଷ୍ଟଲ୍‌ ଆବଣ୍ଟନ କିପରି ହେବ, ଷ୍ଟଲ୍‌ ଭଡ଼ା କେତେ ରହିବ, ମେଳା ପରିସରକୁ କେତେ ଲୋକ ଏକ ସଙ୍ଗେ ଯାଇପାରିବେ, କୋଭିଡ କଟକଣା କିପରି ପାଳନ ହେବ, ଗାଡ଼ି କେଉଁଠି ପାର୍କିଂ ହେବ, ଲୋକଙ୍କ ସୁରକ୍ଷା ପାଇଁ କେଉଁଠି କେତେ ସିସିଟିଭି ଲାଗିବ, ଖାଦ୍ୟର ମାନ ଯାଞ୍ଚ ପାଇଁ କ’ଣ ପଦକ୍ଷେପ ନିଆଯିବ, ଆଲୋକୀକରଣ ପାଇଁ କେତେ ଲାଇଟ୍‌ ଲାଗିବ, କେତେ ଜଣ ଡାକ୍ତର ମେଳା ପରିସରରେ ଉପସ୍ଥିତ ରହିବେ, ପ୍ରତିଦିନ ସଫେଇ ପାଇଁ କେତେ କର୍ମଚାରୀ ଉପସ୍ଥିତ ରହିବେ, କେତେ ଦିନ ଯାତ୍ରା ହେବ, ଯାତ୍ରା ଦେଖିବାକୁ କେତେ ଲୋକଙ୍କୁ ଅନୁମତି ମିଳିବ, କେତେ ଚେୟାର ପଡ଼ିପାରିବ, ସେନେଇ ବିସ୍ତୃତ ଆଲୋଚନା ହେବ। ଏହାପରେ ମେଳା ନେଇ ପ୍ରସ୍ତୁତି ଆରମ୍ଭ ହେବ। ଫେବ୍ରୁଆରି ୧୮ ରାତିରୁ ଖଣ୍ଡଗିରି ମେଳା ଆରମ୍ଭ ହେବାକୁ ଥିଲେ ହେଁ ୧୯ ତାରିଖରୁ ବିଏମ୍‌ସି ସମସ୍ତ ପ୍ରକାରର ସୁବିଧା ଯୋଗାଇବ।

ଖଣ୍ଡଗିରି ମେଳାର ପ୍ରମୁଖ ଆକର୍ଷଣ ହେଉଛି ଯାତ୍ରା। ସବୁ ବଡ଼ ଯାତ୍ରା ପାର୍ଟି ଏଠାରେ ସେମାନଙ୍କର ଶ୍ରେଷ୍ଠ ନାଟକ ଭେଟି ଦିଅନ୍ତି। ଭୁବନେଶ୍ବର ସମେତ ବାହାର ଜିଲ୍ଲାରୁ ଶହଶହ ଲୋକ ପ୍ରତିଦିନ ଏଠାକୁ ଯାତ୍ରା ଦେଖିବାକୁ ଆସନ୍ତି। ହେଲେ ପ୍ରତିବର୍ଷ ଯାତ୍ରା ପରିବେଷଣ ନେଇ ଟଣାଓଟରା ଲାଗେ। କିନ୍ତୁ ଚଳିତ ବର୍ଷଠାରୁ ଯାତ୍ରା ପରିବେଷଣ ନେଇ କୌଣସି ସମସ୍ୟା ରହିବନି। କାରଣ ତିନିଟି ଯାତ୍ରା କମିଟି ହରେକୃ‌ଷ୍ଣ ମହତାବ ସାଂସ୍କୃତିକ ସଂଘ, ସନାତନ ସେବା ସମିତି, ଇନ୍ଦିରା ସାଂସ୍କୃତିକ ପରିଷଦ ୧୨ଦିନ ଯାତ୍ରା ପରିବେଷଣ କରିବାକୁ ହାଇକୋର୍ଟରୁ ଅନୁମତି ଆଣିଛନ୍ତି। ଏଣିକି ପ୍ରତିବର୍ଷ ନବମୀ ତିଥିରୁ ୧୨ଦିନ ପର୍ଯ୍ୟନ୍ତ ଏହି ତିନଟି ମଞ୍ଚରେ ଯାତ୍ରା ହେବ।

ହରେକୃ‌ଷ୍ଣ ମହତାବ ସାଂସ୍କୃତିକ ସଂଘର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ, ସନାତନ ସେବା ସମିତିର ସମ୍ପାଦକ ବାନାମ୍ବର ହାତୁଆ, ଇନ୍ଦିରା ସାଂସ୍କୃତିକ ପରିଷଦର ସମ୍ପାଦକ ରଘୁନାଥ ମହାନ୍ତି କହିଛନ୍ତି ଯେ ଆମେ ଯାତ୍ରା ମଞ୍ଚସ୍ଥ କରିବାକୁ ଅନୁମତି ପାଇଛୁ। ସରକାରଙ୍କ କୋଭିଡ୍‌ କଟକଣା ଅନୁଯାୟୀ, ସମସ୍ତ ପ୍ରସ୍ତୁତି କରିବୁ। ଚଳିତ ବର୍ଷଠାରୁ ପ୍ରତିବର୍ଷ ୧୨ଦିନ ଯାଏ ଯାତ୍ରା ମଞ୍ଚସ୍ଥ କରିବାକୁ ଆମକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ହେଲେ ଚଳିତ ବର୍ଷ କୋଭିଡ୍‌ କଟକଣା ଲାଗୁ ହୋଇଥିବାରୁ ବିଏମ୍‌ସି ଭୁବନେଶ୍ବର ପାଇଁ କ’ଣ କଟକଣା କରୁଛି, କ’ଣ କୋହଳ କରୁଛି, ତାହାକୁ ଅପେକ୍ଷା କରିଛୁ। ଜାନୁଆରି ୩୦ରେ ଆମେ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବୁ। ପ୍ରତି ନାଟକ ପାଇଁ ୪ରୁ ୫ ହଜାର ଚେୟାର ପଡ଼େ। ତେଣୁ ବିଏମ୍‌ସି କେତେ ଚେୟାର ପକାଇବାକୁ ଅନୁମତି ଦେଉଛି, ତାହାକୁ ଅପେକ୍ଷା। ଯଦି ବିଏମ୍‌ସି ଅଧିକ କଟକଣା ଜାରି କରେ ଓ ଚେୟାର କମାଇଦିଏ, ତେବେ ଯାତ୍ରାପାର୍ଟିଙ୍କ କ୍ଷତି ହେବ। ବିଏମ୍‌ସି କମିସନର୍‌ଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର