ହଟ୍‌ସ୍ପଟ୍‌ ଜିଲ୍ଲାରୁ ରାଜଧାନୀକୁ ଆସିଲେ ସଙ୍ଗରୋଧ

ବିଏମ୍‌ସିକୁ ବସ୍ତି ଚିନ୍ତା ଘାରିଲା

ହଟ୍‌ସ୍ପଟ୍‌ରେ ଗଞ୍ଜାମ, କଟକ, ବାଲେଶ୍ବର, ଗଜପତି ଓ ଯାଜପୁର
ପରିବାର ସହ ରହୁ ନ ଥିବା ଲୋକଙ୍କ ସଂଖ୍ୟା ୫ ହଜାର
ରାଜଧାନୀରେ ୩୩% ଲୋକ ରହୁଛନ୍ତି ବସ୍ତିରେ

ଭୁବନେଶ୍ବର : ଏଣିକି ରାଜ୍ୟର ୫ଟି ହଟସ୍ପଟ୍‌ ଜିଲ୍ଲାରୁ ରାଜଧାନୀକୁ ଆସିଲେ ବାଧ୍ୟତାମୂଳକ ୧୪ ଦିନିଆ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ହେବ। ଗଞ୍ଜାମ, କଟକ, ବାଲେଶ୍ବର, ଗଜପତି ଓ ଯାଜପୁର ଜିଲ୍ଲାରୁ ରାଜଧାନୀର ବସ୍ତି ଅଞ୍ଚଳକୁ ଆସୁଥିବା ଲୋକଙ୍କ ପାଇଁ ଏହା କାର୍ଯ୍ୟକାରୀ ହେବ। ରାଜଧାନୀର ବସ୍ତି ଅଞ୍ଚଳରେ ସଂକ୍ରମଣର ଭୟ ରହିଥିବାରୁ ବିଏମ୍‌ସି ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛି। ବିଏମ୍‌ସି ପକ୍ଷରୁ ଆଜି ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ୫ଟି ଜିଲ୍ଲାରୁ ରାଜଧାନୀର ବସ୍ତି ଅଞ୍ଚଳକୁ ଆସୁଥିବା ଲୋକମାନଙ୍କ ତଥ୍ୟ ପ୍ରତ୍ୟେକ ଦିନ ସଂଗ୍ରହ କରାଯିବ। ବସ୍ତିର ସକ୍ରିୟ ଯାଞ୍ଚକାରୀ ଦଳଙ୍କଠାରୁ ଏହି ତଥ୍ୟ ପାଇବା ପରେ ଆସିଥିବା ଲୋକମାନଙ୍କୁ ସରକାରୀ ସଙ୍ଗରୋଧ ବ୍ୟବସ୍ଥାକୁ ପଠାଇ ଦିଆଯିବ। ଏହା ବାଦ୍ ଯଦି ଜୋନାଲ ଡେପୁଟି କମିସନର୍‌ମାନେ ଅନ୍ୟ କୌଣସି ସୂତ୍ରରୁ ଏହି ୫ଟି ଜିଲ୍ଲାରୁ ଆସିଥିବା ଲୋକଙ୍କ ସଂପର୍କରେ କୌଣସି ତଥ୍ୟ ହାସଲ କରନ୍ତି, ତାହାଲେ ମଧ୍ୟ ‌ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିବେ। ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରତିଦିନ ବିଏମ୍‌ସିକୁ ପଠାଇବାକୁ କୁହାଯାଇଛି।

ଆଜି ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ କହିଲେ, ପୂର୍ବରୁ କେବଳ ଦେଶ କିମ୍ବା ଅନ୍ୟ ରାଜ୍ୟରୁ ଫେରିଲେ, ରାଜଧାନୀରେ ସଙ୍ଗରୋଧରେ ରହିବାର ନିୟମ ଓ ବ୍ୟବସ୍ଥା ରହିଥିଲା। ମାତ୍ର ରାଜଧାନୀରେ କରୋନା ସ୍ଥିତିକୁ ନିୟନ୍ତ୍ରଣ‌ରେ ରଖିବା ଲାଗି ଏବେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବରିଷ୍ଠ ନାଗରିକ, ଗର୍ଭବତୀ, ବହୁରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସର୍ଭେ କରାଯାଉଛି। ରାଜଧାନୀରେ ଏଭଳି ୫୦୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କ ସହ ସେମାନଙ୍କ ପରିବାରଲୋକ ରହୁ ନାହାନ୍ତି। ଏହାସହ ବରିଷ୍ଠ ନାଗରିକମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟରେ ପାର୍କରେ ବୁଲିବାର ଅନୁମତି ଦିଆଯାଉଛି। ବରିଷ୍ଠ ନାଗରିକମାନେ ଯେଭଳି ଭାବରେ ବ୍ୟାଙ୍କିଂ କାମ ସହଜରେ କରିପାରିବେ, ସେଥିଲାଗି ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା ହୋଇଛି।

Image Source: NDTV

ରାଜଧାନୀକୁ ଏ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ଓ ବିଦେଶରୁ ୮୬୮୧ଜଣ ପ୍ରବାସୀ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୨୭୯୧ଜଣ ଏବେ ବି ସଙ୍ଗରୋଧରେ ରହିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୨୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ଥିବା ବେଳେ ୧୩୨ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସକ୍ରିୟଙ୍କ ମଧ୍ୟରୁ ୨୫ଜଣ ଅନ୍ୟ ରାଜ୍ୟର ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲର ୩୯ଜଣ କର୍ମଚାରୀ ଅଛନ୍ତି। ଯଦିଓ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି, ମାତ୍ର ଏହା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି। ରାଜଧାନୀର ଘରୋଇ ହସ୍ପିଟାଲଗୁଡ଼ିକର ବେପରୁଆ କାର୍ଯ୍ୟ ପାଇଁ ଏଭଳି ଘଟିଛି। ଗତକାଲି ଭୁବନେଶ୍ୱରର ୧୦ଟି ଘରୋଇ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା। ସେମାନେ କୋଭିଡ୍ ଗାଇଡ୍‌ଲାଇନ୍ ମାନୁ ନଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ସେସବୁ ବ୍ୟବସ୍ଥା ସୁଧାରିବାକୁ କୁହାଯାଇଛି। ନଚେତ୍ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟ ଘରୋଇ ହସ୍ପିଟାଲରେ ଚଢ଼ଉ ଜାରି ରହିଛି।

ଶ୍ରୀ ଚୌଧରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜଧାନୀରେ ୩୩ପ୍ରତିଶତ ଲୋକ ବସ୍ତି ଅଞ୍ଚଳରେ ରହୁଛନ୍ତି। ଏଠାରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ବସ୍ତି ଅଞ୍ଚଳରେ ମନିଟରିଂ କରାଯାଉଛି। ସହରାଞ୍ଚଳରେ ଗୃହ ସଙ୍ଗରୋଧର ଅନୁମତି ଥିଲେ ମଧ୍ୟ ସେସବୁ ଅଞ୍ଚଳରେ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ରଖାଯାଉଛି। ଏଥିପାଇଁ ବସ୍ତି କମିଟି ଗଠନ ହୋଇଛି। ୧୨୦ ଯୁବକ/ଯୁବତୀଙ୍କ ନେତୃତ୍ୱରେ ବସ୍ତି ଅଞ୍ଚଳରେ କମିଟି କାମ କରୁଛି।

‌ସେ ଆହୁରି କହିଛନ୍ତି, ସୁବାସନଗର ଅଞ୍ଚଳରେ ୬ଜଣ ପଜିଟିଭ ବାହାରିଛନ୍ତି। ଜଣେ ଦିଲ୍ଲୀ ଫେରନ୍ତା କରୋନା ପଜିଟିଭ ବାହାରିବା ପରେ ଆକ୍ଟିଭ ସର୍ଭେଲାନ୍ସ କରାଯାଇଥିଲା। ଫଳରେ ଅନ୍ୟ ୫ଜଣ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି। ପରେ ୬୧ଜଣଙ୍କ ପରୀକ୍ଷା ହୋଇଥିଲା, ମାତ୍ର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଥିଲା। ସେହି ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ କରାଯାଇଛି। ସେହିପରି ସାଲିଆ ସାହିରେ ୪ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୪୫୭ଲୋକଙ୍କର ନମୁନା ପରୀକ୍ଷା ହୋଇଥିଲା, ମାତ୍ର ଜଣେ ବି ପଜିଟିଭ ଚିହ୍ନଟ ହୋଇନାହାନ୍ତି।

ବିମାନବନ୍ଦରରେ ସ୍କ୍ରିନିଂ କରିବା ସହ ବାହାରୁ ଆସୁଥିବା ଲୋକଙ୍କ ଷ୍ଟାମ୍ପିଂ କରାଯାଉଛି। ଲକ୍ଷଣ ଦେଖାଗଲେ, ସଂଗରୋଧରେ ରଖାଯାଉଛି। ଏବେ ଭୁବନେଶ୍ବରକୁ ୧୬ଟି ଟ୍ରେନ୍‌, ୧୨ଟି ବିମାନ ଆସୁଛି। ତେଣୁ ରାଜଧାନୀ ପାଇଁ ଚ୍ୟାଲେଞ୍ଜ ବଢ଼ୁଛି। ତେଣୁ କରୋନା ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।

ସମ୍ବନ୍ଧିତ ଖବର