ଭୁବନେଶ୍ବର: କେଉଁଠି ମନ୍ଦିରରେ ଗଛଲତା ମାଡ଼ିଗଲାଣି ତ କେଉଁଠି ମନ୍ଦିର ପରିସର ଜଙ୍ଗଲ ପାଲଟିଲାଣି। ମନ୍ଦିରରୁ କେଉଁଠି ପଥରୁ ଖସି ପଡ଼ିଲାଣି ତ କେଉଁଠି ପାଚେରି ଭାଙ୍ଗିଗଲାଣି। କିଛି ମନ୍ଦିରରୁ ଦିଅଁ ଉଭାନ ହୋଇଯାଇଥିବା ବେଳେ କିଛି ମନ୍ଦିରରେ ପାର୍ଶ୍ବ ଦେବଦେବୀଙ୍କ ବିରଳ ମୂର୍ତ୍ତି ଚୋରି ହୋଇଗଲାଣି। ପ୍ରତ୍ନତତ୍ତ୍ବ ବିଭାଗର ଅପାରଗତା ପାଇଁ ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଥିବା ହଜାର ହଜାର ବର୍ଷ ତଳର ପ୍ରାଚୀନ ମନ୍ଦିର ସ୍ଥିତି କିଛି ଏମିତି ଥିବା ଦେଖିବାକୁ ମିଳିଛି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପ୍ରାଚୀନ ମନ୍ଦିର ପଡ଼ିରହିଥିବା ବେଳେ ପ୍ରତ୍ନତତ୍ତ୍ବ ବିଭାଗର ଶୁଭଦୃଷ୍ଟି ପଡ଼ୁନାହିଁ। କୋଟିତୀର୍ଥ ଗଳିରେ ଅବସ୍ଥିତ ନବମ-ଦଶମ ଶତାବ୍ଦୀର ସୁବର୍ଣ୍ଣ ଜଳେଶ୍ବର ମନ୍ଦିର ପଞ୍ଚରଥ ଶୈଳୀରେ ନିର୍ମିତ। ଏହି ମନ୍ଦିରର କାରୁକାର୍ଯ୍ୟର ବୈଶିଷ୍ଟ୍ୟ ହେଉଛି ଅଙ୍ଗଶିଖର। ଯାହାକୁ ଦେଖିବା ପାଇଁ ଗବେଷକମାନେ ବିଭିନ୍ନ ସମୟରେ ଖୋଜିଖୋଜି ଏଠାକୁ ଆସନ୍ତି। ହେଲେ ଏବେ ମନ୍ଦିର ଜରାଜୀର୍ଣ୍ଣ। ରକ୍ଷଣାବେକ୍ଷଣ ହେଉନଥିବାରୁ ପଥର କ୍ଷୟ ହେଉଛି। ମନ୍ଦିର ଉପର ଓ ଚାରି ପାଖରେ ଅନାବନା ଗଛଲତା ମାଡ଼ି ଯାଇଛି। ମନ୍ଦିରରେ ଦିଅଁ କିମ୍ବା ପାର୍ଶ୍ବ ଦେବଦେବୀ ମଧ୍ୟ ନାହାନ୍ତି। ରକ୍ଷଣାବେକ୍ଷଣ ହେଉନଥିବାରୁ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରାୟତଃ କ୍ଷୟ ହୋଇଗଲାଣି। ବର୍ଷା ହେଲେ ମନ୍ଦିର ଭିତରେ ପାଣି ଗଳୁଛି। ନିକଟରେ ଥିବା ସମ୍ପୂର୍ଣ୍ଣ ଜଳେଶ୍ବର ମନ୍ଦିର ଅବସ୍ଥା ସମାନ। ଏଠି ଦିଅଁ ଅଛନ୍ତି, ହେଲେ ପାର୍ଶ୍ବ ଦେବଦେବୀ ମୂର୍ତ୍ତି ନାହିଁ। ମନ୍ଦିର ପାଚେରି ଭାଙ୍ଗିପଡ଼ିଛି।
ବିଏମ୍ସି ଡାକ୍ତରଖାନା ନିକଟରେ ଥିବା ତ୍ରୟୋଦଶ ଶତାବ୍ଦୀର ଐଶାନେଶ୍ବର ମନ୍ଦିର ଆଗରୁ ତାଲା ପଡ଼ିଛି। ମନ୍ଦିର ପରିସର ଜଙ୍ଗଲରେ ପରିଣତ ହୋଇଛି। ୧୪ଶହ ଶତାବ୍ଦୀର ମଙ୍ଗଳେଶ୍ବର ମନ୍ଦିର ପରିସର ସଫା ଥିଲେ ବି ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନଷ୍ଟ ହୋଇଗଲାଣି। ଭବାନୀଶଙ୍କର ମନ୍ଦିର ଭାଙ୍ଗିରୁଜି ଗଲାଣି। ସେହିପରି ଡାକରା ଭୀମେଶ୍ବର, ନୀଳକଣ୍ଠେଶ୍ବର, ମୋହିନୀ ମନ୍ଦିର ଭଳି ବହୁ ମନ୍ଦିର ଠିକ୍ ଏମିତି ଅବହେଳିତ ହୋଇ ପଡ଼ିରହିଛି। ଆଶ୍ଚର୍ଯ୍ୟର କଥା, ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀନରେ ଥିବା ଏହି ମନ୍ଦିର ଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନଥିବା ବେଳେ ରାଜ୍ୟ ପ୍ରତ୍ନତତ୍ତ୍ବ ଟଙ୍କା ଖର୍ଚ୍ଚ କରିନପାରି ସରକାରଙ୍କୁ ଫେରାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟୟବରାଦ ହୋଇଥିବା ସମସ୍ତ ୧୫ କୋଟି ଟଙ୍କା ଖର୍ଚ୍ଚ ନହୋଇ ଅର୍ଥ ବିଭାଗକୁ ଫେରିଯାଇଛି। ଚଳିତ ବର୍ଷ ପୁଣି ଆସିଥିବା ୧୫ କୋଟି ଟଙ୍କାରୁ ଏଯାଏ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ। ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀନରେ ୨୧୩ଟି ସଂରକ୍ଷିତ ଓ ୩ ହଜାରୁ ଅଧିକ ଅଣସଂରକ୍ଷିତ ମନ୍ଦିରରୁ ଅଧିକାଂଶ ଅବସ୍ଥା ଭଲ ନାହିଁ। ହେଲେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ମିଳୁଥିବା ଅନୁଦାନ କାହିଁକି ଖର୍ଚ୍ଚ ହେଉନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।