ରାଜଧାନୀରେ ହଜାରେ ଡେଇଁଲା ଡେଙ୍ଗୁ, ୧୦ ଦିନରେ ୪୨୨ ଚିହ୍ନଟ

ଭୁବନେଶ୍ବର: ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସତ୍ତ୍ବେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ଧରୁନାହିଁ। ସରକାରୀ ହିସାବ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଏକ ହଜାର ଡେଇଁଛି। ତେବେ ବେସରକାରୀ ହିସାବରେ ଦେଖିଲେ, ଏହା ଆହୁରି ଯଥେଷ୍ଟ ଅଧିକ ହେବ। ବଡ଼ କଥା ହେଉଛି ଏବେ ସମଗ୍ର ରାଜଧାନୀରେ ଡେଙ୍ଗୁ ବ୍ୟାପି ସାରିଛି। ଜୁଲାଇରେ କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦେଖାଯାଇଥିବା ଏହି ରୋଗ ମାତ୍ର ମାସକ ଭିତରେ ପୂରା ରାଜଧାନୀକୁ ଗିଳିବାକୁ ବସିଛି। ବିଏମ୍‌ସି ପକ୍ଷରୁ ହେଉଥିବା ପ୍ରତିଷେଧକ ବ୍ୟବସ୍ଥା ଯଥେଷ୍ଟ ହେଉନଥିବାରୁ ପରିସ୍ଥିତି ଏମିତି ବିଗିଡ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ମଶା ବଂଶ ବୃଦ୍ଧି ରୋକିବା ପାଇଁ ସେମାନଙ୍କ ଅଣ୍ଡା ଦେବା ସ୍ଥାନ ନଷ୍ଟ କରିବା ଓ ଲାର୍ଭା ନଷ୍ଟ କରିବା ଭଳି ପଦକ୍ଷେପ ନିଆଯାଉଛି ବୋଲି ବିଏମ୍‌ସି ପକ୍ଷରୁ ପ୍ରଚାର କରାଯାଉଥିଲେ ବି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଏହି ସବୁ ପଦକ୍ଷେପର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଗଷ୍ଟ ମାସରେ ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଧିକ ବିଗିଡ଼ିଯିବ ବୋଲି ଯେଉଁ ଆଶଙ୍କା କରା‌ଯାଉଥିଲା, ତାହା ଆଜି ସତ ହେବାକୁ ଯାଉଛି। ଜୁଲାଇ ସୁଦ୍ଧା ୫୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଅଗଷ୍ଟ ମାସର ୧୦ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୦୦୯ରେ ପହଞ୍ଚିଗଲାଣି। ଅର୍ଥାତ୍ ମାତ୍ର ୧୦ ଦିନ ଭିତରେ ୪୨୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେଣୁ ସଂକ୍ରମଣ ଥମିବା ବଦଳରେ ବଢ଼ୁଥିବା ସରକାରୀ ହିସାବରୁ ଜଣାପଡ଼ିଛି। ଏବେ ରାଜଧାନୀର ପ୍ରାୟ ସବୁ ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଅଗଷ୍ଟ ୫ ସୁଦ୍ଧା ପ୍ରକାଶିତ ରିପୋର୍ଟ ଅନୁସାରେ ନୀଳାଦ୍ରିବିହାର ଅଞ୍ଚଳରେ ୫୫ ଜଣ, ଶୈଳଶ୍ରୀବିହାରରେ ୫୧, ୟୁନିଟ -୧ ରେ ୨୮, ନୂଆପଲ୍ଲୀରେ ୨୫, ଡୁମୁଡୁମାରେ ୧୦ , ଲକ୍ଷ୍ମୀସାଗରରେ ୨୪, ଚିନ୍ତାମଣିଶ୍ବରରେ ୧୨, କଳ୍ପନାରେ ୩୪ , ବିଜେବିନଗରରେ ୨୯, ୟୁନିଟ-୬ ରେ ୨୭, ସତ୍ୟନଗରରେ ୧୨, ନାଗେଶ୍ବରଟାଙ୍ଗୀ ଓ ଖଣ୍ଡଗିରିରେ ୧୭ , ଚନ୍ଦ୍ରଶେଖରପୁରରେ ୫୦ , ପୁରୁଣା ଭୁବନେଶ୍ବରରେ ୧୯ , ଖାରବେଳନଗରରେ ୧୩ , ଜୟଦେବବିହାରେରେ ୧୩ , ସାଲିଆସାହିରେ ୯ , ମଞ୍ଚେଶ୍ବରରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୟାପିଟାଲ୍‌ ହସ୍ପିଟାଲ୍ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ସୂଚନାନୁସାରେ ଏହି ଋତୁକାଳୀନ ରୋଗର ଗ୍ରାଫ୍‌ ଶୀର୍ଷକୁ ଛୁଇଁବା ପରେ ଧୀରେଧୀରେ ନିମ୍ନଗାମୀ ହେବ। ମାତ୍ର ଉକ୍ତ ଶୀର୍ଷ ଅଙ୍କ କେତେ ଓ କେବେ ଏହି ଗ୍ରାଫ୍ ନିମ୍ନଗାମୀ ହେବ, ତାହା ସ୍ପଷ୍ଟ ହେଉନାହିଁ। ଏବେ ଆକ୍ରାନ୍ତ ସଂଖ୍ୟା ଯେଉଁ ହାରରେ ବଢ଼ିବଢ଼ି ଚାଲିଛି, ଡେଙ୍ଗୁ ଗ୍ରାଫ୍ ଶୀର୍ଷ ଦୁଇ ହଜାର ଦିଗରେ ଗତି କରୁଛି ବୋଲି ଆଶଙ୍କା କରାଯାଉଛି।

୩ ସପ୍ତାହରେ ଏମ୍ସରେ ୧୫ ଡେଙ୍ଗୁ ପଜିଟିଭ୍
ଭୁବନେଶ୍ବର: ଏମ୍ସରେ ୩ ସପ୍ତାହ ମଧ୍ୟରେ ୧୦୩ଜଣଙ୍କ ନମୁନା ପରୀକ୍ଷଣ ହୋଇଥିଲା। ଏଥିରୁ ୧୫ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମେଡିସିନ୍‌ ୱର୍ଡରେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ। ପ୍ରତ୍ୟେକ ଦିନ ଜଣେ କିମ୍ବା ଦୁଇ ରୋଗୀ ଡେଙ୍ଗୁ ସନ୍ଦେହରେ ଏଠାକୁ ଆସୁଥିବା କୁହାଯାଇଛି।

ସମ୍ବନ୍ଧିତ ଖବର