ଭୋକ, ରୋଗ ସହ ଲଢ଼ୁଛନ୍ତି ରାସ୍ତାକଡ଼ର ହଜାରେରୁ ଊର୍ଧ୍ବ ଶିଶୁ

ଖାଦ୍ୟ ନାହିଁ କି ସ୍ବତନ୍ତ୍ର କରୋନା ପରୀକ୍ଷଣର ବ୍ୟବସ୍ଥା ନାହିଁ, ଲକ୍‌ଡାଉନ୍‌ରେ ରାଜଧାନୀର ୪ ଶିଶୁ ନିଖୋଜ

ଭୁବନେଶ୍ବର,(ଗାର୍ଗୀ ଶତପଥୀ ) : ଭୋକ, ରୋଗ ସହିତ ଲଢୁଛନ୍ତି ରାଜଧାନୀର ରାସ୍ତାକଡ଼ର ଏକ ହଜାରରୁ ଊର୍ଧ୍ବ ଶିଶୁ। ଏମାନଙ୍କ ମଧ୍ୟରୁ ପ୍ରାୟ ଶହେ ଶିଶୁ ବାପା, ମା’ ଛେଉଣ୍ଡ, ୨୦୦ରୁ ୩୦୦ ବାପା ଛେଉଣ୍ଡ। କରୋନା ମହାମାରୀ‌ ଏବଂ ଲକ୍‌ଡାଉନ୍‌ ଭଳି ସଂକଟ ବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା ନାହିଁ କି କରୋନା ପରୀକ୍ଷଣ ମଧ୍ୟ କରାଯାଉ ନାହିଁ। ଏଭଳି ସ୍ଥିତି ରହିଲେ, ଆଗାମୀ ଦିନରେ ବିକଟ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଚାଇଲ୍ଡ ଲାଇନର ନିର୍ଦେଶକ ବେଣୁଧର ସେନାପତି।

କିଛି ଦିନ ପୂର୍ବରୁ ଇନଫୋସିଟି ପାଖରେ ଜଣେ ୪ ବର୍ଷୀୟ ଶିଶୁକୁ ଅସହାୟ ଅବସ୍ଥାରେ ପୁଲିସ ସହାୟତାରେ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ। ସେ କେବଳ ନିଜ ନାମ ସୂର୍ଯ୍ୟ ବୋଲି କହୁଥିଲା। କିନ୍ତୁ ମା’ବାପାଙ୍କ ନାଁ, ଘର କି ଠିକଣା କିଛି ବି କହିପାରିନଥିଲା। ଶିଶୁଟି ଆଦିବାସୀ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଥିବାବେଳେ ସେ କୌଣସି ପ୍ରକାର ରାଜଧାନୀକୁ ଚାଲି ଆସିଥିଲା। ଶିଶୁ ପ୍ରଯତ୍ନ କେନ୍ଦ୍ର ମା’ ଘରେ ଶିଶୁଟିକୁ ଥଇଥାନ କରାଯାଇଛି। କେବଳ ଏହି ଗୋଟିଏ ଶିଶୁ ନୁହେଁ; ଚାଇଲ୍ଡ ଲାଇନ ପକ୍ଷରୁ ରାଜଧାନୀର ଜୟଦେବବିହାରରୁ ସିଆରପି, ଉତ୍ତରା ଛକରୁ ଧଉଳି ଛକ, ସାମନ୍ତରାପୁର, କଳ୍ପନା ଛକ, ରାଜମହଲ, ମାଷ୍ଟର କ୍ୟାଣ୍ଟିନ, ରେଳ ଷ୍ଟେସନ, ରାମ ମନ୍ଦିର, ଶ୍ରୀୟା ଟକିଜ ପଛପଟରୁ ବାଣୀବିହାର, ରାଜମହଲରୁ ଶିଶୁ ଭବନ, କ୍ୟାପିଟାଲ ଥାନାର ବିଭିନ୍ନ ଅଞ୍ଚଳ, ଏଜି ଛକ ଆଦି ବୁଲିବା ବେଳେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ରହୁଥିବା ଏକ ହଜାରରୁ ଊର୍ଧ୍ବ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ଚାଇଲ୍ଡ ଲାଇନର ଏହି ଟିମ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜଧାନୀ ବୁଲି ନାହିଁ। ପ୍ରତି ବସ୍ତି ବୁଲିଲେ ସଂଖ୍ୟା କେତେ ହେବ ତା’ର ଅନୁମାନ ମଧ୍ୟ କରାଯାଇ ପାରିବ ନାହିଁ।

ଏ ନେଇ ଶ୍ରୀ ସେନାପତି କହିଛନ୍ତି, ରାସ୍ତାକଡ଼ରେ ରହୁଥିବା ଏହି ପରିବାରଗୁଡ଼ିକ ମଧ୍ୟରୁ ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ସହିତ ରାଜଧାନୀର ସ୍ଥାନୀୟ ଅଧିବାସୀ ଏବଂ ଖୋର୍ଧା ବାହାରୁ ବିଭିନ୍ନ ଜିଲ୍ଲାର ମଧ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ସୀମିତ ସଂଖ୍ୟକ ଭିକ ମାଗନ୍ତି। ଅଧିକାଂଶ ବେଲୁନ, ପିଲାଙ୍କ ଖେଳନା, ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରୁଛନ୍ତି ତ ଆଉ କିଛି ବର୍ଜ୍ୟବସ୍ତୁ ଗୋଟାଇ ଚଳୁଥିଲେ। ବର୍ତ୍ତମାନ ଲକ୍‌ଡାଉନ୍‌ ଯୋଗୁଁ ଏହା ବନ୍ଦ ରହିଛି। ବର୍ତ୍ତମାନର ମହାମାରୀରେ ସାଧାରଣ ପରିବାରର ମେରୁଦଣ୍ଡ ଭାଙ୍ଗି ସାରିଲାଣି। ତେଣୁ ଖୋଲା ଆକାଶ ତଳେ ରହୁଥିବା ମଣିଷଙ୍କ ଅବସ୍ଥା କିଭଳି ଥିବ ଅନୁମାନ କରାଯାଇପାରେ। ଗତବର୍ଷ ଲକଡାଉନ ସମୟରେ ରାସ୍ତାକଡ଼ର ପରିବାରଗୁଡ଼ିକ ଲାଗି ପ୍ରଶାସନ ପକ୍ଷରୁ ଖାଦ୍ୟ ବ୍ୟବସ୍ଥା କରାଯାଉଥିଲା। ଚଳିତ ବର୍ଷ ଏହା କରାଯାଉ ନାହିଁ। କିଛି ସ୍ଥାନରେ ଥିବା ଆହାର କେନ୍ଦ୍ର ଓ କିଛି ସାମାଜିକ ସଙ୍ଗଠନ ହିଁ ଭରସା। ଅଧିକାଂଶ ସଙ୍ଗଠନ କେବଳ ଦ୍ବିପହର ଭୋଜନ ଦେଉଥିବାରୁ ସେମାନେ ଜଳଖିଆ ଏବଂ ରାତ୍ରିଭୋଜନରୁ ବଞ୍ଚିତ ହେଉଛନ୍ତି। ସାମାଜିକ ସଙ୍ଗଠନ ମଧ୍ୟ ସବୁ ଅଞ୍ଚଳକୁ ନିୟମିତ ଭାବେ ପହଞ୍ଚି ପାରୁନାହାନ୍ତି। ଆହାର କେନ୍ଦ୍ର ସବୁଠି ନାହିଁ। ଯେଉଁଠି ବି ଅଛି ସେଠି କେବଳ ଗୋଟିଏ ଓଳି ଖୋଲା ଅଛି। ତେଣୁ ଅନେକ ଶିଶୁ ଉପବାସ ରହୁଥିବା ଦେଖାଯାଉଛି। ସେମାନଙ୍କ ପାଇଁ ଚାଇଲ୍ଡ ଲାଇନ ନିଜ ଉଦ୍ୟମରେ ଖାଦ୍ୟ ପ୍ୟାକେଟର ବ୍ୟବସ୍ଥା କରୁଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ ବୋଲି ଶ୍ରୀ ସେନାପତି କହିଛନ୍ତି। ତେଣୁ ରାସ୍ତାକଡ଼ର ପରିବାର ଓ ଶିଶୁଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ଏହି ଶିଶୁମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ କୋଭିଡ୍‌ ଲକ୍ଷଣ ରହିଛି। ସେମାନଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷଣର ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ନାହିଁ। ସାମାଜିକ ଦୂରତ୍ବ ନଥିବାରୁ ଅନେକ ଲୋକଙ୍କୁ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଚାଇଲ୍ଡ ଲାଇନ ପକ୍ଷରୁ କିଛି ଶିଶୁଙ୍କ କରୋନା ପରୀକ୍ଷଣ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସହଜ ହେଲା ନାହିଁ। ସଙ୍ଗରୋଧ କେନ୍ଦ୍ର, ଶିଶୁ ପ୍ରଯତ୍ନ କେନ୍ଦ୍ରରେ ସ୍ଥାନାଭାବ ଯୋଗୁଁ ସେମାନଙ୍କୁ ଉଦ୍ଧାର କରି ଥଇଥାନ କରାଯିବା ସମ୍ଭବ ହେଉ ନାହିଁ ବୋଲି ଚାଇଲ୍ଡ ଲାଇନ କହିଛି। ଏମାନଙ୍କ ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲକ୍‌ଡାଉନ୍‌ରେ ରାଜଧାନୀର ୪ ଶିଶୁ ନିଖୋଜ
ଲକ୍‌ଡାଉନ୍‌ ସମୟରେ ରାଜଧାନୀର ୪ ଶିଶୁ ନିଖୋଜ ହୋଇଥିବା ଜଣାପଡ଼ିଛି। ସେମାନେ ଧଉଳି ଅଞ୍ଚଳର ବିଭିନ୍ନ ପରିବାରର। କାହିଁକି ଏବଂ କେଉଁ ପରିସ୍ଥିତିରେ ସେମାନେ ନିଖୋଜ ହେଲେ ଏହା ଜଣାପଡ଼ି ନାହିଁ। ସେମାନଙ୍କୁ ଖୋଜିବା ନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପକ୍ଷରେ ମହାରାଷ୍ଟ୍ରରୁ ରାଜଧାନୀ ଚାଲି ଆସିଥିବା ଏକ ବାଳକକୁ ଉଦ୍ଧାର କରାଯାଇଛି। ବାଳକଟି ନିଜ ନାମ ଏବଂ ଠିକଣା କହିଛି। ଚାଇଲ୍ଡ ଲାଇନ ପକ୍ଷରୁ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି। ମାତ୍ର ଲକଡାଉନ ଯୋଗୁଁ ସେମାନେ ଭୁବନେଶ୍ବର ଆସି ପାରୁନାହାନ୍ତି।

ସମ୍ବନ୍ଧିତ ଖବର