ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ୧ହଜାରରୁ ଅଧିକ ଉଠାଦୋକାନୀଙ୍କଠାରୁ ଠକମାନେ ୧କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଭୁବନେଶ୍ବର ମହାନଗର ନିଗମର ଅଧିକାରୀଙ୍କ ନକଲି ପରିଚୟପତ୍ର ଦେଖାଇ ଓ ଉଠାଦୋକାନୀଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକମାନେ ଏଭଳି ଠକାମି କରିଛନ୍ତି।  ଏ ସଂପର୍କରେ ଉଠାଦୋକାନୀମାନେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ନ୍ୟାୟ ମିଳିନି। ସେପଟେ ଉଠାଦୋକାନୀମାନେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ  କରିଥିଲେ ବି ଏ ଦିଗରେ କର୍ତ୍ତୃପକ୍ଷ ନିରବତା ଅବଲମ୍ବନ କରିଛନ୍ତି। ସବୁଠୁ ନିରାଶ ହେବା ପରେ ଉଠାଦୋକାନୀମାନେ ଶେଷରେ ଅର୍ଥନୈତିକ ଅପରାଧ ଶାଖାର ଏସ୍‌ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୨୦୦ରୁ ଅଧିକ ଉଠାଦୋକାନୀ ସଂଘ ଓ ୩୦ହଜାରରୁ ଅଧିକ ଉଠାଦୋକାନୀ ରହିଛନ୍ତି। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ଅଭିଯୋଗ କରିଛି, ଗତ କିଛି ମାସ ହେବ କିଛି ଖଳ ପ୍ରକୃତିର ଲୋକ ନିଜକୁ ଭୁବନେଶ୍ବର ମହାନଗର ନିଗମର ଅଧିକାରୀ ଦର୍ଶାଇ ଟ୍ରେଡ୍ ଲାଇସେନ୍ସ, ଏଲ୍ଓଆର(ସୁପାରିସ ପତ୍ର), ଭେଣ୍ଡିଂ ଲାଇସେନ୍ସ, ବିଏମ୍‌ସିର ଆର୍ଥିକ ସହାୟତା କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଟ୍ରେଡ୍ ଲାଇସେନ୍ସ କରାଇଦେବା ନାଁରେ ପ୍ରାୟ ୮ଶହ ଉଠାଦୋକାନୀଙ୍କଠାରୁ ଜଣ ପିଚ୍ଛା ୩ରୁ ୫ହଜାର ଟଙ୍କା ଠକି ନେଇଛନ୍ତି। ଏଲ୍ଓଆର, ଭେଣ୍ଡିଂ ଲାଇସେନ୍ସ କରାଇଦେବାକୁ କହି ୨ରୁ ୩ହଜାର ପର୍ଯ୍ୟନ୍ତ ଟଙ୍କା ନେଇଛନ୍ତି। ଉଠାଦୋକାନୀଙ୍କୁ ଯେଉଁ ଟ୍ରେଡ୍ ଲାଇସେନ୍ସ, ଏଲ୍ଓଆର, ଭେଣ୍ଡିଂ ଲାଇସେନ୍ସ ମିଳିଛି, ତାହା ନକଲି ବୋଲି ଭୁବନେଶ୍ବର ମହାନଗର ନିଗମ ସ୍ପଷ୍ଟ କରି ସାରିଛି। ଏ ଭିତରେ ଅଧିକାଂଶ ଉଠାଦୋକାନୀ ଏହି ନକଲି ପ୍ରମାଣପତ୍ର ପାଇଛନ୍ତି ଓ ଦୋକାନରେ ଲଗାଇଛନ୍ତି। ଭୁବନେଶ୍ବର ମହାନଗର ନିଗମ ୧ଲକ୍ଷ ୮୨ହଜାର ଟଙ୍କାର ଆର୍ଥିକ ସହାୟତା ଉଠାଦୋକାନୀଙ୍କୁ ଦେଉଛି ଏବଂ ଏହି ସହାୟତା ରାଶି କରାଇଦେବାକୁ କହି ୫ହଜାର ଲେଖାଏଁ ଟଙ୍କା ନିଆଯାଇଛି। କିନ୍ତୁ ପଚରାଉଚରା ପରେ ସେଭଳି କିଛି ସହାୟତା ବ୍ୟବସ୍ଥା ଭୁବନେଶ୍ବର ମହାନଗର ନିଗମର ନାହିଁ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଏହି ନକଲି ବିଏମ୍‌ସି ଅଧିକାରୀ ଶରତ ସାହୁ, ପ୍ରଦୀପ୍ତ ସାବତ, ପବନ ମୋଡ଼, ୩୫ ନମ୍ବର ୱାର୍ଡର ବହୁ ଉଠାଦୋକାନୀଙ୍କୁ ଠକିଛନ୍ତି। ନାରାୟଣ ସାହୁ ଓ ସରୋଜ ସାହୁ ପ୍ରମୁଖଙ୍କୁ ନକଲି ଟ୍ରେଡ୍ ଲାଇସେନ୍ସ ଦେଇଠକିଛନ୍ତି। ମହାସଂଘର ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ବିଏମ୍‌ସିର ଡେପୁଟି କମିସନର୍ ଅଜୟ କୁମାର ମହାନ୍ତିଙ୍କୁ ଦେଖା କରିବା ପରେ ଏହି ଠକାମି ଜାଣିବାକୁ ପାଇଥିଲୁ। ସେବେଠୁ ନ୍ୟାୟ ଅପେକ୍ଷାରେ ଅଛୁ। କିନ୍ତୁ ଏହାର ଖୋଳତାଡ଼ କରାଯାଉନି କି ଅଭିଯୁକ୍ତଙ୍କୁ ଧରାଯାଉନି। ଏଣୁ ବାଧ୍ୟ ହୋଇ ଅର୍ଥନୈତିକ ଶାଖାର ଦ୍ବାରସ୍ଥ ହୋଇଛୁ।