ଚନ୍ଦ୍ରଶେଖରପୁର: ଭୁବନେଶ୍ବରରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ହଜାରରୁ ଅଧିକ ଗଛ ବଳି ପଡ଼ିବ। ଯେଉଁ ରାସ୍ତା ଦେଇ ପ୍ରକଳ୍ପ ଯିବାକୁ ନକ୍ସା ପ୍ରସ୍ତୁତ ହୋଇଛି ସେଠାରେ ବହୁ ପରିମାଣର ଗଛ ରହିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରଠାରୁ ତ୍ରିଶୂଳିଆ ଛକ ଯାଏଁ ପ୍ରାୟ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ୍ ଚାଲିବ। ଉଭୟ ଆରମ୍ଭ ଓ ଶେଷ ଷ୍ଟେସନ ମଝିରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରି ୨୦ଟି ସ୍ଥାନରେ ଷ୍ଟେସନ କରିବାକୁ ନିଷ୍ପତ୍ତି ହୋଇଛି। ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ସେଥିରେ ରାସ୍ତାର ମିଡିଆନ୍ରେ ଖୁଣ୍ଟଗୁଡ଼ିକ ନିର୍ମାଣ କରାଯିବ। ମେଡିଆନ୍ର ଉଭୟ ପାର୍ଶ୍ବରେ ରେଳପଥ ପାଇଁ ୩.୫ ମିଟର ଲେଖାଏଁ ଏବଂ ଦୁଇଟି ଖୁଣ୍ଟ ମଧ୍ୟରେ ଦୂରତା ୨୮ ମିଟର ରହିବ। ‘ଓଭରହେଡ୍ ଟ୍ରାକ୍’ ନିର୍ମାଣ ହେବାକୁ ଥିବାରୁ ମେଡିଆନ୍ରେ ଥିବା ଗଛଗୁଡ଼ିକ ପ୍ରଭାବିତ ହେବା ଏକପ୍ରକାର ଥୟ।
ବିଶେଷକରି ରାଜମହଲ ଛକରୁ ବାଣୀବିହାର ଛକ, ବାଣୀବିହାରରୁ ଜୟଦେବ ବିହାର, କିଟ୍ ଛକରୁ ତ୍ରିଶୁଳିଆ ଛକ ମଧ୍ୟରେ ଥିବା ମେଡିଆନ୍ରେ ପ୍ରାୟ ଏକ ହଜାର ଗଛ ରହିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସୌନ୍ଦର୍ଯ୍ୟୀକରଣ ମଧ୍ୟ ହୋଇଛି। ପ୍ରକଳ୍ପ ପାଇଁ ୪ରୁ ୫ ବର୍ଷ ତଳେ ଲଗାଯାଇଥିବା ଏହି ଗଛ ସହ ସୌନ୍ଦର୍ଯ୍ୟୀକରଣ ପାଇଁ ଲାଗିଥିବା ଗଛଗୁଡ଼ିକୁ ମଧ୍ୟ ଏବେ କାଟିବାକୁ ପଡ଼ିବ। ଗଛଗୁଡ଼ିକ ଛୋଟ ହୋଇଥିବାରୁ ତାହାକୁ ନଷ୍ଟ କରିବା ବଦଳରେ ସୁରକ୍ଷା ଦେବାକୁ ମତପ୍ରକାଶ କରିଛନ୍ତି। ପରିବେଶବିତ୍ ସତ୍ୟବ୍ରତ ମିଶ୍ରଙ୍କ କହିବାନୁଯାୟୀ ଗତ ୧୪ ବର୍ଷ ମଧ୍ୟରେ ଏହି ରାସ୍ତାଗୁଡ଼ିକର ସମ୍ପ୍ରସାରଣ ପାଇଁ ବାରମ୍ବାର ଗଛ କାଟିବାକୁ ପଡ଼ିଛି। ରାଜମହଲରୁ ବାଣୀବିହାର ମଧ୍ୟରେ ବହୁ ପୁରୁଣା ବର, ଆମ୍ବ, ପଣସ, ଜାମୁ, କରଞ୍ଜ, ଦେବଦାରୁ ପରି ବିଶାଳ ବୃକ୍ଷ କଟାଯାଇଥିଲା। ସମ୍ପ୍ରସାରଣ ପରେ ନୂଆ ଗଛ ଲଗାଯାଇଥିଲେ ମଧ୍ୟ ତାହା ପୂର୍ବଭଳି ବଡ଼ ହୋଇପାରୁ ନାହିଁ କି ଲୋକଙ୍କୁ ସେବା ଯୋଗାଇପାରୁ ନାହିଁ। ଏବେ ଯେଉଁ ଗଛଗୁଡ଼ିକ ଲଗାଯାଇଛି ତାହା ମଧ୍ୟ ସେତେଟା ଉପଯୋଗୀ ହୋଇପାରୁ ନ ଥିବାରୁ ଗ୍ରୀଷ୍ମ ଦିନରେ ସହରରେ ଅସମ୍ଭାଳ ତାତି ଅନୁଭୂତ ହେଉଛି।
ଜୁନ୍ ମାସରେ ମଧ୍ୟ ପାରଦ ୪୦ ଡିଗ୍ରି ଉପରେ ରହୁଛି। ଖରାରେ ଟିକିଏ ଛାଇ ପାଇବାକୁ ଲୋକେ ଆଉଟୁପାଉଟୁ ହେଉଛନ୍ତି। ତ୍ରିଶୁଳିଆରୁ ବାରଙ୍ଗ ରାସ୍ତା ସମ୍ପ୍ରସାରଣ ଚାଲିଥିବାରୁ ପାଖାପାଖି ୩୦୦ ଗଛ କଟା ସରିଲାଣି। ଆଗକୁ ଆହୁରି କେତେ ଗଛ ବଳି ପଡ଼ିବ ତାହା କହିବା ମୁସ୍କିଲ। ତେଣୁ ମେଡିଆନ୍ରେ ଥିବା ଗଛଗୁଡ଼ିକୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ। କିଛି ନ ହେଲେ ମଧ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ଖୋଲା ସ୍ଥାନରେ ପୁଣିଥରେ ରୋପଣ କରାଗଲେ ସହରବାସୀ ଉପକୃତ ହୋଇପାରିବେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ବର ସହରରେ ଗଛ ସୁରକ୍ଷା ଦିଗରେ ସବୁବେଳେ ଗୁରୁତ୍ବ ଦିଆଯାଉଛି। ମେଟ୍ରୋ ପ୍ରକଳ୍ପ ପାଇଁ କେତେ ଗଛ ପ୍ରଭାବିତ ହେବ ତାହାର ଚୂଡ଼ାନ୍ତ ରିପୋର୍ଟ ଏଯାଏ ଆସି ନାହିଁ। କାମ କରୁଥିବା ବିଭାଗର ଯନ୍ତ୍ରୀଙ୍କ ରିପୋର୍ଟ ପରେ ଆମେ ପଦକ୍ଷେପ ନେବୁ। ତେବେ ଗୋଟିଏ କଥା ଦେଖିବାକୁ ମିଳିଛି ଯେ ମେଡିଆନ୍ରେ ଥିବା ଗଛଗୁଡ଼ିକ ଏଇ କିଛି ବର୍ଷ ତଳେ ଲଗାଯାଇଥିଲା। ସେଗୁଡ଼ିକ ଛୋଟ ହୋଇଥିବାରୁ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ। ଏଦିଗରେ ଆମେ ପଦକ୍ଷେପ ନେଉଛୁ। ଗଛ ଯେମିତି କଟା ନ ହେବ ସେଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛୁ।
ସୂଚନାଯୋଗ୍ୟ ଯେ ୨୦୨୩ ଉତ୍କଳ ଦିବସ ଅବସରରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ। ଏଥିସହ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ଓ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ କଟକ ସହ ଭୁବନେଶ୍ୱର ଓ କଟକ ସହରର ଅନ୍ୟ ଅଂଚଳରେ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ। ୨୦୨୪ ଜାନୁଆରି ପହିଲା ତଥା ନୂଆବର୍ଷରେ ପ୍ରକଳ୍ପର ମୁଳଦୂଆ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/daggadgadgdag.jpg)