କାଟିଦେଲେ ହଜାରେ ଗଛ: ରାସ୍ତାରେ ଗାଡ଼ି ଚାଲିନି, ସମ୍ପ୍ରସାରଣ କରିବେ

ମୂଲ୍ୟବାନ ଗଛ କାଟିଲେ, ଫୁଲ ଗଛ ଲଗାଇବେ, ସବୁଜିମା ଉଜାଡ଼ିବା ପଛରେ ନେତା, ବାବୁଙ୍କ ହାତ

ଚନ୍ଦ୍ରଶେଖରପୁର: ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ହଜାରେ ଗଛ ବଳି ପଡ଼ିଲା। କେଉଁଠି ମୂଳରୁ ତ ଆଉ‌ କେଉଁଠି ଅଧାରୁ…। ଆଉ କେଉଁଠି ଚେରକୁ ବି ଓପାଡ଼ି ଫୋପାଡ଼ି ଦେଇଛନ୍ତି। ଦିନ ଦି’ ପହରେ ମେସିନ୍‌ ଲଗାଇ ଗଛ କାଟୁଛନ୍ତି। ସମସ୍ତେ ସବୁ ଦେଖୁଛନ୍ତି, ହେଲେ କେହି ମୁହଁ ଖୋଲୁନାହାନ୍ତି। କାହିଁକି ନା ରାଜ୍ୟ ସରକାର ଗଛ କାଟୁଛନ୍ତି। ୪ ବର୍ଷ ତଳେ ସରକାରଙ୍କ ଯେଉଁ ସଂସ୍ଥା ଗଛ ଲଗାଇଥିଲା, ଏବେ ପୁଣି ସେହି ସଂସ୍ଥା ଗଛ କାଟୁଛି। ତା’ ପୁଣି ରାସ୍ତା ସମ୍ପ୍ରସାରଣ ପାଇଁ। ଭରତପୁର ଜଙ୍ଗଲକୁ ଲାଗି ନୂଆ କରି ନିର୍ମାଣ ହେଉଥିବା ୨୦୦ ଫୁଟିଆ ରାସ୍ତାର ଉତ୍କଳ ହସ୍ପିଟାଲରୁ ଓଏସ୍‌ଇଆରସି ପର୍ଯ୍ୟନ୍ତ ବେଧଡ଼କ ଗଛକଟା ଚାଲିଛି। ଯଦି ଏବେଠାରୁ ଏହାକୁ ରୋକା ନଯିବ, ତେବେ ଆଉ ହଜାରେ ଗଛ ବି ବଳି ପଡ଼ିବା ଏକପ୍ରକାର ଥୟ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ପାଖାପାଖି ୫ବର୍ଷ ତଳେ ଉତ୍କଳ ହସ୍ପିଟାଲରୁ ଓଏସ୍‌ଇଆରସି ପର୍ଯ୍ୟନ୍ତ ୨୦୦ଫୁଟ୍‌ ଓସାରର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଉଭୟ ପାର୍ଶ୍ବରେ ଦୁଇଥାକିଆ ରାସ୍ତା ନିର୍ମାଣ ପରେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ପକ୍ଷରୁ ମେଡିଆନ୍‌ରେ ବୃକ୍ଷରୋପଣ କରିଥିଲା। ଲକ୍ଷ୍ୟ ଥିଲା ସହରକୁ ସବୁଜ ସୁନ୍ଦର କରି ଗଢ଼ିତୋଳିବା। ଏଠାରେ ବହୁ ମୂଲ୍ୟବାନ ଗଛ ବି ଲାଗିଥିଲା। ସେଗୁଡ଼ିକର ଏଭଳି ଯତ୍ନ ନିଆଯାଇଥିଲା ଯେ ୪ ବର୍ଷରେ ବିଶାଳ ରୂପ ଧାରଣ କରି ଲୋକଙ୍କୁ ଅମ୍ଳଜାନ ବାଣ୍ଟିଥିଲା। ବୃକ୍ଷରୋପଣଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣ ଯାଏ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲା। ସହରର ପରିବେଶ ଲାଗି ଏହା ବେଶ ଅନୁକୂଳ ଥିଲା। ଖରାଦିନେ ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟ୍‌, ଆଦର୍ଶ ବସ୍ତି, ସୋମନାଥ ବସ୍ତି, ସୀତାନାଥ ନଗର, ହରେକୃଷ୍ଣ ନଗର, ପଣ୍ଡାପାର୍କ, ରିକ୍ସା କଲୋନି, ସାଇନ୍ସ ପାର୍କ ବସ୍ତି, ଓମ୍‌ଫେଡ୍‌ ବସ୍ତି, ସତର ଘରିଆ ବସ୍ତି ଆଦି ଅଞ୍ଚଳର ଲୋକେ ବେଶ୍‌ ଉପକୃତ ହେଉଥିଲେ।

୪ ବର୍ଷ ତଳେ ଗଛ ପୋତିଥିବା ଓଏଫ୍‌ଡିସି ଏବେ ସେହି ଗଛକୁ କାଟୁଛି। ପାଖାପାଖି ୧୦ ଦିନ ହେଲା ଓଏଫ୍‌ଡିସିର କର୍ମଚାରୀ ଗଛ କଟା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ଗଛଗୁଡ଼ିକ ଦ୍ବାରା ବହୁ ଲୋକ ଉପକୃତ ହେଉଥିଲେ। ଏହି ରାସ୍ତା ପାର୍ଶ୍ବରେ ରହୁଥିବା ବସ୍ତିବାସିନ୍ଦା ଖରା ଦିନେ ଆଶ୍ବସ୍ତି ଲାଭ କରୁଥିଲେ। ମାତ୍ର ହଠାତ୍‌ କିଛି ଦିନ ହେଲା, ଓଏଫ୍‌ଡିସି କର୍ମଚାରୀମାନେ ଗଛଗୁଡ଼ିକୁ କାଟୁଛନ୍ତି। ସେମାନେ କହୁଛନ୍ତି ଯେ ରାସ୍ତା ସମ୍ପ୍ରସାରଣ ଲାଗି ଗଛ କଟାଯାଉଛି। ଯଦି ରାସ୍ତା ସମ୍ପ୍ରସାଣ କରିବାର ଥିଲା, ତାହା ହେଲେ ଗଛ ଲଗାଉଥିଲେ କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ନିର୍ମାଣ ସମୟରେ ଏହାର ଦୁଇପାର୍ଶ୍ବକୁ ଦୁଇ ଥାକିଆ କରାଯାଇଥିଲା। ରାସ୍ତା ମଝିରେ ବିଶାଳ ମେଡିଆନ୍‌ ରଖି ସେଠାରେ ବୃକ୍ଷରୋପଣ କରିବାକୁ ବି ଯୋଜନା ହୋଇଥିଲା। ମାତ୍ର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଲାଗି ଗଛଗୁଡ଼ିକ ବଳି ପଡ଼ିବାକୁ ଯାଉଛି। ରାସ୍ତା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ଏବେ ତାହାକୁ ସମ୍ପ୍ରସାରଣ କରିବାକୁ ନକ୍ସା ପ୍ରସ୍ତୁତ ହୋଇଛି। ଦୁଇଥାକିଆ ରାସ୍ତାକୁ ତିନି ଥାକିଆ କରାଯିବ। ଜମି ଅଭାବ ପଡ଼ୁଥିବାରୁ ଗଛଗୁଡ଼ିକୁ କାଟି ସେଠାରେ ଆଉ ଗୋଟିଏ ଥାକ ରାସ୍ତା କରିବାକୁ ଯୋଜନା ‌ହୋଇଛି। ହଠାତ୍‌ ଏଭଳି ନକ୍ସା ବଦଳିବା ପଛରେ କିଛି ବଡ଼ବଡ଼ିଆ ନେତା ଓ ବାବୁଙ୍କର ହାତ ରହିଥିବା ସ୍ଥାନୀୟ ଲୋ‌କେ ଅଭିଯୋଗ କରିଛନ୍ତି।
ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟାଯାଇ ପାରିବ। ଏଥିରେ କୌଣସି ଅସୁବିଧା ନାହିଁ। ସରକାରଙ୍କ ଅନୁମତି ପରେ ଆମେ ପଦକ୍ଷେପ ନେଇଛୁ। ଦୁଇପାର୍ଶ୍ବ ରାସ୍ତା ତିନିଥାକିଆ ହେବାକୁ ଥିବାରୁ ଜମି ଅଭାବ ପଡ଼ିଲା। ମେଡିଆନ୍‌ ବହୁତ ବଡ଼ ରହିଥିଲା। ତେଣୁ ଏଭଳି ନିଷ୍ପତ୍ତି ନିଆଗଲା। ରାସ୍ତା ସମ୍ପ୍ରସାରଣ ପରେ ମେଡିଆନ୍‌ରେ ଫୁଲ ଗଛ ଲଗାଯିବ। ଏହାଦ୍ବାରା ସହରର ସୌନ୍ଦର୍ଯ୍ୟୀକରଣ ବୃଦ୍ଧି ପାଇବ। ରେଳ ବିହାରଠାରୁ ଉତ୍କଳ ହସ୍ପିଟାଲ ପର୍ଯ୍ୟନ୍ତ ନୂଆ ରାସ୍ତାରେ ଯେଉଁଭଳି ସୌନ୍ଦର୍ଯ୍ୟୀକରଣ ହୋଇଛି ଏଠାରେ ସେମିତି ହେବ।

ସମ୍ବନ୍ଧିତ ଖବର