ଲକ୍‌ଡାଉନ୍‌ ପାଇଁ ହଜାର ହଜାର ଟ୍ରକ୍‌ ଅଚଳ; ଚିନ୍ତାରେ ମାଲିକ, କର୍ମଚାରୀ

ଭୁବନେଶ୍ବର: ଲକ୍‌ଡାଉନ୍‌ ଲାଗୁ ହେବାଠାରୁ ରାଜଧାନୀରେ ହଜାର ହଜାର ଟ୍ରକ୍‌ କାମ ନପାଇ ଅଚଳ ହୋଇ ପଡ଼ିଛି। ନିର୍ମାଣ କାମ ଓ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଥିବାରୁ ଉଭୟ ମାଲିକ ଓ କର୍ମଚାରୀମାନେ ରୋଜଗାର ହରାଇଛନ୍ତି। ନିଜ ପରିବାର ଗୁଜୁରାଣ, କର୍ମଚାରୀଙ୍କୁ ଦରମା ଓ ଋଣ କିସ୍ତି ଭଳି ବୋଝ ପାଇଁ ଟ୍ରକ୍‌ ମାଲିକମାନେ ଚିନ୍ତାରେ ପଡ଼ିଛନ୍ତି।

ରାଜଧାନୀରେ ଚଳାଚଳ କରୁଥିବା ୩ ହଜାର ଟ୍ରକ୍‌ ଓ ମିନିଟ୍ରକ ମାଲିକଙ୍କ ପରିବାର ସହ ଚାଳକ, ହେଲ୍‌ପର ଓ ଶ୍ରମିକମାନଙ୍କ ହଜାର ହଜାର ପରିବାର ଏହି ବେପାର ଉପରେ ନିର୍ଭରଶୀଳ। ତେବେ ଗାଡ଼ି ଚଳାଚଳ ବନ୍ଦ ହୋଇଯିବା ଫଳରେ ହଜାରହଜାର ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ମିଳିଥିବା ସୂଚନ‌ାନୁସାରେ, ପ୍ରାୟ ୫ଶହ ଗାଡ଼ି ଟ୍ରେନ୍‌ରୁ ସିମେଣ୍ଟ ପରିବହନ କରିଥା’ନ୍ତି। ଟ୍ରେନ୍‌ରୁ ଗୋଦାମ ଏବଂ ଅନ୍ୟାନ୍ୟ ସ୍ଥାନକୁ ଦୈନିକ ୩ ରୁ ୪ଟ୍ରିପ୍‌ ପରିବହନ କରିଥା’ନ୍ତି। ହେ‌ଲେ ବର୍ତ୍ତମାନ ଗୋଟିଏ ଟ୍ରିପ୍‌ କରିବା ବି କାଠିକର ହେଉଛି। ତେଣୁ ଗାଡ଼ିରେ ତେଲ ପକାଇବା, ଡ୍ରାଇଭର୍‌, ହେଲ୍‌ପର ଓ ଶ୍ରମିକମାନଙ୍କୁ ଦରମା ଦେବା ସମ୍ଭବ ହେଉନାହିଁ। ସେଥିରେ ପୁଣି ଟିକସ, ପରମିଟ୍‌, ଫିଟ୍‌ନେସ ଏବଂ ବୀମା ଆଦିର ଖର୍ଚ୍ଚ ରହିଛି। ସେହିପରି ରାଜଧାନୀରେ ଚାଲୁଥିବା ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ମିନିଟ୍ରକ୍‌ ମାଲିକମାନେ ଅନୁରୂପ ଅବସ୍ଥାରେ ଅଛନ୍ତି।

ସେମାନଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବର୍ଗରେ ଅର୍ନ୍ତଭୁକ୍ତ କରାଯାଇଥିଲେ ବି ଯଥେଷ୍ଟ କାମ ମିଳୁନାହିଁ। ପନିପରିବା, ଔଷଧ ଏବଂ ତେଜରାତି ସାମଗ୍ରୀ ପରିବହନରେ ମାତ୍ର ୪୦ ପ୍ରତିଶତ ଗାଡ଼ି ନିୟୋଜିତ ଅଛନ୍ତି। ବାକି ୬୦ ପ୍ରତିଶତ ଗାଡ଼ି ଷ୍ଟାଣ୍ଡରେ ପଡ଼ି ରହୁଛି।
ଭୁବନେଶ୍ବର ଟ୍ରକ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ କିଶୋର ନାୟକ କହିଛନ୍ତି ଯେ ବେପାର ସଂପୂର୍ଣ୍ଣ କ୍ଷତିରେ ଚାଲୁଛି। ତେଣୁ ସରକାର ବର୍ତ୍ତମାନ ଟିକସ ଛାଡ଼ କରିବା ସହିତ ପରିମିଟ୍‌, ଫିଟ୍‌ନେସ୍‌ ଓ ବୀମା ଆଦିର ଅବଧି ବୃଦ୍ଧି କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ଭୁବନେଶ୍ବର-କଟକ ମିନି ଟ୍ରକ୍‌ ମାଲିକ ସଂଘର ଉପଦେଷ୍ଟା ଅଶୋକ ସିଂହ ମଧ୍ୟ ସମାନ ଦାବି ଦେହାରାଇଛନ୍ତି। ଏବେ କିଛି ଦିନ ପାଇଁ ଋଣ କିସ୍ତି ଆଦାୟ ସ୍ଥଗିତ ରଖିବାକୁ ସରକାର ବ୍ୟାଙ୍କ ତଥା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଛନ୍ତି। ସେହିଭଳି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ଡ୍ରାଇଭର୍‌ ଏବଂ ହେଲ୍‌ପରମାନଙ୍କ ପାଇଁ ସ୍ବତନ୍ତ୍ର ବୀମା ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର