ଭୁବନେଶ୍ବର: ହାଲୋ, ମୁଁ ଝାରପଡ଼ାରୁ ବାପି ତ୍ରିପାଠୀ କହୁଛି... ତମ ଭାଇକୁ ଅପହରଣ କରିବା ପାଇଁ ସୁପାରି ମିଳିଛି। ତମେ କୌଣସି କେସ୍ରେ ମୁଣ୍ଡ ଖେଳାଅ ନାହିଁ। କୋଉ ପୁଲିସ କିଛି ଶୁଣିବେନି। ଆମେ ଯାହା ଚାହିବୁ, ସେଇଆ ହବ। ସବୁ ସେଟିଂ ସରିଛି। ତମେ ଭଲରେ ସାଇଡ୍ ହେଇଯାଅ। ଆମେ ସନ୍ଧ୍ୟା ସୁଦ୍ଧା ଦେଖେଇ ଦେବୁ, ଆମେ କ’ଣ କରିପାରିବୁ।
ପ୍ରେମିକକୁ ପାଇବାରେ ବିଫଳ ହେବାରୁ ଜଣେ ପ୍ରେମିକା ପ୍ରେମିକର ପରିବାରଲୋକଙ୍କୁ ଏମିତି ଗୁଣ୍ଡାଙ୍କ ଦ୍ବାରା ଫୋନ୍ ଯୋଗେ ଧମକାଉଛି। ଫୋନ୍ କରିଥିବା ଯୁବକ ନିଜକୁ କେତେବେଳେ ବଡ଼ ଗ୍ୟାଙ୍ଗଷ୍ଟାର୍ କହୁଛି ତ ଆଉ କେତେବେଳେ ଥାନାରୁ ପୁଲିସ କହୁଛି ବୋଲି କହି ଧମକ ଦେଉଛି। ବାରମ୍ବାର ଏମିତି ଧମକଭରା ଫୋନ୍ କଲ୍ ପାଇବା ପରେ ପରିବାରଲୋକ ଏ ସଂପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଜଣେ ଯୁବକ ୫ମାସ ତଳେ ପଟିଆ କାନନବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ପରସ୍ପରର ସହମତିରେ ଉଭୟ ଲିଭ-ଇନ୍ ରିଲେସନ୍ରେ ରହିଥିଲେ। ତେବେ ୩ ମାସ ମଧ୍ୟରେ କୌଣସି କାରଣରୁ ଉଭୟଙ୍କ ସଂପର୍କ ବିଚ୍ଛେଦ ହୋଇଯାଇଥିଲା ଓ ଦୁହେଁ ଦୁହିଁଙ୍କଠାରୁ ଦୂରେଇ ଯାଇଥିଲେ। ଏହାର କିଛି ଦିନ ପରେ ଯୁବତୀଜଣଙ୍କ ଉକ୍ତ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ବି ଘଟଣାର ଆେପୋଷ ସମାଧାନ ହୋଇଯାଇଥିଲା।
ଗତ ୫ତାରିଖ ଦିନ ପ୍ରେମିକର ପରିବାରଲୋକଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ କରିଥିବା ଯୁବକ ନିଜକୁ ଭୁବନେଶ୍ବରର ବଡ଼ ଗ୍ୟାଙ୍ଗଷ୍ଟର୍ ବୋଲି ପରିଚୟ ଦେବା ସହ ଉକ୍ତ ଯୁବତୀ ତାଙ୍କୁ ୫୦ ହଜାର ଟଙ୍କାର ସୁପାରି ଦେଇଥିବା କହିଥିଲା। ଖୁବ୍ଶୀଘ୍ର ତାଙ୍କ ପୁଅକୁ ସେ ଅପହରଣ କରିନେବ ବୋଲି ଧମକ ଦେଇଥିଲା। ଏହାର କିଛି ଦିନ ପରେ ଆଉ ଏକ ଅଜଣା ନମ୍ବରରୁ ଉକ୍ତ ଯୁବକଜଣଙ୍କ ଧମକ ଦେଇଥିଲା। ଏଥର ନିଜକୁ ପୁଲିସ କର୍ମଚାରୀର ପରିଚୟ ଦେଇ ଚନ୍ଦ୍ରଶେଖରପୁର ଥାନାରେ ଦେଖା କରିବାକୁ କହିଥିଲା। ଏହିଭଳି ଏକାଧିକ ଅଜଣା ନମ୍ବରରୁ ଫୋନ୍ କରି ହଇରାଣ କରିବାରୁ ପ୍ରେମିକର ପରିବାରଲୋକେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନୂଆପଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/29-8.jpg)