ଖଣ୍ଡଗିରି: ଗତ ଶନିବାର ଦିନ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଥିବା ଭୂଦାନ ଜମିକୁ କିଛି ମାଫିଆ ଜବରଦଖଲ କରିବାକୁ ଚେଷ୍ଟା କରୁଥିଲେ। ଏହାର ପ୍ରତିବାଦ କରିବାରୁ ଜମି ମାଫିଆମାନେ ତିନିଜଣଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଆକ୍ରମଣରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଆଜି ଭରତପୁର ଥାନା ପୁଲିସ କୋର୍ଟଚାଲାଣ କରିଛି। ସେମାନେ ହେଲେ ଭରତପୁର ଗ୍ରାମର ବଟୁଆ ଦାସ(୨୨), ଭାଗୀରଥି ଦାସ(୨୪), ସତ୍ୟଜିତ ନାୟକ(୨୬)। ସେମାନଙ୍କ ନିକଟରୁ ଖଣ୍ଡା, ଲୁହା ପାଇପ୍‌ ଆଦି ଜବତ ହୋଇଛି।
ଅଭିଯୋଗକାରୀ ମନୋରଞ୍ଜନ ବେହେରାଙ୍କ ଅଭିଯୋଗ ମୁତାବକ, ୨୧ ତାରିଖ ଦିନ ଦ୍ବିପହର ସମୟରେ ଭୂଦାନ ଅଞ୍ଚଳରେ ଥିବା ତାଙ୍କ ଜମିରେ କିଛି ବ୍ୟକ୍ତି ଜବରଦଖଲ କରୁଥିବା ଖବର ପାଇଥିଲେ। ସେଠାରେ ନିଜ ସମ୍ପର୍କୀୟଙ୍କ ସହିତ ପହଞ୍ଚି ଦେଖିଥିଲେ ଯେ କିଛି ଦୁର୍ବୃତ୍ତ ତାଙ୍କ ଜାଗାରେ ଜେସିବି ଲଗାଇ ବେଆଇନ ଭାବରେ ଗଛ କାଟି ବାଡ଼ ହଟାଉଛନ୍ତି। ଅଭିଯୁକ୍ତ ଅନିଲ, ସତ୍ୟଜିତ, ବଟୁଆ, ଭାଗୀରଥି, ମଣ୍ଟୁ ଓ ଅଜୁ ସମେତ ୧୫ରୁ ଅଧିକ ଲୋକ ବ୍ୟକ୍ତିଗତ ଓ ସରକାରୀ ଜମି ଜବରଦଖଲ କରୁଥିବା ଜାଣି ପ୍ରତିବାଦ କରିଥିଲେ। ଏନେଇ ଅଭିଯୁକ୍ତମାନେ ମନୋରଞ୍ଜନ ଓ ତାଙ୍କ ସମ୍ପର୍କୀୟଙ୍କୁ ଧମକଚମକ ଦେଇଥିଲେ। ପରେ ଅଭିଯୁକ୍ତମାନେ ଖଣ୍ଡା, ଲୁହାରଡ୍‌ ଓ ଆଲୁମିନିୟମ୍‌ ପାଇପ୍‌ରେ ଅତର୍କିତ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଏଥିରେ ମନୋରଞ୍ଜନଙ୍କ ପେଟ, ହାତ ଓ ବେକରେ ଆଘାତ ଲାଗିଥିଲା ବେଳେ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଆହତ ହୋଇଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ। ପରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ପୁଲିସ ସୂଚନା ଦେଇଛି। ମୁଖ୍ୟ ଅଭିଯୁକ୍ତ ବଟୁଆ ନାଁରେ ଭରତପୁର ଥାନାରେ ପୂର୍ବରୁ ଗୋଟିଏ ମାମଲା ରହିଛି। ସେହିପରି ଭାଗୀରଥି ନାଁରେ ୪ଟି ଓ ସତ୍ୟଜିତ ନାଁରେ ଗୋଟିଏ ମାମଲା ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସରକାରୀ ଜମି ହଡ଼ପ କରିଥିବା ଜମି ମାଫିଆଙ୍କୁ ଧରିବା ଲାଗି ପୁଲିସ ତଦନ୍ତ ଜାରି ରଖିଛି।