ଠକକୁ ଅପହରଣ କରିବା ମହଙ୍ଗା ପଡ଼ିଲା: ଅପହର୍ତ୍ତା ଓ ଅପହୃତ ଗିରଫ

ପୁଲିସ ଚାକିରି ଆଳରେ ଚଳୁ କରିଛି ସାଢ଼େ ତିନି ଲକ୍ଷ

ଚନ୍ଦ୍ରଶେଖରପୁର/ମେଣ୍ଢାଶାଳ : ପୁଲିସ ଚାକିରି କରାଇବା ବାହାନାରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଜଣେ ଠକଠାରୁ ଟଙ୍କା ଆଦାୟ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଛନ୍ତି ଦୁଇ ଯୁବକ। ଆଇନକୁ ନିଜ ହାତକୁ ନେଇ ‌ଶେଷରେ ଅପହରଣ ମାମଲାରେ ସେମାନଙ୍କୁ ଜେଲ୍‌ ହାଜତକୁ ଯିବାକୁ ପଡ଼ିଛି। ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦକା ପୁଲିସ ୨ ଅପହରଣକାରୀ ଓ ଅପହରଣର ଶିକାର ହୋଇଥିବା ଠକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅପହରଣ କରିଥିବା ଅଭିଯୁକ୍ତ ହେଲେ ପୁରୀ ବଳଙ୍ଗାର ପ୍ରମୋଦ କୁମାର ମହାନ୍ତି ଓ ନୟାଗଡ଼ର ‌ସନ୍ତୋଷ କୁମାର ପଟ୍ଟନାୟକ। ସେମାନଙ୍କ ଠାରୁ ଅପହରଣରେ ବ୍ୟବହୃତ ଗାଡ଼ି ମଧ୍ୟ ଜବତ କରାଯାଇଛି। ସେହିଭଳି ଚାକିରି କରାଇ ଦେବାକୁ କହି ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ସଦାନନ୍ଦ ବେହେରାକୁ ମଧ୍ୟ ଗିରଫ କରାଯାଇଛି।

ସୂଚନାନୁସାରେ, ଅଭିଯୁକ୍ତ ସଦାନନ୍ଦ ନିଜକୁ ଜଣେ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ବୋଲି ପରିଚୟ ଦେଉଥିଲା। ବିଭିନ୍ନ ଉପର ମହଲରେ ତା’ର ଭଲ ଜଣାଶୁଣା ଥିବାରୁ ସେ ବେକାର ଯୁବକଙ୍କୁ ଚାକିରି କରାଇବା ନାଁରେ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲା। ବିଶେଷକରି ପୁଲିସ ବିଭାଗରେ ତା’ର ବହୁ ଉଚ୍ଚ ପଦାଧିକାରୀ ଚିହ୍ନା ପରିଚିତ ଅଛନ୍ତି ବୋଲି କହୁଥିଲା। ପ୍ରମୋଦ ଓ ସନ୍ତୋଷଙ୍କୁ ପୁଲିସ ବିଭାଗରେ ଚାକିରି କରାଇ ଦେବ ବୋଲି କହି ଉଭୟଙ୍କ ଠାରୁ ଦୁଇ ବର୍ଷ ତଳେ ସାଢ଼ ତିନି ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ପରେ ଆଉ ଧରାଛୁଆଁ ଦେଇନଥିଲା। ଦୀର୍ଘ ଦୁଇ ବର୍ଷ ହେଲା ସଦାନନ୍ଦ ପାଖକୁ ଦୌଡ଼ିଦୌଡ଼ି ପ୍ରମୋଦ ଓ ସନ୍ତୋଷ ହତାଶ ହୋଇପଡ଼ିଥିଲେ। ପରେ ଧୂର୍ତ୍ତ ସଦାନନ୍ଦ ଭଡ଼ା‌ରେ ରହୁଥିବା ଖଣ୍ଡଗିରି ଅଞ୍ଚଳ ଛାଡ଼ି ଅନ୍ଧାରୁଆ ଚାଲି ଯାଇଥିଲା ଓ ‌ଫୋନ୍‌ ବଦଳାଇ ଦେଇଥିଲା। ତେଣୁ ପ୍ରମୋଦ ଓ ସନ୍ତୋଷ ଆଉ ତା’ର ପତ୍ତା ପାଇନଥିଲେ। ଠକାମୀର ଶିକାର ହୋଇଛନ୍ତି ବୋଲି ନିଶ୍ଚିତ ହେବା ପରେ ସେମାନେ ସଦାନନ୍ଦକୁ ପାନେ ଦେବା ପାଇଁ ଯୋଜନା କରିଥିଲେ। ପୁଲିସ ମାମଲା କଲେ ଟଙ୍କା ମିଳିବା ବିଳମ୍ବ ହେବ ବୋଲି ସେମାନେ ଆଇନକୁ ନିଜ ହାତକୁ ନେଇ ଟଙ୍କା ଫେରି ପାଇବାକୁ ଚିନ୍ତା କରିଥିଲେ। ତେଣୁ ପ୍ରଥମେ ସେମାନେ ସଦାନନ୍ଦର ନୂଆ ଠିକଣା ଖୋଜି ଖୋଜି ତାକୁ ଅନ୍ଧାରୁଆରେ ଠାବ କରିଥିଲେ।

ଗତ ୯ ତାରିଖରେ ପ୍ରମୋଦ ଓ ସନ୍ତୋଷ ତାଙ୍କ ଅପରେସନ୍ ଆରମ୍ଭ କରିଥିଲେ। ଏକ ଅଜଣା ନମ୍ବରରୁ ସଦାନନ୍ଦକୁ ଫୋନ୍ କଲେ। ସେମାନଙ୍କର ଚାକିରି ଦରକାର ଅଛି ଓ ସେମାନେ ତାକୁ ଦେଖା କରିବାକୁ ଚାହୁଛନ୍ତି ବୋଲି କହିଥିଲେ। ଧୂର୍ତ୍ତ ସଦାନନ୍ଦ ସେମାନଙ୍କ ଜାଲରେ ଫସିଥିଲା। ପୁଣି ଦୁଇ ଜଣଙ୍କୁ ବକରା ବନାଇବାକୁ ସୁଯୋଗ ଜୁଟିଗଲା ବୋଲି ଧରିନେଲା। ତେଣୁ ଯୋଜନା ମୁତାବକ ସେ ଅନ୍ଧାରୁଆ ମାଳିମ ମନ୍ଦିର ନିକଟକୁ ସେମାନଙ୍କୁ ଡକାଇଲା। ପ୍ରମୋଦ ଓ ସନ୍ତୋଷ ମାଳିମ ମନ୍ଦିର ପାଖକୁ ଆସି ତାକୁ ଜଗି ରହିଥିଲେ। ଧାର୍ଯ୍ୟ ସମୟରେ ସଦାନନ୍ଦ ଏକ ବାଇକ୍‌ ଯୋଗେ ସେଠି ପହଞ୍ଚିଗଲା। ତେବେ ସେଠାରେ ପ୍ରମୋଦ ଓ ସନ୍ତୋଷକୁ ଦେଖି ସେ ଖସି ପଳାଇବାକୁ ବସିଥିଲା। ମାତ୍ର ସେମାନେ ସଦାନନ୍ଦକୁ କାବୁ କରି ଏକ କାର୍‌(ଓଡି-୦୨-ଏପି-୭୧୯୧)ରେ ଭର୍ତ୍ତି କରି ଖୋର୍ଦ୍ଧା ନେଇ ଯାଇଥିଲେ। ସେଠାରେ ଏକ ଫାର୍ମ ହାଉସ୍‌ରେ ତାକୁ ବନ୍ଧକ ରଖିଥିଲେ। ଏହା ପରେ ସେମାନେ ସଦାନନ୍ଦର ପତ୍ନୀ ରଶ୍ମିତା ବେହେରାଙ୍କୁ ଫୋନ୍ କରି ପୂରା ଘଟଣା କହିଥିଲେ ଓ ସାଢ଼େ ତିନି ଲକ୍ଷ ଟଙ୍କା ଫେରାଇ ସ୍ବାମୀଙ୍କୁ ନେଇଯିବାକୁ କହିଥିଲେ। ତେବେ ସଦାନନ୍ଦକୁ କେଉଁଠି ରଖିଛନ୍ତି ବୋଲି କହିନଥିଲେ। ଫୋନ୍ କଲ୍‌ ପାଇବା ପରେ ରଶ୍ମିତା ଚନ୍ଦକା ଥାନା ପୁଲିସକୁ ଜଣାଇଥିଲେ। ଅଭିଯୋଗ ପାଇବା ପରେ ଜୋନ-୬ ଏସିପିଙ୍କ ନେତୃତ୍ବରେ ଚନ୍ଦକା ଥାନା ଆଇଆଇସି ତଦନ୍ତ ଆରମ୍ଭ କରିଥିଲେ। ଫୋନ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଉକ୍ତ ଫାର୍ମ ହାଉସ୍‌ରେ ପହଞ୍ଚିଥିଲା। ଗତକାଲି ରାତି ପ୍ରାୟ ୧୦ଟାରେ ସେଠାରୁ ସଦାନନ୍ଦକୁ ପୁଲିସ ଉଦ୍ଧାର କରିଥିଲା। ପୁଲିସ ଅପରେସନ୍ ବେଳେ ଦୁଇ ଅପହରଣକାରୀ ଆତ୍ମସର୍ମପଣ କରିଥିଲେ ଓ ସେମାନେ ଠକାମୀର ଶିକାର ହୋଇଥିବା ପୁଲିସକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର