ପୁରୁଣା ଭୁବନେଶ୍ବର : ସ୍ବାମୀଙ୍କ ଦ୍ବିତୀୟ ପତ୍ନୀଙ୍କ ଘରେ ପଶି ଲୁଟ୍ କରିବା ସହ ମହିଳାଙ୍କ ଭାଇଙ୍କୁ ଅପହରଣ କରିବା ଭଳି ଏକ ସଂଗିନ୍ ମାମଲାରେ ତ୍ବରିତ୍ ପଦକ୍ଷେପ ନେଇ ସଫଳ ହୋଇଛି ଏୟାର୍ପୋର୍ଟ ଥାନା ପୁଲିସ। ଗତରାତିରେ ଝରଣାସାହିରେ ଘଟିଥିବା ଏହି ମାମଲାରେ ପୁଲିସ ଅପହରଣକାରୀମାନଙ୍କୁ(ସଉତୁଣୀ, ତାଙ୍କ ଝିଅ-ଜ୍ବାଇଁ ଓ ଅନ୍ୟ ଜଣେ ସହଯୋଗୀ) ଗିରଫ କରିବା ସହ ଅପହୃତଙ୍କୁ ଉଦ୍ଧାର କରିଛି। ଅପହରଣରେ ବ୍ୟବହୃତ କାର୍, ମାରଣାସ୍ତ୍ର ଓ ଲୁଟ୍ ଟଙ୍କା(୪୦ ହଜାର) ସୁନା ଗହଣା ସବୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣା ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ଅର୍ଚ୍ଚନା ପାତ୍ର, ତାଙ୍କ ଝିଅ ଅଲିଭା, ଜ୍ବାଇଁ ବଣ୍ଟି ଓ ଗାଡ଼ିଚାଳକ ତଥା ସହଯୋଗୀ ରାକେଶ ମଲିକ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।
ସୂଚନାନୁସାରେ ଗତ କିଛି ବର୍ଷ ହେଲା ଦିଲୀପ ପାତ୍ର ବଡ଼ଗଡ଼ ବ୍ରିଟ୍ କଲୋନିରେ ରହୁଥିବା ତାଙ୍କ ପ୍ରଥମ ପତ୍ନୀ ଅର୍ଚ୍ଚନାଙ୍କୁ ଛାଡ଼ି ଝରଣାସାହିରେ ତାଙ୍କ ଦ୍ବିତୀୟ ପତ୍ନୀ ରଶ୍ମୀରେଖାଙ୍କ ସହ ରହୁଥିଲେ। ଏନେଇ ପ୍ରଥମ ପତ୍ନୀ ଅର୍ଚ୍ଚନା ବହୁଥର ରଶ୍ମୀରେଖାଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ। ସ୍ବାମୀ ଦିଲୀପଙ୍କୁ ଛାଡ଼ିଦେବାକୁ ଧମକ ଦେଉଥିଲେ। ମାତ୍ର ସଫଳ ନ ହେବାରୁ ସେ ବାହୁବଳ ପ୍ରୟୋଗ କରିବାକୁ ଯୋଜନା କରିଥିଲେ। ଗତକାଲି ରାତିରେ ଦିଲୀପ ଝରଣାସାହିରେ ନଥିଲେ। ତେଣୁ ଏହି ମଉକାରେ ଅର୍ଚ୍ଚନା ପ୍ରତିଶୋଧ ନେବାକୁ ବାହାରିପଡ଼ିଲେ। ପୂର୍ବ ଯୋଜନାନୁସାରେ ଅର୍ଚ୍ଚନା ତାଙ୍କ ଝିଅ ଅଲିଭା(୨୪), ଜ୍ବାଇଁ ପ୍ରସାଦ ମହାପାତ୍ର ଓରଫ୍ ବଣ୍ଟି(୨୬) ଓ କାର୍ ଚାଳକ ରାକେଶ ମଲିକ(୨୩)ଙ୍କୁ ସାଙ୍ଗରେ ଧରି ଝରଣାସାହିରେ ପହଞ୍ଚିଥିଲେ। ରାତି ପ୍ରାୟ ୮ଟା ବେଳେ ସେମାନେ ରଶ୍ମୀରେଖାଙ୍କ ଘରର ଗ୍ରିଲ୍ ଭାଙ୍ଗି ଧସେଇ ପଶିଥିଲେ। ସେମାନେ ରଶ୍ମୀରେଖାଙ୍କୁ ଏକ ରଶିରେ ବାନ୍ଧି ପକାଇବା ସହ ମୁହଁକୁ ବି ଏକ ଓଢ଼ଣିରେ ବନ୍ଦ କରିଦେଇଥିଲେ। ଏହାପରେ ତାଙ୍କ ଦେହରୁ ଗହଣାଗାଣ୍ଠି ଖୋଲି ପକାଇଥିଲେ। ତାଙ୍କଠାରୁ ଚାବି ଛଡ଼ାଇ ନେଇ ଆଲ୍ମିରାରୁ ନଗଦ ୪୦ ହଜାର ଟଙ୍କା ଓ ଅନ୍ୟାନ୍ୟ ଗହଣା ଲୁଟିନେଇଥିଲେ।
ଏହି ସମୟରେ ରଶ୍ମୀରେଖାଙ୍କ ଭାଇ ମାଧବ ରାଉତ ଗାଧୁଆ ଘରୁ ବାହାରିଥିଲେ। ତେବେ ସେ କିଛି ବୁଝିବା ପୂର୍ବରୁ ଅର୍ଚ୍ଚନାଙ୍କ ଗ୍ୟାଙ୍ଗ୍ ତାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ଏବଂ କାର୍ରେ ଭର୍ତ୍ତି କରି ଅପହରଣ କରିନେଇଥିଲେ। ସେମାନେ ମାଧବଙ୍କୁ ବୁଦ୍ଧେଶ୍ବରୀ କଲୋନିସ୍ଥିତ ଏକ ପାର୍କର ଆଉଟ୍ ହାଉସ୍ରେ ବନ୍ଦୀ କରିରଖିଥିଲେ। ସେମାନେ ସେଠାରେ ମାଧବଙ୍କୁ ବାନ୍ଧି ପକାଇ ଠେଙ୍ଗାରେ ପିଟିପିଟି ଗୁରୁତର କରିଦେଇଥିଲେ। ଏଣେ ରଶ୍ମୀରେଖାଙ୍କଠାରୁ ଅଭିଯୋଗ ପାଇବା ପରେ ଏୟାର୍ପୋର୍ଟ ଥାନା ପୁଲିସ ଅପହରଣକାରୀମାନଙ୍କୁ ଠାବ କରିବାକୁ ଲାଗିପଡ଼ିଥିଲା। ଅର୍ଚ୍ଚନାଙ୍କ ବଡ଼ବଡ଼ ବ୍ରିଟ୍ କଲୋନିସ୍ଥିତ ଘରଠୁ ଆରମ୍ଭ କରି ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ପୁଲିସ ଚଢ଼ଉ କରିଥିଲା। ସେମାନେ ସମସ୍ତେ ମୋବାଇଲ୍ ଫୋନ୍ ବନ୍ଦ କରିଦେଇଥିବାରୁ ପୁଲିସ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇନଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ରାତି ପ୍ରାୟ ୨ଟା ବେଳେ ପୁଲିସ ବୁଦ୍ଧେଶ୍ବରୀ କଲୋନିରେ ପହଞ୍ଚି ଉକ୍ତ ଆଉଟ୍ ହାଉସ୍କୁ ଘେରି ଯାଇଥିଲା। ସେଠାରୁ ସମସ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ଆହତ ମାଧବଙ୍କୁ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।