ମୋଷ୍ଟ ୱାଣ୍ଟେଡ୍‌ କୁର୍ବାନ୍‌ ଗ୍ୟାଙ୍ଗ୍‌ର ୩ ଗିରଫ

ବୋଲେରୋ, ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍‌ ଜବତ, ଚୋରା ଗାଡ଼ିରେ ଛେଳିମେଣ୍ଢା ଲୁଟୁଥିଲେ

ଭୁବନେଶ୍ବର/ଜଟଣୀ : ରାଜଧାନୀ ସମେତ ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ନିରାକାରପୁର, ଚାନ୍ଦପୁର ଓ ଜଙ୍କିଆ ଆଦି ଅଞ୍ଚଳରେ ସଶସ୍ତ୍ର ଡକାୟତି କରୁଥିବା କୁଖ୍ୟାତ୍ କୁର୍ବାନ୍ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିଛି ଜଟଣୀ ଥାନା ପୁଲିସ। ସେମାନେ ହେଲେ ଜଟଣୀ ଥାନା ବେଣାପଞ୍ଜରୀ ଅଞ୍ଚଳର ସେକ୍‌ ଆଇବାଦୁଲ୍‌ ଓରଫ କୁର୍ବାନ(୨୧), ମହମ୍ମଦ ସାମସେର୍‌(୩୨) ଓ ପିପିଲି ଦାନଗହିରୀ ହାଟସାହି ଅଞ୍ଚଳର ମହମ୍ମଦ ନୁରୁଲ୍‌ ହୁଡ୍ଡା ଓରଫ ଧଡ଼ିଆ(୫୭)। ପୁଲିସ ସେମାନଙ୍କଠାରୁ ଗୋଟିଏ ବୋଲେରୋ, ଗୋଟିଏ ପିକ୍‌ ଅପ୍‌ ଭ୍ୟାନ୍‌ ଓ ୨ଟି ବାଇକ୍‌ ଜବତ କରିଛି। ଏହି ଗ୍ୟାଙ୍ଗ୍‌ର ଆଉ କିଛି ସଦସ୍ୟ ଫେରାର୍ ଅଛନ୍ତି ଓ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏହି ଡକାୟତ ଗ୍ୟାଙ୍ଗ୍‌ ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନୀ କରିବା ସହ ଚୋରା ଗାଡ଼ିରେ ଗୋରୁଗାଈ, ଛେଳିମେଣ୍ଢା ଉଠାଇ ନେଉଥିବା ଜଣାପଡ଼ିଛି। ଡକାୟତି କଲା ବେଳେ ଏମାନେ ବୋମାମାଡ଼ କରିବା ସହ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ର‌ରେ ଆକ୍ରମଣ କରୁଥିବା ଅଭିଯୋଗ ରହିଛି। ଏହି ଗ୍ୟାଙ୍ଗ୍‌ ବୋଲେରୋ ଭଳି ଚୋରା ଗାଡ଼ିସବୁକୁ ବାହାର ରାଜ୍ୟରେ ବିକୁଥିବା ମଧ୍ୟ ଜଣାପଡ଼ିଛି। ତେଣୁ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରହିଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା‌ ଦେଇଛନ୍ତି।

କେମିତି ଧରାପଡ଼ିଲେ
ଗତ ୨୨ ତାରିଖ ବିଳମ୍ବିତ ରାତିରେ ବେଣାପଞ୍ଜରୀ ଅଞ୍ଚଳର ଦିଲ୍ଲୀପ କୁମାର ଭୂଜବଳ ଘରକୁ ଫେରିଥିଲେ। ସେ ଶୋଇବା ପୂର୍ବରୁ ତାଙ୍କ ଅଗଣାରୁ କେହି ବୋଲେରୋ ଚୋରି କରୁଥିବା ଜାଣିବାକୁ ପାଇଥିଲେ। ସେ ଘରୁ ବାହାରି ଆସିବା ବେଳକୁ ଡକାୟତମାନେ ବୋଲେରୋ ଷ୍ଟାର୍ଟ କରି ସାରିଥିଲେ। ଦିଲ୍ଲୀପ ପାଟି କରିବାରୁ ପରିବାର ଲୋକେ ଓ ପଡ଼ୋଶୀମାନେ ଧାଇଁ ଆସିଥିଲେ। କିନ୍ତୁ ଅଭିଯୁକ୍ତମାନେ ଘନଘନ ବୋମାମାଡ଼ କରିବାରୁ କେହି ଭୟରେ ସେମାନଙ୍କ ପିଛା କରିପାରିନଥିଲେ। ତେଣୁ ଦୁର୍ବୃତ୍ତମାନେ ବୋଲେରୋ ନେଇ ସେଠାରୁ ଖସିପଳାଇଥିଲେ। ଏନେଇ ଜଟଣୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ରବିବାର ରାତିରେ ଏହି ଗ୍ୟାଙ୍ଗ୍‌ ତରାବୋଇ ମାର୍କେଟ ଅଞ୍ଚଳରେ ଏକାଠି ହୋଇଥିଲେ ଓ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଏହି ଖବର ଜଟଣୀ ଥାନା ପୁଲିସ ନିକଟରେ ପହଞ୍ଚିଥିଲା। ଖବର ପାଇ ଆଇଆଇସି ଦୟାନିଧି ନାୟକ ତୁରନ୍ତ ଦୁଇଟି ଟିମ୍‌ ଗଠନ କରି ଘଟଣାସ୍ଥଳକୁ ଛୁଟିଥିଲେ ଓ ସେମାନଙ୍କୁ ଦୁଇ ପଟୁ ଘେରିଯାଇଥିଲେ। ଚଢ଼ଉ ବେଳେ ଅନ୍ଧାର ସୁଯୋଗରେ ଗ୍ୟାଙ୍ଗ୍‌ର କିଛି ସଦସ୍ୟ ଚମ୍ପଟ ମାରିଥିଲେ ବି ପୁଲିସ ଗ୍ୟାଙ୍ଗ୍‌ ଲିଡର୍‌ କୁର୍ବାନ ଓ ସାମ୍‌ସେରକୁ କାବୁ କରି ନେଇଥିଲା। ପୁଲିସ ଉଭୟଙ୍କଠାରୁ ତଥ୍ୟ ହାସଲ କରି ପିପିଲିସ୍ଥିତ ଧଡ଼ିଆ ସୋ’ରୁମ୍‌ରେ ଚଢ଼ଉ କରି ଚୋରା ଗାଡ଼ିସବୁକୁ ଜବତ କରିବା ସହ ତାକୁ ଗିରଫ କରିଥିଲା। ଧଡ଼ିଆ ନିକଟରୁ ଜବତ ହୋଇଥିବା ଗାଡ଼ି ମଧ୍ୟରେ ଦିଲ୍ଲୀପଙ୍କ ବୋଲେରୋ, ଖୋର୍ଦ୍ଧା ସଦର ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ପିକ୍‌ ଅପ୍‌ ଭ୍ୟାନ୍‌, ପୁରୀ ତାଳବଣିଆ ଅଞ୍ଚଳରୁ ଚୋରି ହୋଇଥିବା ଏକ ୟାମାହା ବାଇକ୍‌ ଓ ଗ୍ୟାଙ୍ଗ୍‌ର ପଲସର୍ ଜବତ କରାଯାଇଛି।

ଏନ୍‌ଏଚ୍‌ରୁ ଲୁଟୁଥିଲେ
ଦୀର୍ଘ ଦିନ ହେଲା ଏହି ଗ୍ୟାଙ୍ଗ୍‌ ୧୬ ନମ୍ବର ଜାତୀୟ ରାଜପଥରେ ସକ୍ରିୟ ଥିଲା। ବିଶେଷକରି ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଏହି ଗ୍ୟାଙ୍ଗ୍‌ ବହୁ ଅପରାଧ ଘଟାଇଛି। ରାଜପଥରେ କାର୍‌, ବୋଲେରୋ, ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍‌ ଭଳି ଗାଡ଼ିକୁ ଟାର୍ଗେଟ୍‌ କରି ଲୁଟନ୍ତି। ପ୍ରଥମେ ଗ୍ୟାଙ୍ଗ୍‌ର କେହି ସଦସ୍ୟ ବିଭିନ୍ନ ଆଳ ଦେଖାଇ ଲିଫ୍ଟ ମାଗନ୍ତି। ପରେ ବାଟରେ ଗ୍ୟାଙ୍ଗ୍‌ର ଅନ୍ୟମାନେ ଉକ୍ତ ଗାଡ଼ିକୁ ଅଟକାଇ ଖଣ୍ଡା, ଭୁଜାଲିରେ ଆକ୍ରମଣ କରି ଗାଡ଼ି ଛଡ଼ାଇ ନିଅନ୍ତି। ଆବଶ୍ୟକ ବେଳେ ଏମାନେ ଗାଡ଼ିମାଲିକଙ୍କୁ ହାଣି ଲହୁଲୁହାଣ କରିଥା’ନ୍ତି।

ରାଜ୍ୟ ବାହାରେ ଗ୍ୟାଙ୍ଗ୍‌ର ଲିଙ୍କ୍‌
ଏହି ଗ୍ୟାଙ୍ଗ୍‌ର ଲିଙ୍କ୍‌ ରାଜ୍ୟ ବାହାରେ ରହିଛି ବୋଲି ଜଣାପଡ଼ିଛି। ଲୁଟ୍‌ ଗାଡ଼ିସବୁକୁ ଏମାନେ ବାହାର ରାଜ୍ୟରେ ବିକୁଥିବା ମାନିଛନ୍ତି। ଚୋରି ଗାଡ଼ିଗୁଡ଼ିକୁ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ’ରୁମ୍‌ କରିଥିବା ଧଡ଼ିଆକୁ ଆଗ ବିକ୍ରି କରନ୍ତି। ଧଡ଼ିଆ ଗାଡ଼ି ପାଇବା ପରେ ଗ୍ୟାରେଜ୍‌ରେ ସେଗୁଡ଼ିକର ଚେହେରା ବଦଳାଇଦିଏ। ରଙ୍ଗ ଓ ନମ୍ବର ବଦଳାଇ ରାଜ୍ୟ ବାହାରକୁ ପଠାଇଦିଏ। ଗତ ଦୁଇ ମାସ ମଧ୍ୟରେ ସେମାନେ ୮ରୁ ଅଧିକ ଚୋରା ଗାଡ଼ି ବିକ୍ରି କରିଥିବା ମାନିଛନ୍ତି। ୩ଟି ଗାଡ଼ି ରାଜ୍ୟ ବାହାରକୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର