ତିନି ବାଇକ୍‌ ମଧ୍ୟରେ ଧକ୍କା, ୪ ଆହତ

ଧଉଳି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ସୀମା ପରିସରଭୁକ୍ତ ଉତ୍ତରା ଛକ ନିକଟରେ ଆଜି ଅପରାହ୍ଣ ପ୍ରାୟ ୨ଟାରେ ତିନିଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୪ ଆହତ ହୋଇଛନ୍ତି। ଏଥିରେ ଗୋଟିଏ ବାଇକ୍‌ରେ ଥିବା ବାପ ପୁଅଙ୍କ ସମେତ ଆଉ ଗୋଟିଏ ବାଇକ୍‌ରେ ଥିବା ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଦମ୍ପତିଙ୍କ ପରିଚୟ ମିଳିପାରିନି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଅନ୍ୟ ଦୁଇ ଆହତ ହେଲେ ନିକଟସ୍ଥ ଗୁଡ଼ିଆପୋଖରୀ ଗ୍ରାମର ଦିବାକର ବେଉରିଆ ଓ ତାଙ୍କ ପୁଅ ଦିନବନ୍ଧୁ ବେଉରିଆ (୪୫)। ଖବର ପାଇ ଧଉଳି ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ଟିକୁ ଜବତ କରିଛି। ପ୍ରାପ୍ତ ସୂଚନାନୁଯାୟୀ ପୁରୀ ଅଭିମୁଖେ ସମାନ ଦିଗରେ ଯାଉଥିବା ବେଳେ ଉପରୋକ୍ତ ବାଇକ୍‌ଗୁଡ଼ିକ ପଛକୁ ପଛ ପିଟି ହୋଇଯାଇଥିଲେ। ପରେ ଏ ସମସ୍ତେ ବାଇକ୍‌ରୁ ରାସ୍ତା ମଝିକୁ ଛିଟିକିପଡ଼ି ଥିଲେ ହେଁ ପୁନର୍ବାର ଟ୍ରକ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ। ଏନେଇ ଜାତୀୟ ରାଜପଥରେ ବେଶ୍‌ କିଛି ସମୟ ଧରି ଯାତାୟାତ ଠପ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର