ସାମାଜିକ ଓ ସାଂସ୍କୃତିକ ସଂହତି କ୍ଷେତ୍ରରେ ଭାରତ ବିଶ୍ୱକୁ ଦିଗ୍‌ଦର୍ଶନ ଦେବ: ରାଜ୍ୟପାଳ

ତ୍ରିଦିବସୀୟ ଅନ୍ତର୍ଜାତୀୟ ସମ୍ମିଳନୀ ‘ପୂର୍ବାଶା’ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର: ନୌବାଣିଜ୍ୟ କ୍ଷେତ୍ରରେ ଦକ୍ଷିଣପୂର୍ବ ଏସିଆ ସହ ଥିବା ଆମର ପ୍ରାଚୀନତମ ଇତିହାସ ନିମନ୍ତେ ପ୍ରସିଦ୍ଧ ଆମ ଦେଶ ଆଜି ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଓ ସାଂସ୍କୃତିକ ସଂହତିର ସ୍ୱର୍ଣ୍ଣିମ ଅଧ୍ୟାୟକୁ ପୁନର୍ଜୀବିତ କରୁଛି। ସମଗ୍ର ବିଶ୍ୱରେ ଭାରତ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ସେହିପରି ଏହି କ୍ଷେତ୍ରର କଳିଙ୍ଗର ରହିଥିବା ମହାନ୍‌ ଇତିହାସ ମଧ୍ୟ ସାରା ବିଶ୍ୱରେ ଅନନ୍ୟ ବୋଲି ରାଜ୍ୟପାଳ ଡ. ଏସ୍‌ ସି ଜମିର ପ୍ରକାଶ କରିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଅନ୍ତର୍ଜାତୀୟ ସମ୍ମିଳନୀ ପୂର୍ବାଶା: ପୂର୍ବ ସଙ୍ଗେ ପୂର୍ବର ସଂଯୋଗର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଡ. ଜମିର ଏହି ମତ ଦେଇଛନ୍ତି। ଭାରତର ବିଭିନ୍ନ ଏସିଆନ୍‌ ଦେଶମାନଙ୍କ ସହ ସମ୍ପର୍କ ତଥା ଏସିଆ-ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କ ସହ ଥିବା ସମ୍ବନ୍ଧକୁ ଅଧିକ ନିବିଡ଼ କରିବା ଏବଂ ସରକାରଙ୍କର ବିଭିନ୍ନ ନୀତି ଏବଂ ପ୍ରୟାସକୁ ସଭିଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ପୂର୍ବାଶା ଭଳି ଅନ୍ତର୍ଜାତୀୟ ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଡ. ଜମିର ପ୍ରକାଶ କରିଥିଲେ। ଏହି ଅବସରରେ କଳିଙ୍ଗ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ (କେଆଇଏଫ)ର ଅଧ୍ୟକ୍ଷ ଲଳିତ ମାନସିଂ ଏହି ତିନିଦିନିଆ କାର୍ଯ୍ୟକ୍ରମର ରୂପରେଖ ତଥା ବିଶ୍ୱ ଦରବାରରେ ଏହାର ପ୍ରାସଙ୍ଗିକତା ନେଇ ମତ ଉପସ୍ଥାପନ କରିଥିଲେ। ଥାଇଲାଣ୍ଡର ପ୍ରଫେସର ଅଜର୍ଣ୍ଣ ସୁଲକ ଶିବରକ୍ଷ କଳିଙ୍ଗ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ନେଇଥିବା ପ୍ରକାଶ କରିବା ସହିତ ଥାଇଲାଣ୍ଡରୁ ବହୁଳ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି ବୌଦ୍ଧ କୀର୍ତିରାଜି ଦେଖିବା ନିମନ୍ତେ ସେ ପ୍ରୟାସ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀଲଙ୍କାର ବୌଦ୍ଧ ଶାସନ ମନ୍ତ୍ରୀ ଗାମିନୀ ଜୟବିକ୍ରମା ପେରେରା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଅଧିକ ମଜଭୁତ୍‌ କରିବା ପାଇଁ ଏହିଭଳି ସମ୍ମିଳନୀ ଶ୍ରୀଲଙ୍କାରେ ଆୟୋଜନ କରିବା ନେଇ ମତ ଦେଇଥିଲେ। ଆଞ୍ଚଳିକ ସଂଯୋଗୀକରଣ, ପର୍ଯ୍ୟଟନ, ସଂସ୍କୃତି, ବୌଦ୍ଧଧର୍ମ, ଅର୍ଥନୈତିକ ସହଭାଗୀତା, ନୌବାଣିଜ୍ୟ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ, ଶକ୍ତି ସହଭାଗୀତା ଏବଂ ମହିଳା, ଯୁବକ ଏବଂ ସିଭିଲ ସୋସାଇଟିର ସଂଯୋଗୀକରଣ ଆଦି ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା। ପ୍ରଫେସର ସୋନୁ ତ୍ରିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିଆନ୍‌ ଦେଶ ସମେତ ପୂର୍ବ ଭାରତକୁ ସଂଯୋଗ କରୁଥିବା ଦେଶଗୁଡ଼ିକରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ଧର୍ମେନ୍ଦ୍ର ଅନୁପସ୍ଥିତ, ଦର୍ଶକଙ୍କ ଗହଣରେ ଭର୍ତୃହରି

କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ଫାଉଣ୍ଡେସନ୍‌ (କେଆଇଏଫ)ର ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ତିନି ଦିନିଆ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବା ନେଇ ପୂର୍ବରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଆଜି ଶ୍ରୀ ପ୍ରଧାନ ପୂର୍ବାଶାର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ପାରି ନଥିଲେ। କାର୍ଯ୍ୟବ୍ୟସ୍ତତା କାରଣରୁ ସେ ଯୋଗ ଦେଇ ନଥିବା କୁହାଯାଉଛି। ସେହିଭଳି ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତାଙ୍କ ପକ୍ଷରୁ ବରିଷ୍ଠ ସାଂସଦ ଭର୍ତୃହରି ମହତାବ ଉଦ୍‌ଯାପନୀ ସଭାର ମଞ୍ଚରେ ରହିବେ ବୋଲି ସ୍ଥିର ହୋଇଥିଲା। ସଭାରେ ଉପସ୍ଥିତ ଥିଲେ ହେଁ ଶ୍ରୀ ମହତାବ କିନ୍ତୁ ମଞ୍ଚରେ ନ ବସି ଦର୍ଶକଙ୍କ ମେଳରେ ବସିଥିଲେ। କେଉଁ କାରଣରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ଓ ସାଂସଦ ଶ୍ରୀ ମହତାବ ମଞ୍ଚ ତଳେ ବସି ରହିଲେ, ସେ ନେଇ ନାନା ଚର୍ଚା ଚାଲିଛି।

ସମ୍ବନ୍ଧିତ ଖବର