ଭୁବନେଶ୍ବର: ପୂର୍ବ ଘୋଷଣା ମୁତାବକ ଭୁବନେଶ୍ୱର-ସିଏସଏମଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ (୧୧୦୨୦/୧୧୦୧୯), ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ (୧୭୦୧୫/୧୭୦୧୬) ଓ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍ (୨୨୮୧୯/୨୨୮୨୦) ଆଜି ଭୁବନେଶ୍ୱର ନୂତନ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି। କୋଣାର୍କ ଏକ୍ସପ୍ରେସ୍ ଅପରାହ୍ଣ ୨ଟା ୪୦ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡ଼ିଥିଲା। ଅପରାହ୍ନ ୨ଟା ୪୮ରେ ମଞ୍ଚେଶ୍ୱର ଷ୍ଟେସନରେ ଦୁଇ ମିନିଟ୍ ରହଣି ପରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲା। ଅପରାହ୍ନ ୩ଟାରେ ମୁଖ୍ୟ ଷ୍ଟେସନରେ ପହଞ୍ଚି ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି।
ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ପୂର୍ବାହ୍ନ ୮ଟାରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡ଼ିଥିଲା। ଏହି ଟ୍ରେନଟି ପୂର୍ବାହ୍ନ ୮ଟା ୮ରେ ମଞ୍ଚେଶ୍ୱରରେ ପହଞ୍ଚି ଦୁଇ ମିନିଟ୍ ରହଣି ପରେ ମୁଖ୍ୟ ଷ୍ଟେସନକୁ ଯାଇଥିଲା। ପୂର୍ବାହ୍ନ ୮ଟା ୨୦ରେ ମୁଖ୍ୟ ଷ୍ଟେସନରେ ପହଞ୍ଚି ଧାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୮ଟା ୪୦ରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି। ଏହାବ୍ୟତୀତ ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ସକାଳ ୭ଟା ୧୫ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନଟି ସକାଳ ୭ଟା ୧୮ରେ ମଞ୍ଚେଶ୍ୱରରେ ଏବଂ ୭ଟା ୨୫ରେ ମୁଖ୍ୟ ଷ୍ଟେସନରେ ପହଞ୍ଚିଥିଲା। ଏହାପରେ ଟ୍ରେନଟି ପୂର୍ବ ନିର୍ଦ୍ଧାରିତ ସମୟରେ ସକାଳ ୭ଟା ୪୫ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି। ଏହି ଟ୍ରେନ୍ ସେବା ଦ୍ବାରା ଉତ୍ତର ଭୁବନେଶ୍ୱର ସମେତ କଟକ ଓ ଆଠଗଡ଼ ଅଞ୍ଚଳର ବହୁ ଲୋକ ଉପକୃତ ହେବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।