ଚାକିରି କରାଇଦେବା ଆଳରେ ଠକେଇ: ରାଜଧାନୀରୁ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ବେଙ୍ଗାଲୁରୁ ପୁଲିସ

ଚନ୍ଦ୍ରଶେଖରପୁର : ବେକାର ଯୁବକ/ଯୁବତୀଙ୍କୁ ଏକ ସଫ୍ଟୱେର୍‌ କମ୍ପାନିରେ ଚାକିରି କରାଇଦେବା ଆଳରେ କୋଟି କୋଟି ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଶନିବାର ଦିନ ବେଙ୍ଗାଲୁରୁ ପୁଲିସ ରାଜଧାନୀରୁ ଠାବ କରିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ସହାୟତାରେ ବେଙ୍ଗାଲୁରୁ ପୁଲିସ ଏହି ଗ୍ୟାଙ୍ଗର୍‌ ୩ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦାର ଅଭିଷେକ ମହାନ୍ତି(୨୨) ଓ ଶୈଳଶ୍ରୀବିହାରର କାଳୀପ୍ରସାଦ ରଥ(୩୬) ଏବଂ ମହାରାଷ୍ଟ୍ର ପୁଣେର ଅଭିଜିତ୍ ଅରୁଣ ନେଟାକେ(୩୩)। ଏହି ୩ ଅଭିଯୁକ୍ତ ବେଙ୍ଗାଲୁରୁ ପୁଲିସର ମୋଷ୍ଟ‌ୱାଣ୍ଟେଡ୍‌ ତାଲିକାରେ ଥିଲେ। ବେଙ୍ଗାଲୁରୁରେ ଠକେଇ କରିବା ପରେ ସେମାନେ ଭୁବନେଶ୍ବରକୁ ଚାଲି ଆସିଥିଲେ। ଏଠାରେ ନୀଳାଦ୍ରିବିହାର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ରେ ଏକ ପାର୍ସଲ ସଂସ୍ଥା ଖୋଲି ବ୍ୟବସାୟ ଚଲାଇଥିଲେ। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ବେଙ୍ଗାଲୁରୁ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ବେଙ୍ଗାଲୁରୁ ନେବ ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ, ଏହି ୩ ଅଭିଯୁକ୍ତ ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ ସଫ୍ଟୱେର୍‌ କମ୍ପାନିରେ କାମ କରୁଥିଲେ। ସେମାନେ ସେହି ସଂସ୍ଥାରେ ‌ଚାକିରି କରାଇଦେବା ଆଳରେ ପ୍ରାୟ ୭୦ ଜଣଙ୍କଠାରୁ ମୁଣ୍ଡପିଛା ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ଏହା ପରେ ସେମାନେ ଫେରାର୍‌ ହୋଇ ଓଡ଼ିଶା ପଳାଇ ଆସିଥିଲେ। ତେଣୁ ପ୍ରାୟ ୨୦ରୁ ଅଧିକ ଯୁବକ ଯୁବତୀ ସମ୍ପିଗେହେଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ଓଡ଼ିଶାରେ ଆତ୍ମଗୋପନ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ସେଠାକାର ଏକ ପୁଲିସ୍‌ ଟିମ୍‌ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲା।

ଅଭିଯୁକ୍ତମାନଙ୍କ ଲୋକେସନ୍ ଟ୍ରାକ୍‌ରୁ ଜଣାପଡ଼ିଥିଲା ଯେ ସେମାନେ ନୀଳାଦ୍ରିବିହାର ଡିଷ୍ଟ୍ରିକ୍ଟ ସେଣ୍ଟରଠାରେ ଥିବା ଏକ କୋଠ‌ାରେ କାର୍ଯ୍ୟାଳୟ ଖୋଲିଛନ୍ତି। ତେଣୁ ଆଜି ସକାଳୁ ଚନ୍ଦ୍ରଶେଖରପୁର ପୁଲିସ ସହାୟତାରେ ବେଙ୍ଗାଲୁରୁ ପୁଲିସ୍‌ ସେଠାରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର