ଭୁବନେଶ୍ୱର: ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଡେଙ୍ଗୁ ମଶା ବଂଶ ବୃଦ୍ଧିର ଅନ୍ୟତମ ଉତ୍ସ ରାଜଧାନୀର ନଳାଗୁଡ଼ିକର ଅବସ୍ଥା କ’ଣ ଅଛି, କାହା ପାଖରେ ତା’ର ସ୍ପଷ୍ଟ ଚିତ୍ର ନାହିଁ। ସବୁ ଯେମିତି କାଗଜପତ୍ରରେ ଚାଲିଛି। ଏନେଇ ଆଜି ବିଏମ୍‌ସି ଅଫିସ୍‌ରେ ନେତୃତ୍ବରେ ଅନୁଷ୍ଠିତ ବୈଠକରେ କମିସନର୍‌ ବିଜୟ ଅମୃତା କୁଲାଙ୍ଗେ କର୍ମଚାରୀଙ୍କୁ ତିନି ଘଣ୍ଟା ଧରି ତନାଘନା କରିଛନ୍ତି। ୱାର୍ଡ ଅଫିସର୍‌, ସାନିଟାରି ଇନ୍ସପେକ୍ଟର, ସଫେଇ ଏଜେନ୍‌ସି ଓ ପରିମଳ ବ୍ୟବସ୍ଥାରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଅଡ଼ୁଆ ପ୍ରଶ୍ନରେ ଘେରିଛନ୍ତି। କାହା ୱାର୍ଡରେ କେତେ ନାଳ ଅଛି, କେଉଁଠି କେତେ ନାଳ ସଂପୂର୍ଣ୍ଣ ସଫା ହୋଇଛି, ଦିନକୁ କେତେଥର କ୍ଷେତ୍ର ପରିଦର୍ଶନ ହେଉଛି, ମଶାବଂଶ ବୃଦ୍ଧି ହେବା ଭଳି କେତେ ଜାଗା ଅଛି, କେଉଁଠାରେ ନିୟମିତ ପାଣି ଜମୁଛି, କେଉଁ କେଉଁ ସ୍ଥାନରେ ମଶାଧୂଆଁ ଦିଆଯାଇଛି, ଆଉ କେତେ ବାକି ଅଛି, କେତେ ଜାଗାରେ ମଶା ତେଲ ସ୍ପ୍ରେ’ ହୋଇଛି ଆଦି ପ୍ରଶ୍ନ କରି କର୍ମଚାରୀଙ୍କୁ ଉତ୍ତର ମାଗିଛନ୍ତି। ଅଧିକାଂଶ କର୍ମଚାରୀଙ୍କ ପାଖରେ ଏ ବାବଦରେ ତଥ୍ୟ ନଥିବାରୁ ବୈଠକରେ ସେମାନେ ଥଙ୍ଗମଙ୍ଗ ହୋଇଥିଲେ। ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କେତେକ ୱାର୍ଡ ଅଫିସର୍‌ ସଦ୍ୟ ବଦଳି ହୋଇ ଆସିଥିବାରୁ ସମ୍ପୃକ୍ତ ୱାର୍ଡ ବାବଦରେ ତଥ୍ୟ ପାଇ ନଥିବା କହିଥିଲେ।

Advertisment

ଏହାକୁ ନେଇ କମିସନର କର୍ମଚାରୀଙ୍କ ଉପରେ ବର୍ଷିବା ସହ ପ୍ରତି ୱାର୍ଡର ସାନିଟାରି ଇନ୍ସପେକ୍ଟର ଓ ୱାର୍ଡ ଅଫିସର ଚାଲିଚାଲି ଡ୍ରେନ ଓ ମଶା ଉତ୍ସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ସମୟରେ ଏଜେନ୍‌ସିଗୁଡ଼ିକ ନାଳରୁ ପଙ୍କ ଉଦ୍ଧାର କରି ସେଠାରେ ଗଦାଇ ଦେଉଥିବାରୁ ବର୍ଷା ହେଲେ ତାହା ପୁଣି ନାଳରେ ପଶି ଯାଉଛି। ତେଣୁ ପଙ୍କ ଉଦ୍ଧାର ପରେ ତାହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ସବୁ ଏଜେନ୍ସିଙ୍କୁ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ଅଳିଆ ଜମିଥିଲେ ବା ପଙ୍କୋଦ୍ଧାର ହୋଇନଥିଲେ, ଫଟୋ ଉଠାଇ ସଂପୃକ୍ତ ଏଜେନ୍ସିଙ୍କୁ ଜଣାଇବେ। କାମ ନହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଙ୍କୋଦ୍ଧାର ସହ ପଙ୍କକୁ ତୁରନ୍ତ ସ୍ଥାନାନ୍ତର, ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ଓ ବ୍ୟାରିକେଡ୍‌ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି।
ବୈଠକରେ ସଚେତନତା ସୃଷ୍ଟି କରିବା ସହ ସାମୂହିକ ସଫେଇ ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ଯୋଜନା ହୋଇଛି। ପ୍ରତି ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରାଇବାକୁ କୁହାଯାଇଛି। ବିଏମ୍‌ସିର ଅଧିକାରୀ ବିଦ୍ୟାଳୟକୁ ଯାଇ ଟାୟାର, ଡବା, ପାତ୍ର ଓ ସମ୍ବେଦନଶୀଳ ସ୍ଥାନ ଇତ୍ୟାଦି ଦେଖାଇ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଲେ, ସେମାନେ ପରିବାରଲୋକଙ୍କୁ ସଚେତନ କରିପାରିବେ।

ବିଶେଷକରି ଡେଙ୍ଗୁ ପ୍ରତିରୋଧ ଉପାୟ, ବର୍ଜ୍ୟ ପୃଥକୀକରଣର ଆବଶ୍ୟକତା ଓ ଉପକାରିତା ଏବଂ ନିଜ ଘର ଓ ଅନୁଷ୍ଠାନର ୫ ମିଟର ପର୍ଯ୍ୟନ୍ତ ପରିସରକୁ ସଫା ରଖିବା ବାବଦରେ ସଚେତନ କରାଇବାକୁ କୁହାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ମେୟର, ଡେପୁଟି ମେୟର ଓ କର୍ପୋରେଟରମାନେ ସାମିଲ ହେବାକୁ ଅନୁରୋଧ କରାଯିବ। ବିଏମ୍‌ସି ମୁଖ୍ୟାଳୟ ଏକାମ୍ର ହଲ୍‌ରେ ବସିଥିବା ଏହି ବୈଠକରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ ଓ ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର(ପରିମଳ) ମନୋରଂଜନ ସାହୁଙ୍କ ସମେତ ପରିମଳ କାର୍ଯ୍ୟରେ ଲିପ୍ତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ନାଳରେ ଛଡ଼ା ହେବେ ଗମ୍ବୁସିଆ ମାଛ

ଭୁବନେଶ୍ୱର: ଡେଙ୍ଗୁକୁ ନେଇ ବିଏମ୍‌ସିର ତତ୍ପରତା ଯେତିକି ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା ସେହି ପରିମାଣରେ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି। ଆଜି ସୁଦ୍ଧା ଗୁରୁତର ଅବସ୍ଥାରେ ୫୪ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ସେଥିରୁ ୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଆଜି ବି ୪ ଜଣ ହସ୍‌ପିଟାଲ୍‌ରେ ଅଛନ୍ତି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ନୂଆପଲ୍ଲୀ, ଜୟଦେବ ବିହାର, ସାଲିଆସାହି, ସିଆରପି, ସୁନ୍ଦରପଦା, ପୁରୁଣା ଭୁବନେଶ୍ବର, ପୋଖରିପୁଟ୍‌ରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀ ବିହାରରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଣୁ ଏହି ଅଞ୍ଚଳକୁ ବିଏମ୍‌ସି ଗୁରୁତ୍ବ ଦେଇଛି। ସଚେତନତା, ମଶା ଉତ୍ସ ନଷ୍ଟ, ମଶା ଧୂଆଁ ପ୍ରଭୃତି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ଗତ ବର୍ଷ ଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଥର ପ୍ରାକୃତିକ ଉପାୟରେ ମଶାଙ୍କ ଲାର୍ଭା ମାରିବା ପାଇଁ ଯୋଜନା ହୋଇଛି। ଡ୍ରେନ୍‌ ସହ ବିଭିନ୍ନ ଜଳ ଉତ୍ସରେ ମଶା ଲାର୍ଭା ଖିଆ ‘ଗାମ୍ବୁସିଆ’ ମାଛ ଛାଡିବାକୁ ଯୋଜନା ହୋଇଛି। ଚଳିତବର୍ଷ ଶେଷ ସୁଦ୍ଧା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ମାଛ ଉତ୍ପାଦନ କରିବା ପାଇଁ ‌ଯୋଜନା କରାଯାଇଥିବା ଜଣାପଡ଼ିଛି।