ରାଜଧାନୀରେ ହେବ ୩ ଇନ୍‌ଡୋର୍‌ ଷ୍ଟାଡିୟମ୍‌, ଖର୍ଚ୍ଚ ହେବ ୨୮କୋଟି ୬୫ଲକ୍ଷ

ପୌର ନିର୍ବାଚନ ଉପରେ ଆଖି, ବିଜେଡି ଶିବିର ଚଳଚଞ୍ଚଳ
ସମର୍ଥକଙ୍କୁ ଏକାଠି କରି ବିଜୟ ଉତ୍ସବ ପାଳିଲେ ୩ ବିଧାୟକ
ଅଲିମ୍ପିକ୍ସ ହକିରେ ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେ

ଭୁବନେଶ୍ବର : ପୌର ନିର୍ବାଚନ ମନସ୍କ ହେବାରେ ଲାଗିଛି ଭୁବନେଶ୍ବର। ଏ ପର୍ଯ୍ୟନ୍ତ ନିର୍ବାଚନ ବିଗୁଲ ବାଜି ନ ଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି। ସହରର ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀମାନେ ଶାସକ ଦଳଙ୍କୁ ଘେରୁଛନ୍ତି। ଆଉ ଶାସକ ଦଳ ବି ପଛରେ ପଡ଼ିନି। ଗୋଟିଏ ପରେ ଗୋଟିଏ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ପକାଇ ବିରୋଧୀଙ୍କୁ କଡ଼ା ଜବାବ ଦେବାରେ ଲାଗିଛନ୍ତି ସହରର ୩ ଜଣ ଯାକ ଶାସକ ଦଳର ବିଧାୟକ। ଗତ କିଛି ମାସର ସ୍ଥିତିକୁ ଦେଖିଲେ ଭୁବନେଶ୍ବରର ୩ ବିଧାୟକ ନିର୍ବାଚନମଣ୍ଡଳୀରେ ମାଳମାଳ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍‌ଘାଟନରେ ସାମିଲ ହୋଇଛନ୍ତି। ଆଉ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ ନିର୍ମାଣକୁ କ୍ୟାବିନେଟ୍‌ ମୋହର ପରେ ରାଜଧାନୀର ୩ ନିର୍ବାଚନ ମଣ୍ଡଳୀ ଭାଗରେ ୩ଟି ଷ୍ଟାଡିୟମ୍‌ ପଡ଼ିବ ବୋଲି ସ୍ପଷ୍ଟ ହୋଇଥିବାରୁ ରାଜନୈତିକ ଉଷ୍ମତା ଆହୁରି ବଢ଼ିଯାଇଛି। ପୂର୍ବତନ କର୍ପୋରେଟରଙ୍କ ସମେତ ଆଶାୟୀ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ବିଧାୟକମାନେ ଅଲିମ୍ପିକ୍ସ ହକି ବିଜୟ ଉତ୍ସବ ପାଳିବା ସହ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସାରେ ପୋତି ପକାଇଛନ୍ତି। ଯେଉଁଥିରୁ ପୌର ନିର୍ବାଚନର ବାସ୍ନା ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ସୂଚନା ଅନୁଯାୟୀ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ପଟିଆ-ଇନ୍‌ଫୋସିଟି ରାସ୍ତାର ଓଡିଏମ୍‌ ସ୍କୁଲ ନିକଟରେ ଖାଲିଥିବା ପ୍ରାୟ ୨ ଏକର ପରିମିତ ଜମିରେ ଇନ୍‌ଡୋର ଷ୍ଟାଡିୟମ୍‌ ନିର୍ମାଣ କରାଯିବ। ସେହିପରି ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ପୋଖରୀପୁଟ ଓ ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀର ନୟାପଲ୍ଲୀଠାରେ ଷ୍ଟାଡିୟମ୍‌ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ପ୍ରତି ଷ୍ଟାଡିୟମ୍ ପିଛା ଖର୍ଚ୍ଚ ହେବ ୯ କୋଟି ୫୫ ଲକ୍ଷ ଟଙ୍କା। ଦେଢ଼ ବର୍ଷ ମଧ୍ୟରେ ଶେଷ ହେବାକୁ ଥିବା ଏହି ଷ୍ଟାଡିୟମ୍‌ଗୁଡ଼ିକ ପାଇଁ ମୋଟ ୨୮ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆଗକୁ ପୌର ନିର୍ବାଚନ ହେବାକୁ ଥିବାବେଳେ ଏଭଳି ମହାତ୍ତ୍ବାକାଂକ୍ଷୀ ପ୍ରକଳ୍ପ ହାତକୁ ନେଇ ଭୋଟରଙ୍କ ମନ ଜିଣିବାକୁ ଶାସକ ଦଳ ଉଦ୍ୟମ କରିଛି। ଏହା ମାଧ୍ୟମରେ ଯୁବଗୋଷ୍ଠୀଙ୍କ ଭୋଟ ହାତେଇବାକୁ ଦଳ ଲକ୍ଷ୍ୟ ରଖିଛି; ଯାହାକି ଆଜିର ୩ଟି କାର୍ଯ୍ୟକ୍ରମକୁ ଦେଖିଲେ ଜଣାପଡ଼ି ଯାଉଛି। ତିନି ବିଧାୟକ ନିଜନିଜ ନିର୍ବାଚନ ମଣ୍ଡଳୀରେ ୱାର୍ଡସ୍ତରୀୟ ନେତାଙ୍କ ସମେତ ଶତାଧିକ ଯୁବକଙ୍କୁ ଏକାଠି କରି ଏହି କାର୍ଯ୍ୟକ୍ରମ କରିଛନ୍ତି। ଅଲମ୍ପିକ୍‌ କ୍ରୀଡ଼ାରେ ଭାରତର ସଫଳତା ଓ ହକିକୁ ପୃଷ୍ଠପୋଷକ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି; ଇନ୍‌ଡୋର୍ ଷ୍ଟାଡିୟମ୍‌ ନିର୍ମାଣ ଲାଗି ଯେଉଁ ୩ଟି ସ୍ଥାନ ଚିହ୍ନଟ ହୋଇଛି ତାହା ନିର୍ବାଚନ ମଣ୍ଡଳୀର ମଧ୍ୟ ଭାଗରେ ଅବସ୍ଥିତ। ଯେପରିକି ନିର୍ବାଚନମଣ୍ଡଳୀର ସମସ୍ତ ଲୋକଙ୍କ ପାଇଁ ସୁବିଧା ହେବ। ସମସ୍ତେ ଏଠାକୁ ସହଜରେ ଆସିବା ସହ ବିପଦ ସମୟରେ ବି ଷ୍ଟାଡିୟମ୍‌କୁ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରିପାରିବେ। ସମସ୍ତ ଷ୍ଟାଡିୟମ୍‌ରେ ବ୍ୟାଡ୍‌ମିଣ୍ଟନ, ଟେବୁଲ୍‌ ଟେନିସ୍‌, ଜିମ୍ନାସିୟମ୍‌, ଯୋଗ ଓ ଚେସ୍‌ ସମେତ ସ୍ଥାନୀୟ ଅଞ୍ଚଳର ଲୋକପ୍ରିୟ କ୍ରୀଡ଼ା ଆୟୋଜନ ହେବ। ଏହାଦ୍ବାରା ଇନ୍‌ଡୋର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳିବ। ହକି ଭଳି ଅନ୍ୟ କ୍ରୀଡ଼ାରେ ବି ସଫଳ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇପାରିବେ। ଏହି ଷ୍ଟାଡିୟମ୍‌ କ୍ରୀଡ଼ା ପାଇଁ ବ୍ୟବହାର ହେବା ସହ ଆବଶ୍ୟକ ସ୍ଥଳେ ପ୍ରାକୃତିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ, କରୋନା ଭଳି ମହାମାରୀ ସମୟରେ ହସ୍ପିଟାଲ, ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସଭା ସମିତି, ପରୀକ୍ଷା ପରିଚାଳନା ନିମନ୍ତେ ମଧ୍ୟ ବ୍ୟବହାର କରାଯାଇପାରିବ।

ପୋଖରୀପୁଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଛନ୍ତି; ରାଜ୍ୟ ସରକାର କ୍ରୀଡ଼ାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏବେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ୨୦୨୩ରେ ପୁରୁଷ ବିଶ୍ବକପ୍ ହକି ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜନ କରାଯିବ। ଏଥିପାଇଁ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ରାଉରକେଲାରେ ନିର୍ମାଣ ହେଉଛି। ପୋଖରୀପୁଟରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ ଆମ ଯୁବଗୋଷ୍ଠୀଙ୍କୁ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ହାସଲ କରିବାରେ ସହାୟକ ହେବ। ଇନ୍‌ଫୋସିଟି ରୋଡ୍‌ରେ ଥିବା ଡଲ୍‌ଫିନ୍‌ ଡାର୍ଗେନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ଯେ ୨୦୧୮ରେ ହକି ବିଶ୍ବକପ୍‌ ଆୟୋଜନ କରିବା ସହ ବିଭିନ୍ନ ସମୟରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ବର ଏବେ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ୨୦୨୩ରେ ପୁଣିଥରେ ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଯାଉଛି। ତା’ପୂର୍ବରୁ କ୍ରୀଡ଼ାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଇନ୍‌ଡୋର୍ ଷ୍ଟାଡିୟମ୍‌ ନିର୍ମାଣ ଏକ ଯୁଗାନ୍ତକାରୀ ପଦକ୍ଷେପ।

ସେହିପରି ନୂଆପଲ୍ଲୀ ସୟଦ ମୁମ୍‌ତାଜ୍‌ ଅଲ୍ଲୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ରାଜଧାନୀରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହାର ପ୍ରମାଣ ସ୍ବରୂପ ଏକ ଇନ୍‌ଡୋର ଷ୍ଟାଡିୟମ ନୂଆପଲ୍ଲୀରେ ନିର୍ମାଣ ହେବାକୁ ଯାଉଛି। ଏହି ଅଞ୍ଚଳରେ ଥିବା ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ଏହା ଏକ ଖୁସି ଖବର। ଏଠାରୁ ଅଭ୍ୟାସ କରି ଆମ ଖେଳାଳିମାନେ ଦେଶ ବିଦେଶ‌ରେ ନାଁ ରଖିବେ। ଦେଢ଼ ବର୍ଷ ମଧ୍ୟରେ ଏହି ଷ୍ଟାଡିୟମ ନିର୍ମାଣ ଶେଷ ହେବ। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ନବକିଶୋର ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର