ଜରି ଗୋଟାଇବା ବାହାନାରେ ଘର ଚିହ୍ନଟ କରୁଥିଲେ : ୭ମାସ ପରେ ଧରାପଡ଼ିଲେ ୩ ଲୁଟେରା

ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ସକାଳୁ ବିଭିନ୍ନ ଅଞ୍ଚଳରୁ ଜରି ଗୋଟାଇଥାନ୍ତି। ତାଲା ପଡ଼ିଥିବା ଘରକୁ ଲକ୍ଷ୍ୟ ରଖିଥାନ୍ତି। ସଂଧ୍ୟାରେ ଆସି ସେହି ଘରକୁ ପରଖି ନିଅନ୍ତି। ରାତି ଅଧରେ ତାଲା ଭାଙ୍ଗି ଘରେ ପଶି କଳାକନା ବୁଲାଇଥାନ୍ତି। ଏଭଳି ଏକ ଗ୍ୟାଙ୍ଗକୁ କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍‌ କାବୁ କରିଛି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲ୍ଲା ପାରାଦ୍ବୀପ ବଡ଼ପଡ଼ିଆ ହାଟର କାହ୍ନା ଦାସ, ଯାଜପୁର ରଗଡ଼ିର ଶଙ୍କର ଅଜୁର୍ନ ରାଓ ଓ ୟୁନିଟ୍ ୩ ଖାରବେଳନଗର ଅଞ୍ଚଳର ଶଙ୍କର ଦାସ। ସମସ୍ତେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ନିକଟରେ ଥିବା ଆଖଣ୍ଡଳମଣୀ ବସ୍ତିରେ ଆତ୍ମଗୋପନ କରିଥିଲେ। ପୁଲିସ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିାଯାଇଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ସାତ ମାସ ପୂର୍ବେ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରର ସମୀର କୁମାର ରାୟଙ୍କ ଘରୁ ଲୁଟ୍ ହୋଇଥିଲା। ଏ ନେଇ ସମୀର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ଏଭଳି ଚୋରି ବୃଦ୍ଧି ପାଇବା ପରେ ଡିସିପି ଅନୁପ ସାହୁ ଘଟଣାର ତଦନ୍ତ କରିବାକୁ ସ୍ପେସାଲ ସ୍କ୍ବାଡ୍‌କୁ ନିର୍ଦେଶ ଦେଇଥିଲେ। ସ୍ପେସାଲ ସ୍କ୍ବାଡ ଏସିପି ସଂଜୀବ ଶତପଥୀ ଓ ତାଙ୍କ ଟିମ୍‌ ଘଟଣାର ଛାନଭିନ ଆରମ୍ଭ କରିଥିଲେ। ସମୀରଙ୍କ ଘର ନିକଟରେ ଥିବା ସିସିଟିଭିରେ ଲୁଟେରାମାନଙ୍କ ଛବି ରହିଥିଲା। ଯାହାକୁ ଆଧାର କରି ପୁଲିସ୍ ସେମାନଙ୍କୁ ଖୋଜାଖୋଜି କରୁଥିଲା। ଶୁକ୍ରବାର ସେମାନେ ବାଣୀବିହାର ନିକଟରେ ବୁଲାବୁଲି କରୁଥିବା ଖବର ପାଇ ପୁଲିସ୍ ବସ୍ତିରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା କରିବା ପରେ ୟୁନିଟ୍ ୩ ଅଞ୍ଚଳରେ ଥିବା ଏକ ବସ୍ତିରେ ଲୁଚାଇଥିବା ଚୋରି ସାମଗ୍ରୀ ରୁପା ଥାଳି, ଅଳଙ୍କାର, ସୁନା ଚୁଡ଼ି(୬), ମଙ୍ଗଳସୂତ୍ର, କାନଫୁଲ, ଚେନ୍(୨), ମୁଦି, ଏଲ୍ଇଡି ଟିଭି(୩), ଭିଡିଓ କ୍ୟାମେରା, ମୋବାଇଲ୍ ଫୋନ୍(୨) ଓ ଗୋଟିଏ ବାଇକ୍ ଜବତ କରିଥିଲା। ଏମାନଙ୍କ ନାମରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୫ଟି ଲୁଟ୍ ଅଭିଯୋଗ ରହିଛି। ଏହା ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ଛିନ୍‌ତାଇ ଓ ରହାଜାନିରେ ସାମିଲ ଥିବା ପୁଲିସ୍‌କୁ ଜେରା ବେଳେ କହିଛନ୍ତି।

ସମ୍ବନ୍ଧିତ ଖବର