୩ ଲୁଟେରା ଗିରଫ, ​୭ ବାଇକ୍, ୧୧ ମୋବାଇଲ୍ ଜବତ

ଭୁବନେଶ୍ବର, :ଦ୍ବୈତନଗରୀର କୁଖ୍ୟାତ୍ ଲୁଟେରା ଗ୍ୟାଙ୍ଗ୍ ହାପି, ନେପୁ ଓ ବାପୁନିକୁ ଗିରଫ କରିଛି ଖଣ୍ଡଗିରି ପୁଲିସ। ଛିନ୍‌ତାଇଠୁ ଆରମ୍ଭ କରି କାର୍, ବାଇକ୍ ଲୁଟିବାରେ ମାହିର ଏହି ଗ୍ୟାଙ୍ଗ୍ ଗତ କିଛି ମାସ ଧରି କମିସନରେଟ୍ ପୁଲିସ ଇଲାକା ସମେତ ଗଂଜାମ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ। ରାଜରାସ୍ତାରୁ ଲୋକଙ୍କ ପାଖରୁ ସୁନାଚେନ୍ ଝାମ୍ପିବା ସହିତ ଘର ବାହାରେ ପାର୍କିଂ ହେଉଥିବା ବାଇକ୍‌କୁ ଲୁଟ୍ କରୁଥିଲା।

ତେବେ ଏକାଧିକ ଆପରାଧିକ ମାମଲାରେ ଛନ୍ଦି ହୋଇ ଗିରଫ ହେବା ପରେ ଗତ କିଛି ମାସ ତଳେ ହାପି ଓ ତା’ର ସହଯୋଗୀ ଜାମିନ୍‌ରେ ଆସିଥିଲେ। ଖଣ୍ଡଗିରି ବରବାରି ଅଞ୍ଚଳରୁ ଗତ ୨୯ ଜୁନ୍‌ରେ ସ୍ଥାନୀୟ ଅଞ୍ଚଳର ବାପୁନି ଓରଫ୍ ବିକାଶ ରାୟ(୨୪) ଏକ ବାଇକ୍ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ପୁଲିସ୍ ବିକାଶ ସମେତ ଅନ୍ୟ ଦୁଇ କୁଖ୍ୟାତ ଲୁଟେରା କଟକ ସିଡିଏ ସେକ୍ଟର-୮ର ହାପି ଓରଫ୍ କାର୍ତ୍ତିକ ପ୍ରକାଶ(୨୮) ଓ କୋଳଥିଆର ସାଗର ପୁନ ଓରଫ୍ ନେପୁକୁ ଗିରଫ କରିଛି।

ପୁଲିସ୍ ଏହି ଲୁଟିଆ ଗ୍ୟାଙ୍ଗ୍ ପାଖରୁ ୭ ବାଇକ୍ ଓ ୧୧ଟି ସ୍ମାର୍ଟଫୋନ୍ ଜବତ କରିଛି। ନକଲି ଚାବିକାଠି ମାଧ୍ୟମରେ ବାଇକ୍ ଲୁଟୁଥିବା ବେଳେ ଏକୁଟିଆ ଯାଉଥିବା ବ୍ୟକ୍ତି ବିଶେଷକରି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପୁଥିଲା ଏହି ଲୁଟେରା ଗ୍ୟାଙ୍ଗ୍। ଗ୍ୟାଙ୍ଗ୍‌ର ଆଉ କିଛି ଲୁଟେରା ଏବେ ବି ଫେରାର୍ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର