ଭୁବନେଶ୍ବର, ୨୦।୧୦(ଇମିସ): କୁଖ୍ୟାତ ମୋବାଇଲ୍ ଲୁଟେରା ନେପୁ ଓ ତା’ର ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଚୋରା ବାଇକ୍ରେ ଆଇଗିଣିଆ ଫ୍ଲାଏଓଭର୍ରୁ ଲୁଟ୍ କରି ଫେରାର୍ ହେଉଥିବା ବେଳେ ଖଣ୍ଡଗିରି ପୁଲିସ ସୂଚନା ପାଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା। ୩ ଲୁଟେରା ହେଲେ, ଫୁଲେଶ୍ବରୀ ବସ୍ତିର ସାଗର ପୁନ(୨୬) ଓରଫ ନେପୁ, ଆଇଗିଣିଆ ରାଜୀବ ନଗରର ଦୀପ୍ତି ରଂଜନ(୧୯) ଓରଫ ଚାମ୍ବ ଓ ଆଳୁଗଦିର ସୋମନାଥ ସାହୁ(୨୩)। ନେପୁ ଗ୍ୟାଙ୍ଗ ପାଖରୁ ପୁଲିସ ୫୧ଟି ମୋବାଇଲ୍ ଓ ଗୋଟିଏ ବାଇକ୍ ଜବତ କରିଛି। ଅପରପକ୍ଷରେ ଚୋରି ମୋବାଇଲ୍ର ଇଏମ୍ଆଇ ନମ୍ବରର ତାଲିକା କରି ପୁଲିସ ଏକ ବିଜ୍ଞପ୍ତି ଜାରି କରିଛି। ମୋବାଇଲ୍ ଲୁଟ୍ର ଶିକାର ହୋଇଥିବା ଜନସାଧାରଣଙ୍କୁ ନିଜ ଚୋରି ମୋବାଇଲ୍ର ଇଏମ୍ଆଇ ନମ୍ବର ଦେଖାଇ ଖଣ୍ଡଗିରି ଥାନାରୁ ନେଇଯିବାକୁ ଥାନାଧିକାରୀ କହିଛନ୍ତି।
ଦିନରେ ସର୍ଭିସ ରୋଡ୍ ଓ ରାତିରେ ଆଇଗିଣିଆ ଫ୍ଲାଏଓଭର୍ରେ ଟ୍ରକ୍ ଚାଳକଙ୍କୁ ଟାର୍ଗେଟ୍
ନେପୁ, ଚାମ୍ବ ଓ ସୋମନାଥ ଗତ କିଛିମାସ ହେଲା ଡୁମୁଡୁମାରୁ ସିଆର୍ପି ଅଞ୍ଚଳ ଭିତରେ ବହୁ ବାଇକ୍ ଲୁଟିଥିବା ଜଣାପଡ଼ିଛି। ସେମାନେ ଚୋରି ବାଇକ୍ରେ ଦିନ ସାରା ବୁଲିବୁଲି ମହିଳା, ବରିଷ୍ଠ ନାଗରିକ ଓ ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରି ମୋବାଇଲ୍ ଲୁଟ୍ କରୁଥିଲେ। ଆଉ ରାତି ହେଲେ ଆଇଗିଣିଆ ଫ୍ଲାଏଓଭର୍ରେ ଟ୍ରକ୍ ଚାଳକଙ୍କୁ ଅଟକାଇ ଲୁଟ୍ପାଟ୍ କରୁଥିଲେ। ସେମାନେ ଅନେକ ସମୟରେ ହାଇୱେ ପାଖ ବିଭିନ୍ନ ଢାବା ସମ୍ମୁଖରେ ଛକି ରହନ୍ତି। ଟ୍ରକ୍ ଚାଳକ ଖାଇବା ପାଇଁ ନଚେତ୍ ବିଶ୍ରାମ ନେବା ପାଇଁ ଗାଡ଼ି ଅଟକାଇବା ପରେ ସୁବିଧା ଦେଖି ଲୁଟ୍ପାଟ୍ କରୁଥିବା ସେମାନେ ପୁଲିସ ପାଖରେ ସ୍ବୀକାର କରିଛନ୍ତି।
ସ୍ପେସାଲ୍ ସ୍କ୍ବାଡ୍ ପଞ୍ଝାରେ ତେଲେଙ୍ଗା ଲୁଟେରା ଗ୍ୟାଙ୍ଗ
୫ ଜଣଙ୍କୁ ଚାଲିଛି ମାରାଥନ ଜେରା, ୬୦ ମୋବାଇଲ୍ ଜବତ, ଆହୁରି ମିଳିବଭୁବନେଶ୍ବର : ରାଜଧାନୀରେ ଆତଙ୍କ ଖେଳାଇଥିବା ତେଲେଙ୍ଗା ଲୁଟେରା ଗ୍ୟାଙ୍ଗ ଏବେ ସ୍ପେସାଲ୍ ସ୍କ୍ବାଡ୍ ପଞ୍ଝାରେ। ସ୍ପେସାଲ ସ୍କ୍ବାଡ୍ ଗ୍ୟାଙ୍ଗର ୫ଜଣକୁ କାବୁ କରିଥିବା ବେଳେ ସେମାନଙ୍କ ଠାରୁ ୬୦ରୁ ଊର୍ଧ୍ବ ମୋବାଇଲ୍, ଲ୍ୟାପ୍ଟପ୍, ଟଙ୍କା ଆଦି ଜବତ କରିଛି। ହେଲେ ଲୁଟେରାମାନେ ପୁଲିସକୁ ଚକ୍ମା ଦେବାକୁ ଭିନ୍ନ ତରିକା ଆପଣାଇଛନ୍ତି। କେବଳ ତେଲୁଗୁ ବୁଝୁଥିବା ଆଳ ଦେଖାଇ ସହଯୋଗ କରୁନାହାନ୍ତି। ଯଦିଓ ସେମାନେ ସବୁ ଭାଷା ବୁଝୁଛନ୍ତି; ହେଲେ ନବୁଝିବାର ଅଭିନୟ କରୁଛନ୍ତି। କାଳେ ଜେରା ବେଳେ ସବୁ କଳା କାରନାମା ଖୋଲିଯିବ; ସେଥିପାଇଁ ସେମାନେ ଏପରି ଉପାୟ ଆପଣାଇଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଜେରା ବେଳେ କାହାରି କଥାରେ ତାଳମେଳ ଖାଉ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ଗ୍ୟାଙ୍ଗର ମୁଖ୍ୟ ସମସ୍ତ ଭାଷା ବୁଝୁଥିବା କହି ପୁଲିସକୁ ଅଡ଼ୁଆରେ ପକାଇଛି। ଏହି ଗ୍ୟାଙ୍ଗ୍ ଗତ ୬ମାସରୁ ଊର୍ଧ୍ବ ହେବ ରାଜଧାନୀରେ ସକ୍ରିୟ ଥିଲା। ଏମାନଙ୍କୁ ଧରିବା ପାଇଁ ସ୍ପେସାଲ ସ୍କ୍ବାଡ୍ ଜାଲ ବିଛାଇଥିବା ବେଳେ କାବୁ କରିବାକୁ ନାକେଦମ ହେବାକୁ ପଡ଼ିଛି। ସେମାନଙ୍କ ଠାରୁ ଆହୁରି ମୋବାଇଲ୍, ଲ୍ୟାପଟପ, ଗହଣା ଆଦି ଜିନିଷ ଜବତ କରିବା ଲାଗି ପୁଲିସ ମାରାଥନ ଜେରା କରୁଛି।