ଖଣ୍ଡଗିରି: ଖଣ୍ଡଗିରି ଥାନା ଅନ୍ତର୍ଗତ ଏୟାର୍ପୋର୍ଟ ନୂଆରୋଡ୍ସ୍ଥିତ ଏକ ଡ୍ରେସ୍ ଦୋକାନ ସମ୍ମୁଖରେ ଥିବା ଏକ ବାଇକ୍କୁ ପେଟ୍ରୋଲ ପକାଇ ୩ ଜଣା ନାବାଳକ ଜାଳିଦେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ସିସିଟିଭି ଫୁଟେଜ୍ ଆଧାରରେ ଘଟଣାରେ ସମ୍ପୃକ୍ତ ତିନିଜଣ ନାବାଳକଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଦୋକାନ କର୍ମଚାରୀଙ୍କ ସହିତ ପୂର୍ବରୁ ଶତ୍ରୁତା ଥିଲା। ସୂଚନାଯୋଗ୍ୟ, ଏହି ବାଳ ଅପରାଧୀଙ୍କ ମଧ୍ୟରୁ ଜଣେ ପୂର୍ବରୁ ମଧ୍ୟ ଅପରାଧ ଘଟାଇ କିଶୋର ନ୍ୟାୟ ବୋର୍ଡରେ ହାଜର ହୋଇଥିଲା। ସେଠାରୁ ଫେରି ପୁଣିଥରେ ଅପରାଧ ଘଟାଇଛି।
ଦୋକାନର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକ ପ୍ରାୟ ଦୁଇମାସ ତଳେ ଏହି ଅଞ୍ଚଳର ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ। ଫଳରେ ଯୁବକ ଜଣକ ଜୀବନ ବିକଳରେ ତାଙ୍କ ଦୋକାନରେ ପଶି ଯାଇଥିଲେ।
ଦୋକାନ କର୍ମଚାରୀମାନେ ସେମାନଙ୍କୁ ବୁଝାସୁଝା କରି ଗଣ୍ଡଗୋଳର ସମାଧାନ କରିଥିଲେ। ମାତ୍ର ଏହି ନାବାଳକଜଣକ ଦୋକାନ କର୍ମଚାରୀଙ୍କୁ ବିଭିନ୍ନ ଧମକଚମକ ନେଇ ସେଠାରୁ ଚାଲିଯାଇଥିଲା। ଗତକାଲି ରାତିରେ ଆସି ଦୋକାନ ଜାଳିବା ପାଇଁ ଏକ ବୋତଲରେ ପେଟ୍ରୋଲ ପକାଇଥିଲା। ତା’ ସହ ଥିବା ଅନ୍ୟଜଣେ ନାବାଳକ ଏଥିରେ ନିଆଁ ଲଗାଇଥିଲା। ସୌଭାଗ୍ୟକୁ ଦୋକାନର କୌଣସି କ୍ଷୟକ୍ଷତି ହୋଇନଥିଲା ବେଳେ ଦୋକାନ ସମ୍ମୁଖରେ ଥିବା ବାଇକ୍ଟି ଜଳି ଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ କହିବା ମୁତାବକ, ବାରମ୍ବାର ଅଭିଯୋଗ ସତ୍ତ୍ବେ ପୁଲିସ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୁନାହିଁ। ଅପରାଧୀମାନେ ଜେଲ୍ରୁ ଫେରି ବାରମ୍ବାର ଏଭଳି କାଣ୍ଡ ଘଟାଉଛନ୍ତି। ଜଣେ ବ୍ୟବସାୟୀ କହିଛନ୍ତି ଯେ ନିଶାକାରବାର ଓ ମଦ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି।