ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଆଜି ତିନି ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ତିନି ଅତ୍ୟାଧୁନିକ ଶୌଚାଳୟ ଉଦ୍ଘାଟିତ ହୋଇଯାଇଛି। ସିଆର୍ପି ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ ପରିସରରେ ଏକ ଶୌଚାଳୟକୁ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଏଥିରେ ଡେପୁଟି ମେୟର ମଞ୍ଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟରଙ୍କ ସହ ବହୁ ବରିଷ୍ଠ ନାଗରିକ, ମାର୍କେଟ୍ ଆସୋସିଏସନ୍ର କର୍ମକର୍ତ୍ତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ସେହିପରି ସତ୍ୟନଗରସ୍ଥିତ ତୋଷାଳି ପ୍ଲାଜା ଓ ଉତ୍କଳ ହସ୍ପିଟାଲ ନିକଟରେ ଦୁଇଟି ଶୌଚାଳୟ ଉଦ୍ଘାଟିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ଦାସ, ଡେପୁଟି ମେୟର ଶ୍ରୀମତୀ କହଁର ପ୍ରମୁଖ ଯୋଗ ଦେଇଥିଲେ। ମେୟର ଶ୍ରୀମତୀ ଦାସ କହିଛନ୍ତି, ଦୈନିକ ରାଜ୍ୟ ଓ ରାଜ୍ୟ ବାହାରୁ ଆମ ରାଜଧାନୀକୁ ଆସୁଥିବା ହଜାର ହଜାର ଲୋକ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ବିଏମ୍ସି ଉଦ୍ୟମ ଜାରି ରଖିଛି। ଡେପୁଟି କମିସନର୍ ଏନ. ଗଣେଶ ବାବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସୂଚନାଯୋଗ୍ୟ, ସହରରେ ପରିମଳ ବ୍ୟବସ୍ଥାକୁ ସହଜ ଓ ସୁଗମ କରିବା ପାଇଁ ଏହି ତିନିଟି ସର୍ବସାଧାରଣ ଶୌଚାଳୟକୁ ମିଶାଇ ଏବେ ବିଏମ୍ସି ଅଞ୍ଚଳରେ ମୋଟ ୧୧୧ଟି ସାମୂହିକ ଶୌଚାଳୟ ରହିଛି। ୭୦ଟି ଗୋଷ୍ଠୀ ଶୌଚାଳୟ ଓ ୨୫ଟି ଇ-ଶୌଚାଳୟ ରହିଛି। ସମୁଦାୟ ୧୪୬୫ଟି ସିଟ୍ ରହିଥିବାବେଳେ ପ୍ରତିଦିନ ୫୦ହଜାରରୁ ଅଧିକ ଲୋକ ଶୌଚ ହେବାର ବ୍ୟବସ୍ଥା ହୋଇଛି। ଆଉ କିଛି ଶୌଚାଳୟ ନିର୍ମାଣ କାମ ଜାରି ରହିଛି।