ଭୁବନେଶ୍ବରରୁ ତିନି ନୂଆ ବିମାନର ଉଡ଼ାଣ: ଦିଲ୍ଲୀ ଓ ମୁମ୍ବାଇକୁ ଏୟାର ଏସିଆ, ହାଇଦ୍ରାବାଦକୁ ଇଣ୍ଡିଗୋ

ଭୁବନେଶ୍ବର: କରୋନା ଯୋଗୁଁ ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିଥିବା ବେଳେ ଘରୋଇ ବିମାନ ଉଡ଼ାଣ କରୁଛି। ତାହା ବି ପୂର୍ବ ଭଳି ସ୍ବାଭାବିକ ହୋଇନି। ବହୁ ବିମାନରେ ସିଟ୍‌ ଖାଲି ପଡ଼ୁଛି। ଏହି ସମୟରେ ଭୁବନେଶ୍ବର ବିମାନ ବନ୍ଦରରୁ ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ନୂଆ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ତିନିଟି ଯାକ ନୂଆ ବିମାନକୁ ୱାଟର ସାଲୁଟ୍‌ ଦେଇ ବିମାନବନ୍ଦରକୁ ସ୍ବାଗତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ଦିଲ୍ଲୀ ଓ ମୁମ୍ବାଇକୁ ଏୟାର ଏସିଆ ବିମାନ ସେବା ଆରମ୍ଭ କରିଥିବାବେଳେ ଭୁବନେଶ୍ବରରୁ ହାଇଦ୍ରାବାଦକୁ ଇଣ୍ଡିଗୋ ଆଉ ଏକ ବିମାନ ଉଡ଼ାଣ କରିଛି। ତିନିଟି ଯାକ ବିମାନ ଅଗଷ୍ଟ ୧୫ରୁ ଉଡ଼ାଣ ଆରମ୍ଭ କରିଛନ୍ତି। ଏବେ ଏହି ତିନିଟି ରୁଟରେ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ବିମାନ କମ୍ପାନିଗୁଡ଼ିକ ନୂଆ ସେବା କରିବାକୁ ଆଗ୍ରହ ଦେଖାଇଛନ୍ତି। ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଉଡ଼ାଣ କରିବାକୁ ଥିବା ଏୟାର ଏସିଆ ବିମାନ ଦିଲ୍ଲୀରୁ ସକାଳ ୮ଟା ୧୦ରେ ଉଡ଼ାଣ ଆରମ୍ଭ କରି ଏଠାରେ ପୂର୍ବାହ୍ନ ୧୦ଟା ୨୦ରେ ଅବତରଣ କରିବ। ସେହିପରି ଏହି ବିମାନ ଭୁବନେଶ୍ବରରୁ ପୂର୍ବାହ୍ନ ୧୧ଟାରେ ଉଡ଼ାଣ ଆରମ୍ଭ କରି ଦିଲ୍ଲୀରେ ଅପରାହ୍ନ ୧ଟା ୨୦ରେ ଅବତରଣ କରିବ। ଏହାବାଦ୍ ଭୁବନେଶ୍ବରରୁ ମୁମ୍ବାଇ ମଧ୍ୟରେ ବି ଏୟାର ଏସିଆ ବିମାନ ଉଡ଼ାଣ ଆରମ୍ଭ କରିବ। ମୁମ୍ବାଇରୁ ଏୟାର ଏସିଆ ବିମାନ ପୂର୍ବାହ୍ନ ୯ଟା ୫ରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ବରରେ ପୂର୍ବାହ୍ନ ୧୧ଟା ୩୦ରେ ଅବତରଣ କରିବ। ସେହିପରି ଭୁବନେଶ୍ବରରୁ ଅପରାହ୍ନ ୧୨ଟା ୨୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୫୫ରେ ଅବତରଣ କରିବ। ଏହାସହ ଇଣ୍ଡିଗୋ ପୂର୍ବରୁ ଗୋଟିଏ ବିମାନ ହାଇଦ୍ରାବାଦକୁ ଉଡ଼ାଣ କରୁଥିବାବେଳେ ଏବେ ଆଉ ଏକ ବିମାନ ଉଡ଼ାଣ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର

Comments are closed.