ଦାଖଲ ହୋଇପାରିଲାନି ଚାର୍ଜସିଟ୍‌, ଜାମିନ୍‌ ପାଇଲେ ୩ ଦୁର୍ଦ୍ଦାନ୍ତ ଅଭିଯୁକ୍ତ

ଦୁର୍ଦାନ୍ତ ଅପରାଧୀ ରବି ରାଓକୁ ଛଡାଇ ନେବାକୁ ଯୋଜନା କରିଥିଲେ
ସନ୍ଦେହଘେରରେ ତଦନ୍ତକାରୀ ଅଧିକାରୀଙ୍କ ଭୂମିକା

ଭୁବନେଶ୍ୱର : ଗୋଟିଏ ପଟେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଗିରଫ କରୁଛି। ଆଉ ଗୋଟିଏ ପଟେ ସେମାନଙ୍କୁ ଖସାଇବା ଲାଗି ବାଟ ତିଆରି କରୁଛି। ଠିକଣା ସମୟରେ ଚାର୍ଜସିଟ୍ ଦାଖଲ ନ ହେବାରୁ ଜେଲ୍‌ରୁ ଜାମିନ୍‌ରେ ମୁକୁଳି ଯାଇଛନ୍ତି ୩ ଡକାୟତ। ସେମାନେ ହେଲେ ରଘୁ ବିଶ୍ବାଳ, ଶେଖ୍ ଅମିନ ଓ ପବିତ୍ର ମୋହନ ଦାସ। ଏହି ଅଭିଯୁକ୍ତମାନେ ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଜେଲରୁ ଖସାଇବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ତଦନ୍ତକାରୀ ଅଧିକାରୀଙ୍କ ଭୂମିକା ସନ୍ଦେହ ପରିସରକୁ ଆସିଛି। ଏମିତି ଏକାଧିକ ସମ୍ବେଦନଶୀଳ ଘଟଣାରେ ଚାର୍ଜସିଟ୍ ଦାଖଲ ନ ହେବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ, ୨୦୧୯ ନଭେମ୍ବର ୨୦ରେ ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ନଦୀବନ୍ଧରେ ସନ୍ଦିଗ୍ଧ ଅବସ୍ଥାରେ ବସିଥିବା ୫ଜଣ ଦୁର୍ବୃତ୍ତଙ୍କୁ ସହିଦନଗର ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ସେମାନେ ଥିଲେ ଖାରବେଳନଗର ଶାନ୍ତିନଗରର ଶେଖ୍ ଅମିନ ଓରଫ୍ ତିୱାରି, ରଘୁଆ ବିଶ୍ବାଳ, ଶିବ ଠାକୁର, ମୋତି ବିଲା ଓ ଖୋର୍ଧା ବେଗୁନିଆର ପବିତ୍ର ମୋହନ ଦାସ ଓରଫ୍ ସାହୁ। ସେମାନଙ୍କଠାରୁ ବନ୍ଧୁକ, ଗୁଳି, କଟୁରି ଓ ବାଇକ୍ ଜବତ କରାଯାଇଥିଲା। ପଚରାଉଚରା ବେଳେ ଡକାୟତି ଯୋଜନା କରୁଥିବା ପୁଲିସ ଆଗରେ କହିଥିଲେ। ଏମାନେ ଦୁର୍ଦାନ୍ତ ଅପରାଧୀ ରବି ରାଓର ସହଯୋଗୀ ବୋଲି ପୁଲିସ ଜାଣିବାକୁ ପାଇଥିଲା। ରବି ରାଓକୁ କୋର୍ଟଚାଲାଣ ସମୟରେ ଫେରାର୍‌ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ। ଫେରାର୍‌ କରିବା ସମୟରେ ଯେଉଁ ଗାଡ଼ିର ଆବଶ୍ୟକତା ରହିଥିଲା, ସେହି ଗାଡ଼ିକୁ ଲୁଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ ନିକଟରେ ସ୍ବୀକାର କରିଥିଲେ।

ଦୁର୍ଦାନ୍ତ ଅପରାଧୀ ରଘୁ ଓ ଅମିନ୍‌ ନାଁରେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ନନ୍ଦନକାନନ ଓ ଚନ୍ଦକା ଥାନାରେ ମାମଲା ମଧ୍ୟ ରହିଛି। ସବଇନ୍ସପେକ୍ଟର ପ୍ରମୋଦ ଲେଙ୍କା ଅଭିଯୋଗକାରୀ ଥିବା ବେଳେ ଏ ସଂକ୍ରାନ୍ତରେ ସହିଦନଗର ଥାନା ପୁଲିସ୍ କେସ୍ ନଂ ୬୦୫/୧୯ରେ ଆଇପିସି ଧାରା -୩୯୯, ୪୦୨ରେ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ-୨୫, ୨୭ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ସବ୍‌ଇନ୍ସପେକ୍ଟର ସଞ୍ଜୟ କୁମାର ଜେନା ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ। ଆଇନ ଅନୁସାରେ ଡକାୟତି ଯୋଜନା ଦଫାରେ ଅଭିଯୁକ୍ତ କୋର୍ଟଚାଲାଣର ୬୦ ଦିନ ଭିତରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍ ଦାଖଲ କରିବା କଥା। କିନ୍ତୁ ଚାର୍ଜସିଟ୍ ଦାଖଲ ନହେବାରୁ ସିଆରପିସି ଧାରା-୧୬୭(୨) ଅନୁସାରେ ୩ ଅଭିଯୁକ୍ତ ଜାମିନ ପାଇ ଯାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ସମ୍ବେଦନଶୀଳ ମାମଲାରେ କାହିଁକି ଚାର୍ଜସିଟ୍ ଦାଖଲ କଲା ନାହିଁ ପୁଲିସ୍‌? ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରି ବାହାବା ନେଉଥିବା ପୁଲିସ କାହିଁକି ଏହି ମାମଲାରେ ଅଭିଯୁକ୍ତଙ୍କୁ ଖସାଇବା ଲାଗି ବାଟ ତିଆରି କଲା? ତଦନ୍ତକାରୀ ଅଧିକାରୀ ଶ୍ରୀଜେନା ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ କରିବା ପଛର ଉଦ୍ଦେଶ୍ୟ କ’ଣ? ସୁପରଭାଇଜିଂ ଅଧିକାରୀ କାହିଁକି ଏହାର ଅନୁଧ୍ୟାନ କରି ନଥିଲେ? ଗୁରୁତର ଅବହେଳା କରିଥିବା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି? ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣା ସମ୍ପର୍କରେ ଅନୁଧ୍ୟାନ ପରେ ଯାହା କିଛି କୁହାଯାଇ ପାରିବ।

ଚାର୍ଜସିଟ୍ ଦାଖଲ ନ ହେବା ପଛରେ ଉଦ୍ଦେଶ୍ୟ
ସମୟୟୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ପାଇଁ ଆଇନ ରହିଛି। ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ ହେଲେ ଅଭିଯୁକ୍ତ ଜାମିନ ପାଇ ଜେଲରୁ ମୁକୁଳି ଯିବା ସହ ମାମଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏକାଧିକ ମାମଲାରେ ଚାର୍ଜସିଟ୍ ବିଳମ୍ବରେ ଦାଖଲ ହେବାର ନଜିର୍ ରହିଛି। ଏହା ପଛରେ ତଦନ୍ତକାରୀ ଅଧିକାରୀଙ୍କ ଭୂମିକା ସନ୍ଦେହ ପରିସରକୁ ଆସିବା ସହ ନିଶ୍ଚିତ ଭାବେ ଉଦ୍ଦେଶ୍ୟ ରହିଛି। ଏଭଳି ସମ୍ବେଦନଶୀଳ ଘଟଣାରେ ଯଦି ସମ୍ପୃକ୍ତ ଅୃଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତାହାଲେ ଅନ୍ୟ ତଦନ୍ତକାରୀ ଅଧିକାରୀମାନେ ସତର୍କ ହେବେ। ସେହିପରି ସୁପରଭାଇଜିଂ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇନଜୀବୀ ଚିତ୍ତରଞ୍ଜନ ଦାଶ।

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ପାଇଥିଲା ଜାମିନ
କେବଳ ଏହି ଘଟଣା ନୁହେଁ, ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ ହେବାରୁ ଗତ ଏପ୍ରିଲରେ ଏୟାରଫିଲ୍ଡ ଥାନାର ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନା ଜାମିନ୍‌ରେ ଜେଲରୁ ମୁକୁଳି ଥିଲା। ୨୦୧୯ ନଭେମ୍ବର ୨୭ ତାରିଖରେ ପୁଲିସ ମାମଲା ରୁଜୁ କରିଥିଲା। ଆଇନ ଅନୁସାରେ ଦୁଷ୍କର୍ମ ମାମଲାରେ ୧୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିବାର ନିୟମ ରହିଛି। କିନ୍ତୁ ପୁଲିସ ୧୪୭ଦିନରେ ମାମଲାର ଚାର୍ଜସିଟ୍ ଦାଖଲ କରିବାରୁ ଅଭିଯୁକ୍ତ ଜାମିନ୍‌ ପାଇଥିଲା। ଏହି ଘଟଣାରେ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଡିଜିଙ୍କ ନିର୍ଦେଶକୁ ବେଖାତିର
ନିର୍ଦିଷ୍ଟ ସମୟସୀମା ଭିତରେ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରିବା ପାଇଁ ଡିଜିଙ୍କ କଡ଼ା ନିର୍ଦେଶ ରହିଛି। କିନ୍ତୁ ଏହି ନିର୍ଦେଶକୁ ଅନେକ ବେଖାତିର କରୁଥିବା ଦେଖିବାକୁ ମିଳୁଛି। ଫଳରେ ତଦନ୍ତକାରୀ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଅପରାଧୀଙ୍କୁ ସୁହାଉଛି। ନିର୍ଦେଶକୁ ଅବମାନନା କରୁଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର