ଭୁବନେଶ୍ବର : କାର ପାର୍କିଂକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ କାମୁଡ଼ି ଦେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ବାପ ପୁଅ ସମେତ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୁଦ୍ଧନଗର ଅଞ୍ଚଳର ମହବୁବ୍ ଆଲମ୍(୬୩), ତାଙ୍କ ପୁଅ ଡାନିଶ୍(୩୦) ଓ ଅନ୍ୟ ଜଣେ ଅଭିଯୁକ୍ତ ବାବୁମୁଦ୍ଦିନ(୨୨)। ପୁଲିସ ସୂଚନା ଅନୁସାରେ, ଗତକାଲି ଅଭିଯୁକ୍ତଙ୍କ ପଡ଼ୋଶୀ ଏମ୍.ଡି ମୋବିନ୍ ଘର ନିକଟରେ କାର ପାର୍କିଂ କରୁଥିଲେ। କାହିଁକି ଘର ଆଗରେ କାର ପାର୍କିଂ କରୁଛ ବୋଲି କହି ତିନି ଅଭିଯୁକ୍ତ ତାଙ୍କୁ ବିରୋଧ କରିଥିଲେ। ସେମାନଙ୍କ ଭିତରେ ବଚସା ହୋଇଥିଲା। ଜଣେ ଅଭିଯୁକ୍ତ ମୋବିନଙ୍କ ଅଙ୍ଗୁଳିକୁ କାମୁଡ଼ି ଦେବା ସହ ଅନ୍ୟମାନେ ମାଡ଼ ମାରିଥିଲେ। ଏ ନେଇ ମୋବିନ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା।
ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର, ଅଭିଯୁକ୍ତ ଅଟକ
ବାଲିଅନ୍ତା : ମାନସିକ ବିକୃତ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ବାଲିଅନ୍ତା ଥାନା ଅଧୀନ ବିଶରପୁର ଗ୍ରାମର କାଶିନାଥ ବେହେରା (୪୫)। ପରିବାର ଲୋକେ ତାଙ୍କୁ ଅଡ଼ଶପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି। ପୁଲିସ ଆକ୍ରମଣକାରୀ ନିରଞ୍ଜନ ଭଟ୍ଟକୁ ଅଟକ ରଖି ପଚରାଉଚୁରା କରୁଛି। ପୁଲିସ ସୂଚନା ମୁତାବକ, ନିରଞ୍ଜନ ଜଣେ ମାନସିକ ବିକୃତ ବ୍ୟକ୍ତି। ଆଜି ଅପରାହ୍ନରେ ସେ ନିଶାଗ୍ରସ୍ତ ଅବସ୍ଥାରେ ଟାଙ୍ଗିଆ ଧରି ଗ୍ରାମରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା। ଏହାକୁ କାଶିନାଥ ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ନିରଞ୍ଜନ ଟାଙ୍ଗିଆରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।