କିଏ ଜିଣିବେ ଭୁବନେଶ୍ବରବାସୀଙ୍କ ହୃଦୟ? ବିଏମ୍‌ସି ମେୟର ପାଇଁ ପ୍ରାର୍ଥୀ ଦେଲେ ତିନି ଦଳ

ଭୁବନେଶ୍ବର: ରାଜ୍ୟର ଅନ୍ୟ ପୌର ସଂସ୍ଥା ସମେତ ଭୁବନେଶ୍ବର ମହାନଗର ନିଗମ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ। ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ଜୋରଦାର ପ୍ରସ୍ତୁୁତି ଚାଲିଥିବା ବେଳେ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ସେଥିରୁ କିଛି ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ବେଳେ ଅନ୍ୟମାନେ ଖୁବ ଶୀଘ୍ର ନାମାଙ୍କନ ପତ୍ର ଭରିବେ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପାଇଁ ଶାସକ ବିଜୁ ଜନତା ଦଳ ସମେତ ବିରୋଧୀ ବିଜେପି ଓ କଂ‌ଗ୍ରେସ ମଧ୍ୟ ନିଜର ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି। ଗତକାଲି କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜେପି ଡ. ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିିଜେଡି ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛି।

ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀମାନେ ଉଚ୍ଚଶିକ୍ଷିତା। ବିଜେପି ଓ ବିଜେଡିର ଦୁଇ ପ୍ରାର୍ଥୀ ସାମ୍ବାଦିକତାରୁ ନିଜର କ୍ୟାରିିୟର ଆରମ୍ଭ କରିଥିଲେ। ପରେ ସେମାନେ ସମାଜ ସେବା ସହିତ ରାଜନୀତିରେ ପାଦ ରଖିଛନ୍ତି। ଅନ୍ୟପଟରେ କଂଗ୍ରେସର ପ୍ରାର୍ଥୀଙ୍କ କ୍ୟାରିୟର ନୃତ୍ୟ ଓ କ୍ରୀଡ଼ାରୁ ଆରମ୍ଭ ହୋଇଥିଲା। ପରେ ଶ୍ରୀମତୀ ଆଚାର୍ଯ୍ୟ ଯୁବ ଉଦ୍ୟୋଗୀ‌ ହେବା ସହ ସମାଜସେବାରେ ନିଜକୁ ସଂପୃକ୍ତ କରିଛନ୍ତି। ବିଏମ୍‌ସିର ୩ ମେୟର ପ୍ରାର୍ଥୀ ଯେକୌଣସି ପ୍ରକାରରେ ସମାଜର ତୃଣସ୍ତରରେ ନିଜ ନିଜର ପରିଚୟ କରିପାରିଛନ୍ତି। ଆସନ୍ତୁ ସଂକ୍ଷେପରେ ଏହି ତିନି ପ୍ରାର୍ଥୀଙ୍କୁ ଚିହ୍ନିିବା।

ମଧୁସ୍ମିତା ଆଚାର୍ଯ୍ୟ(କଂଗ୍ରେସ)
କ୍ରୀଡ଼ା ଓ ନୃତ୍ୟକୁ ଭଲ ପାଉଥିବା ମଧୁସ୍ମିତା ଛାତ୍ର ଜୀବନରୁ ରାଜନୀତି ସହିତ  ଜଡ଼ିତ। କମଳା ନେହରୁ କଲେଜ ଛାତ୍ର ସଂସଦର ସଭାପତି ଓ ସଂପାଦକ ହୋଇଥିଲେ। ଏହାସହ ଏନ୍‌ଏୱାଇଏର ଜଣେ ସଦସ୍ୟ। ତାଙ୍କର ଅନ୍ୟତମ ପରିଚୟ ହେଉଛି ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। ଶ୍ରୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରି ମେୟର ପ୍ରାର୍ଥୀ କରିଥିବା କୁହାଯାଉଛି। ଆସନ୍ତା ରବିବାର ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏଥିସହ ସେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଜଡିତ ଥିଲେ । ଟିକେଟ ପାଇବା ପରେ ଦଳକୁ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବାକୁ ଅପିଲ କରିଛନ୍ତି ମଧୁସ୍ମିତା ।

ସୁନୀତି ମୁଣ୍ଡ(ବିଜେପି)
ଭାରତୀୟ ଜନତା ପାର୍ଟି ଶାସକ ଦଳକୁ କଡା ଟକ୍କର ଦେବାକୁ ନୂଆ ଚେହେରା ସାମ୍ନାକୁ ଆଣିଛି। ଦଳ ଡକ୍ଟର ସୁନୀତି ମୁଣ୍ଡଙ୍କୁ ମୈଦାନକୁ ଓହ୍ଲାଇଛି । ସୁନୀତି ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଲେଖା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାର ଉଦ୍ୟମ କରିଥିଲେ। ଆଉ ଏବେ ରାଜନୀତି ମୈଦାନକୁ ଓହ୍ଲାଇ ସିଧାସଳଖ ଲୋକଙ୍କ ଭରସା ଜିତିବାକୁ ଆଶା ରଖିଛନ୍ତି। ବିଜେପିର ପ୍ରାର୍ଥୀ ହେବା ପରେ ସେ କହିଛନ୍ତି, ବିଜେପି ଦେଇଥିବା ଦାୟିତ୍ୱ ସଠିକ ଭାବରେ ପରିଚାଳନା କରିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ମୁଁ କେବଳ ପ୍ରତିଶ୍ରୁତି ଦେବିନି। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି  ପୂରଣ କରିବି। ବର୍ତ୍ତମାନ କଥା ନୁହେଁ କାମ କରିବାକୁ ହେବ । ମୁଁ ସବୁବେଳେ ଲୋକଙ୍କ ସହ ରହିଆସିଛି । ଆଉ ଆଜି ଭାରତୀୟ ଜନତା ପାର୍ଟି ମୋତେ ଏକ ସୁନ୍ଦର ପ୍ଲାଟଫର୍ମ ଦେଇଥିବାରୁ, ଲୋକଙ୍କ ସେବା କରିବାର ସୁଯୋଗ ପାଇବି।

ସୁଲୋଚନା ଦାସ(ବିଜେଡି)
୧୪ ବର୍ଷ ଧରି ସାମ୍ବାଦିକତା କରିବା ପରେ ରାଜନୀତିରେ ପାଦ ଦେଇଥିଲେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ । ଟିଭି ଡିବେଟରେ ବରିଷ୍ଠ ନେତା ଦାମ ରାଉତଙ୍କ ସହ ବିବାଦ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା। ତେବେ ସେ କଂଗ୍ରେସରେ ପାଦ ଥାପିଥିଲେ। କଂଗ୍ରେସ ମୁଖପାତ୍ର ଭାବେ ସେ ନିଯୁକ୍ତ ହୋଇଥିଲେ । କଂଗ୍ରେସର ସାଧାରଣ ସମ୍ପାଦିକା ମଧ୍ୟ ଥିଲେ ସୁଲୋଚନା । ସାଧାରଣ ନିର୍ବାଚନ ପୂର୍ବରୁ ସୁଲୋଚନା ବିଜେଡିରେ ଯୋଗଥିଲେ । ବିଜେଡି ମୁଖପାତ୍ର ଭାବେ ସୁଲୋଚନାଙ୍କୁ ଦାୟିତ୍ୱ ଦେଇଥିଲା । ପରେ ତାଙ୍କୁ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।

ତେବେ ଭୁବନେଶ୍ୱରବାସୀଙ୍କ ଭରସା କାହା ଉପରେ ଭରସା କରି ଭୋଟ ଦେବେ ତାହା ଦେଖିବାକୁ ରହିଲା। ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ଭାବେ ମେୟର ନିର୍ବାଚନ ହେଉଥିବାରୁୁ ଏହାକୁ ତିନି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର