ରାଜଧାନୀ ପ୍ରବେଶ ପଥରେ ଖୋଲିଲା ଟ୍ରାନଜିଟ୍‌ ପଏଣ୍ଟ : ସ୍ୱାସ୍ଥ୍ୟ ପରୀକ୍ଷା ସହ, ନାମ ପଞ୍ଜୀକରଣ ହେଉଛି

ଭୁବନେଶ୍ବର : ରାଜଧାନୀରେ ଏବେ ବହୁ ପ୍ରବାସୀ ଓଡ଼ିଆ ବୁଲୁଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ଭୁବନେଶ୍ବରରେ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ଏପରିକି ବହୁ ପ୍ରବାସୀ ଶ୍ରମିକ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି। ତେଣୁ ଏହି ପ୍ରବାସୀ ଓଡ଼ିଆ, ଶ୍ରମିକମାନେ ଯେପରି ରାଜଧାନୀବା‌ସୀଙ୍କ ସଂସ୍ପର୍ଶରେ ନଆସିବେ, ସେଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀର ତିନିଟି ପ୍ରବେଶ ପଥରେ ତିନଟି ଟ୍ରାନଜିଟ୍‌ ପଏଣ୍ଟ ଖୋଲାଯାଇଛି। ରାଜଧାନୀକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏଠାରେ ଅଟକ ରଖି ଥର୍ମାଲ୍ ସ୍କ୍ରିନିଂ କରିବା ସହ ସେମାନଙ୍କ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରାଯାଉଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ-୧୯ ପରିଚାଳନା ପାଇଁ ପୁରୀ-ଭୁବନେଶ୍ବର ରାସ୍ତାରେ କୃପାଜଳ ଇଞ୍ଜିନିୟରିଂ କଲେଜ, କଟକ ଦିଗରୁ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କ ପାଇଁ ରସୁଲଗଡ଼ସ୍ଥିତ ଆଶ୍ରମ ସ୍କୁଲ, ଖୋର୍ଦ୍ଧା ପାର୍ଶ୍ବରୁ ଆସୁଥିବା ଲୋକଙ୍କ ପାଇଁ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲରେ ଏହି ଟ୍ରାନଜିଟ୍‌ ପଏଣ୍ଟ ଖୋଲାଯାଇଛି। ଏହି ତିନିଟି କେନ୍ଦ୍ରରେ ୨୪ ଘଣ୍ଟା ସେବା ଯୋଗାଇ ଦିଆଯିବା ସହ ମେଡିକାଲ ଟିମ୍‌ ନିୟୋଜିତ କରାଯାଇଛି। ଯେଉଁ ସନ୍ଦିଗ୍ଧମାନଙ୍କୁ ଏଠାକୁ ଅଣାଯାଉଛି ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଉଛି। ଏହାପରେ ସେଠାରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଉଛି। ସେମାନଙ୍କ ହାତରେ ସଙ୍ଗରୋଧ ଷ୍ଟାମ୍ପ୍‌ ମାରି ଛଡ଼ାଯାଉଛି। ଯେଉଁମାନେ ଗାଡ଼ି‌ରେ ଆସୁଛନ୍ତି, ସେମାନଙ୍କର ପଞ୍ଜୀକରଣ ସହ ସମସ୍ତ ପ୍ରକ୍ରିୟା ଶେଷ କରି ସଙ୍ଗେସଙ୍ଗେ ଛାଡ଼ି ଦିଆଯାଉଛି। କିନ୍ତୁ ଯେଉଁମାନେ ଚାଲିଚାଲି ଆସୁଛନ୍ତି, ସେମାନଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ସେମାନେ ଯିବାକୁ ଥିବା ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରାଯାଉଛି ବୋଲି କୁହାଯାଉଛି।

ହେଲେ ଗତକାଲି ତେଲେଙ୍ଗାନାରୁ ଆସିଥିବା କିଛି ଶ୍ରମିକ ଅନୁଗୁଳ ଯିବାକୁ ଥିଲେ ହେଁ ସେମାନଙ୍କୁ ଏହି ଟ୍ରାନଜିଟ୍‌ ପଏଣ୍ଟରେ ରଖାଯାଇଥିଲା। ଗୋଟିଏ ଦିନ ଖାଇବାକୁ ଦେବା ପରେ ଆଜି ସକାଳୁ ସେମାନଙ୍କୁ ଘରକୁ ପଳାଇବାକୁ କୁହାଯାଇଥିଲା। ହେଲେ ଚାଲିଚାଲି ସେମାନେ କିପରି ଯିବେ ବୋଲି ପଚାରିବାରୁ ଟ୍ରାନଜିଟ୍‌ ପଏଣ୍ଟରେ ଥିବା କର୍ମଚାରୀ କହିଥିଲେ ଆମେ ଜାଣିନୁ। ତୁମେ ଜଲ୍‌ଦି ଯିବା ବ୍ୟବସ୍ଥା କର।

ସମ୍ବନ୍ଧିତ ଖବର