ଭୁବନେଶ୍ୱର: ବିପର୍ଯ୍ୟୟ ସମୟରେ ତ୍ବରିତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଏମ୍ସ ଭୁବନେଶ୍ବରକୁ ମିଳିଛି ଭୀଷ୍ମ କ୍ୟୁବ୍ସ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତିନି ସେଟ୍ ଭୀଷ୍ମ କ୍ୟୁବ୍ସ ପ୍ରଦାନ କରାଯାଇଛି। ଓଡ଼ିଶାରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ବିପର୍ଯ୍ୟୟ ତଥା ପରବର୍ତ୍ତୀ ଜରୁରିକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ ଏହା ଯଥେଷ୍ଟ ଗୁରୁତ୍ବ ବହନ କରିବ। ପ୍ରତିରକ୍ଷା ମନ୍ତ୍ରାଳୟର ବୈଷୟିକ ବିଶେଷଜ୍ଞ ଓ ଜାତୀୟ ସୁରକ୍ଷା ପରିଷଦ ଦ୍ୱାରା ବିକଶିତ ଆରୋଗ୍ୟ ମୈତ୍ରୀ ପ୍ରକଳ୍ପ ଅଧୀନରେ ଏହି ଅତ୍ୟାଧୁନିକ ‘ଭୀଷ୍ମ କ୍ୟୁବ୍ସ’ ଉଦ୍ଭାବନ କରାଯାଇଛି।
ଏହି ବ୍ୟବସ୍ଥାର ଗୋଟିଏ ସେଟ୍ ଏକକାଳୀନ ବିପର୍ଯ୍ୟୟ ସ୍ଥଳରେ ପ୍ରାୟ ୨୦୦ରୁ ଅଧିକ ପୀଡ଼ିତଙ୍କୁ ସେବା ଯୋଗାଇପାରିବ। ଅଳ୍ପ ସମୟ ଓ ସ୍ବଳ୍ପ ପରିଶ୍ରମରେ ଉଦ୍ଧାରକାରୀ ଦଳ ବିପନ୍ନଙ୍କୁ ସେବା ଦେଇପାରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର ଦଳ ଏମ୍ସ ଭୁବନେଶ୍ୱରରେ ଡାକ୍ତର, ନର୍ସ ଓ ବିପର୍ଯ୍ୟୟ ପରିଚାଳନା ଦଳ ସମେତ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ପ୍ରଶିକ୍ଷଣ ଓ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
କ୍ୟୁବ୍ସରେ ରହିଛି ୩୩୮ ଅତ୍ୟାବଶ୍ୟକ ମେଡିକାଲ୍ ସାମଗ୍ରୀ
୨୦୦ ବିପନ୍ନଙ୍କୁ ସେବା ଯୋଗାଇବ ଗୋଟିଏ ସେଟ୍
ଭୀଷ୍ମ କ୍ୟୁବ୍ସର ଗୋଟିଏ ସେଟ୍ରେ ୩୩୮ଟି ଅତ୍ୟାବଶ୍ୟକ ମେଡିକାଲ୍ ସାମଗ୍ରୀ ରହିଛି। ଆୟୁର୍ବେଦ ଔଷଧ, ଶଲ୍ୟ ଚିକିତ୍ସା ଉପକରଣ ଓ ପୋର୍ଟେବଲ୍ ଡାଇଗ୍ନୋଷ୍ଟିକ୍ ଡିଭାଇସ୍ ଆଦି ଏଥିରେ ରହିଛି। ପ୍ରତ୍ୟେକ ଭୀଷ୍ମ କ୍ୟୁବ୍, ୬୬ଟି ହାଲୁକା ଆଲୁମିନିୟମ୍ ମଡ୍ୟୁଲ୍ (ପ୍ରତ୍ୟେକ ୨୦ କିଲୋଗ୍ରାମରୁ କମ୍) ସଂଯୋଜନାରେ ସତର୍କତାର ସହ ଡିଜାଇନ୍ କରାଯାଇଛି। ଏହାକୁ କେବଳ କିଛି ଘଣ୍ଟା ମଧ୍ୟରେ ସହଜରେ ଯେକୌଣସି ମାର୍ଗରେ ପରିବହନ ଓ ସ୍ଥାପନ କରାଯାଇପାରିବ। ଏହା ପାରମ୍ପରିକ ସେଟ୍ଅପ୍ ସମୟ ତୁଳନାରେ ଯଥେଷ୍ଟ କମ୍ ସମୟ ନେବ। ଏହି କ୍ୟୁବ୍ ଦ୍ବାରା ଉନ୍ନତ ଟ୍ରମା ଲାଇଫ୍ ସପୋର୍ଟ ଉପକରଣ, ପୋର୍ଟେବଲ୍ ଏକ୍ସ-ରେ ଏବଂ ଅଲ୍ଟ୍ରାସାଉଣ୍ଡ ମେସିନ୍, ରେଫ୍ରିଜରେସନ୍ ବ୍ୟବସ୍ଥା, ଜେନେରେଟର୍ ଚାଳିତ ୱାର୍କଷ୍ଟେସନ୍, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ଓ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅପରେସନ୍ ଥିଏଟର୍ ସେଟ୍ଅପ୍ କରିହେବ। ବିପର୍ଯ୍ୟୟ କ୍ଷେତ୍ରରେ, ସମୟ ହେଉଛି ଜୀବନ। ଭୀଷ୍ମ କ୍ୟୁବ୍ ଉଦ୍ଧାର ଏବଂ ଚିକିତ୍ସା ମଧ୍ୟରେ ଥିବା ସମୟ ବ୍ୟବଧାନକୁ ପୂରଣ କରିଥାଏ ବୋଲି ଏହାର ଉଦ୍ଭାବକ ଅବସରପ୍ରାପ୍ତ ଏୟାର ଭାଇସ୍ ମାର୍ଶାଲ୍ ପ୍ରଫେସର ତନ୍ମୟ ରାୟ କହିଛନ୍ତି।
କାର୍ଯ୍ୟକ୍ରମରେ ଏମ୍ସର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ, ଡିନ୍ ପିଆର୍ ମହାପାତ୍ର, ସତ୍ୟଜିତ ମିଶ୍ର, ସୌଭାଗ୍ୟ କୁମାର ଜେନା, ଏମ୍ଏସ୍ ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଜରୁରୀ ବିଭାଗ ମୁଖ୍ୟ ଚିତ୍ତରଞ୍ଜନ ମହାନ୍ତି, ଉପେନ୍ଦ୍ର କୁମାର ହାଁସଦା, ଜୟନ୍ତ କୁମାର ମିତ୍ର, ଏନ୍ଡିଆର୍ଏଫ୍, ଓଏସ୍ଡିଏମ୍ଏ ଅଧିକାରୀ ପ୍ରମୁଖ ସାମିଲ ଥିଲେ।