ଚୋରି ସନ୍ଦେହରେ ୩ ଜଣଙ୍କୁ କ୍ଲବ୍‌ରେ ବାନ୍ଧି ପିଟିଲେ: ମହିଳା ସମେତ ୬ଗିରଫ

ଲୁହା ରଡ୍, ଠେଙ୍ଗା ଜବତ

ଭୁବନେଶ୍ବର: ମୋବାଇଲ୍ ଚୋରି କରିଥିବା ସନ୍ଦେହରେ ୩ ଜଣ ଯୁବକଙ୍କୁ କ୍ଲବ୍‌ ଘରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାଲିଆସାହି ଜନତା ନଗରର ହରସା ବେହେରା, ମାନସ ବେହେରା, କପିଳା ବେହେରା, ସୁବାସ ଦାସ, ଚିତ୍ତରଂଜନ ବାରିକ ଓ ରାଜକିଶୋର ସାହୁ। ଆକ୍ରମଣର ଶିକାର ହୋଇଥିବା ୩ ଯୁବକ ହେଲେ ଭିଲୁ ଦିଗଲ, ରଶ୍ମି ଓ ଦୀପକ। ଅଭିଯୁକ୍ତମାନେ ଏହି ତିନି ଜଣଙ୍କୁ ପ୍ରାୟ ୭ଘଣ୍ଟା କାଳ ଏକ କ୍ଲବ୍ ଘରେ ବାନ୍ଧି ନିର୍ମମ ଭାବେ ଲୁହା ରଡ୍ ଓ କାଠ ଫାଳିଆରେ ପିଟିଥିଲେ। ସୂଚନାନୁସାରେ ଗତ ୧୯ ତାରିଖରେ ନିରଙ୍କରୀନଗରର ଯତି ଓ ମାନସର ମୋବାଇଲ୍ ଫୋନ୍‌ ଚୋରି ହୋଇଥିଲା। ଭିଲୁ ଏହି ଚୋରି କରିଛି ବୋଲି ସନ୍ଦେହ କରି ଯତି ଓ ମାନସ ତାକୁ ନିରଙ୍କରୀନଗରସ୍ଥିତ ରାମଚଣ୍ଡୀ କ୍ଲବ୍‌କୁ ଡକାଇଥିଲେ। ଭିଲୁ କ୍ଲବରେ ପହଞ୍ଚିବା ପରେ ସେମାନେ ତାକୁ ମୋବାଇଲ୍‌ ଫୋନ୍‌ ମାଗିଥିଲେ। ଏତିକିବେଳେ ଭିଲୁକୁ ଖୋଜି ରଶ୍ମି ଓ ଦୀପକ ସେଠାରେ ପହଞ୍ଚିଥିଲେ। ମାତ୍ର ଭିଲୁ ମୋବାଇଲ୍ ଚୋରି କରିନାହିଁ ବୋଲି କହିବାରୁ ମାନସ ଗୋଷ୍ଠୀ ୩ ଜଣଙ୍କୁ କ୍ଲବ୍‌ ଘରେ ପୂରାଇ ବାନ୍ଧି ପକାଇଥିଲେ। ଖବର ପାଇ ଭିଲୁର ମା’ ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳେ ମାନସ ଗୋଷ୍ଠୀ ଫେରାର୍ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର