ଘରେ ପଶି ଲୁଟି ନେଇଥିଲେ ମନି ପର୍ସ, ଜେଲଗଲେ ୩ ଲୁଟେରା

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ପୁଲିସ ଛିନତାଇ ଓ ଲୁଟ ମାମଲାରେ ଆଜି ୩ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ୩ ଜଣଯାକ ଲୁଟେରାଙ୍କ  ବିରୋଧରେ ଧଉଳି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଗିରଫ ଲୁଟେରାମାନେ ହେଲେ ମନିପର୍ସ ଲୁଟ ମାମଲାର ଅଭିଯୁକ୍ତ ଏୟାର ଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳର ଅମରେନ୍ଦ୍ର ତ୍ରିପାଠୀ (୨୬), ସୁନାଚେନ ଲୁଟ ମାମଲାର ଦୁଇ ଅଭିଯୁକ୍ତ  ବଡ଼ଗଡ଼ ଥାନା ଅଧୀନ ମଇଁଷି ଖାଲ ଅଞ୍ଚଳରେ ରହୁଥିବା ଡି ରାଜା ଓ ଜିତେନ୍ଦ୍ର ପ୍ରଧାନ ଓରଫ ଜିତୁ (୨୨)।

ଗତକାଲି ଧଉଳି ଥାନା ଅଧୀନ ମାରୁତିନଗର ଅଞ୍ଚଳର ଟୁନା ସେଠୀ ନାମକ  ଜଣେ ବ୍ୟକ୍ତିଙ୍କ ଘରେ ପଶି ଅମରେନ୍ଦ୍ର ତାଙ୍କର ପର୍ସ ଲୁଟି ନେଇଥିଲେ । ସେଥିରେ ୧୨ ହଜାର ଟଙ୍କା ଥିଲା । ଉପର ମହଲ‌ାରେ ଘର କାମ ଦେଖୁଥିବା ଅମରେନ୍ଦ୍ର ତଳ ମହଲାରୁ ବାହାରିବା ଦେଖି ଚୋର ଚୋର ବୋଲି ଚିତ୍କାର କରିଥିଲେ । ତାଙ୍କ ପାଟିଶୁଣି ସ୍ଥାନୀୟ ଲୋକ ଅମରେନ୍ଦ୍ରକୁ ଧରି ନେଇଥିଲେ ।

ସେହିପରି ଗତକାଲି  ଠିକ ରାତି ୧୦ଟାରେ ଆଉ ଏକ ଛିନତାଇ ଘଟଣା ଘଟିଥିଲା ସ୍ଥାନୀୟ ଇନ୍ଦିରା କଲୋନି ଭିତରେ । ସଂଧ୍ୟାରାଣୀ ଗନ୍ତାୟତ ତାଙ୍କ ଝିଅ ସହ ମାର୍କେଟିଂ ସାରି ସ୍କୁଟିରେ ଯାଉଥିବା ବେଳେ ରାଜା ଓ ଜିତୁ ପିଛା କରି ସୁନାହାର ଲୁଟି ନେବାକୁ ଉଦ୍ୟମ କରିଥିଲେ । ହେଲେ ବାଇକ ପଛରେ ବସି ଚେନ ଝାମ୍ପୁଥିବା ସମୟରେ  ମହିଳା  ତାଙ୍କ ହାତକୁ ଜୋରରେ ଧରି ଦେବାରୁ ବାଇକରୁ ଦୁହେଁ ଛିଟିକିପଡ଼ି ସାମାନ୍ୟ ଖର୍ଣ୍ଡିଆଖାବରା  ହୋଇପଡ଼ିଥିଲେ । ଅନୁରୂପ ଭାବେ ସ୍ଥାନୀୟ ଲୋକ ରାଜା ଓ ଜିତୁକୁ ବହେ ଛେଚି ପୁଲିସକୁ ହସ୍ତାନ୍ତର କରିଥିଲେ । ଖବର ପାଇ ଧଉଳି ଥାନା ପୁଲିସ ସେମାନଙ୍କୁ ଚିକିତ୍ସା ଲାଗି ବଳକାଟି ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ଏସଂପର୍କରେ ସଂଧ୍ୟାରାଣୀଙ୍କ ଝିଅ ସମାପିକା ରାଉତରାୟ ଲିଖିତ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର