ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଆସନ୍ତା ୨ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିଲାଗି ୩୦ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ କରାଯିବ। ସ୍ଥିତିର ତଦାରଖ ପାଇଁ ୧୨ ଜଣ ସହକାରୀ ଆୟୁକ୍ତ, ୬ ଜଣ ଅତିରିକ୍ତ ଉପାୟୁକ୍ତ ପାହ୍ୟାର ଅଧିକାରୀ ଏବଂ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ସେହିପରି ବିଧାନସଭାର ଚାରିପଟେ ସଶସ୍ତ୍ର ପୁଲିସ ବାହିନୀ ପ୍ରହରା ଦେବ। ଆତଙ୍କବାଦୀ ନିରୋଧୀ, ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଦଳ, ଅଗ୍ନିଶମ ବାହିନୀ ଆଦି ପ୍ରବେଶ ପଥରେ ନିୟୋଜିତ ହେବେ। ବିଧାନସଭାର ପ୍ରତି ପ୍ରବେଶ ପଥରେ ସ୍ବୟଂଚାଳିତ ବନ୍ଧୁକ ଧରି ସଶସ୍ତ୍ର ପୁଲିସ ସତର୍କ ଦୃଷ୍ଟି ରଖିବେ। ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିଆଇଜି ଗୁଇନ୍ଦା ଅନୁପ ସାହୁ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂ ପ୍ରମୁଖ ଆଜି ସ୍ଥିତି ସମୀକ୍ଷା କରିଥିଲେ।

ସିସିଟିଭି ମାଧ୍ୟମରେ ଲୋୟର ପିଏମ୍‌ଜି ଓ ବିଧାନସଭା ଆଖାପାଖ ଅଞ୍ଚଳ ଉପରେ ତୀକ୍ଷ୍ଣନଜର ରଖାଯିବ। ଏହାଛଡ଼ା ୫ଟି କଣ୍ଟ୍ରୋଲ୍‌ ରୁମ୍‌ କରାଯାଇଛି। ନିୟନ୍ତ୍ରଣ କକ୍ଷରେ ବରିଷ୍ଠ ଅଧିକାରୀମାନେ ରହି ସ୍ଥିତି ଉପରେ ନଜର ରଖି‌ବେ। ଅପରପକ୍ଷରେ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିଆଇଜି ଗୁଇନ୍ଦା ଅନୁପ ସାହୁ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ବିଧାନସଭା ଏବଂ ଆଖପାଖ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର