ବାଲିପାଟଣା ଅଞ୍ଚଳରେ ମହିଳା କୋଭିଡ୍‌ ପଜିଟିଭ୍‌, ୩ ଗାଁ ୧୪ ଦିନ ପାଇଁ ସିଲ୍

ହରିଡ଼ାମଡ଼ାରେ କୋଭିଡ୍‌ ପଜିଟିଭ୍‌, ଘାରିଲା ଗୋଷ୍ଠୀ ସଂକ୍ରମଣ ଭୟ

ବାଲିପାଟଣା : ବାଲିପାଟଣା ବ୍ଲକ ଅଞ୍ଚଳରେ ଜଣେ ୪୦ ବର୍ଷୀୟା ମହିଳା କୋଭିଡ୍‌ ପଜିଟିଭି ବୋଲି ଚିହ୍ନଟ ହୋଇଛନ୍ତି। ତୁରନ୍ତ ମହିଳାଙ୍କୁ ଭୁବନେଶ୍ବରସ୍ଥିତ ଏକ କୋଭିଡ୍ ହସ୍ପିଟାଲକୁ ପଠା ଯାଇଥିବା ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି। ମହିଳାଙ୍କୁ ଚିହ୍ନଟ କରାଯିବା ପରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଦୁଇ ପଞ୍ଚାୟତର ତିନିଟି ଗାଁକୁ ୧୪ ଦିନ ପାଇଁ ସିଲ୍‌ କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା ହୋଇଥିବା ଏହି ଅଞ୍ଚଳରେ ଉକ୍ତ ମହିଳାଙ୍କ ପାଇଁ ଭୟର ବାତାବରଣ ଖେଳି ଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଲୋକ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ମହିଳା ଜଣକ ପ୍ରବାସୀ ନୁହଁନ୍ତି କି ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ। ସେ ଗାଁରେ ନିଜ ଘରେ ରହୁଥିଲେ। ତେଣୁ ସେ କିଭଳି କରୋନା ଆକ୍ରାନ୍ତ ହେଲେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ପ୍ରଶାସନ ତରଫରୁ ମିଳିଥିବା ସୂଚନାନୁସାରେ ମହିଳା ଜଣକ ଥଣ୍ତା ଜ୍ବରରେ ପୀଡ଼ିତ ହେବା‌ରୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଦୀର୍ଘ ଦିନ ଧରି ଥଣ୍ଡା ଲାଗି ରହିଥିବାବେଳେ ତଣ୍ଟିରେ ବ୍ୟଥା ହେଉଥିବାରୁ ସନ୍ଦେହ କରି ତାଙ୍କର କୋଭିଡ୍‌ ଟେଷ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ତାଙ୍କ ସ୍ବାବ୍‌ ପରୀକ୍ଷା କରାଇଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜଣାପଡ଼ିଥିଲା। ସୂଚନାନୁସାରେ ବାଲିପାଟଣା ବ୍ଲକର ତେଲି ଚୌକା, ମଠ ସାହି ଓ ବରଡିଅ ସାହିକୁ ପମ୍ପାଲୋ ପଞ୍ଚାୟତର ସରପଞ୍ଚ ବିଜୟଲକ୍ଷ୍ମୀ ପାଇକରାୟ ସିଲ୍‌ କରିଛନ୍ତି। ଏହି ସବୁ ଗାଁ ପାଖକୁ ଲାଗି ରହିଥିବା ବାଲିଅନ୍ତା ବ୍ଲକର ପୂରଣ ପଧାନ ପଞ୍ଚାୟତର ତେଲି‌ଚୌକା ମେଳକ ଗ୍ରାମକୁ ସରପଞ୍ଚ ଝିଲି ସ୍ବାଇଁ ସିଲ୍‌ କରିଛନ୍ତି। ଉଭୟ ଅଞ୍ଚଳବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଦୁଇ ସରପଞ୍ଚ ସୂଚନା ଦେଇଛନ୍ତି। ବାଲିପାଟଣା ଅଗ୍ନିଶମ ବିଭାଗ ତରଫରୁ ଆଜି ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି।

ହରିଡ଼ାମଡ଼ାରେ କୋଭିଡ୍‌ ପଜିଟିଭ୍‌, ଘାରିଲା ଗୋଷ୍ଠୀ ସଂକ୍ରମଣ ଭୟ
ମେଣ୍ଢାଶାଳ : ଭୁବନେଶ୍ୱର ବ୍ଲକ ମେଣ୍ଢାଶାଳ ପଞ୍ଚାୟତ ହରିଡ଼ାମଡ଼ା ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଜଣେ ରାଜମିସ୍ତ୍ରିଭାବେ ଜଣାଶୁଣା ଏହି ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଠାବ ହେବା ପରେ ଏହା ଏକ ଗୋଷ୍ଠୀ ସଂକ୍ରମଣ ମାମଲା ବୋଲି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କେବଳ ମେଣ୍ଢାଶାଳ ନୁହେଁ, କଣ୍ଟାବାଡ଼, ମଳିପଡ଼ା ଓ ଛତାବର ଅଞ୍ଚଳରେ ମଧ୍ୟ ସେ କାମ କରୁଥିବାରୁ ସେଠାରେ ଲୋକେ ଭୟଭୀତ ହୋଇପଡ଼ିଥିବା ଖବର ମିଳିଛି। ପୂର୍ବରୁ ମେଣ୍ଢାଶାଳକୁ ସୁରତରୁ ଫେରିଥିବା ଏକ ଦମ୍ପତି ସଂଗରୋଧ କେନ୍ଦ୍ରରେ ଥିବାବେଳେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲେ। ସ୍ବାବ୍ ପରୀକ୍ଷାରୁ ସେମାନେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ମାତ୍ର ସେମାନେ ସୁରତରୁ ଫେରିବା ପରେ ସଂଗ‌ରୋଧ କେନ୍ଦ୍ରରେ ଥିବାରୁ ସଂକ୍ରମଣ ଭୟ ନଥିଲା। କିନ୍ତୁ ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତି ପ୍ରବାସୀ ହୋଇନଥିବାରୁ ଓ ଜଣେ ମିସ୍ତ୍ରି ହିସାବରେ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣ ଭୟ ଘାରିଛି। ଆକ୍ରାନ୍ତ ଜଣେ ଗାଁରେ ଓ ନିଜ ଘରେ ରହୁଥିବା ଲୋକ ହୋଇଥିବାରୁ ମେଣ୍ଢାଶାଳ ସରପଞ୍ଚ ମମତା ବେହେରାଙ୍କ ଦାବି ଅନୁସାରେ ହରିଡ଼ାମଡ଼ା ଗାଁକୁ ସାନିଟାଇଜ୍ କରାଯାଇଛି। ଭୁବନେଶ୍ବର ବିଡିଓ ତ୍ରିଲୋଚନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ହରିଡ଼ାମଡ଼ା ଗାଁ ଓ ମେଣ୍ଢାଶାଳ ବଜାରକୁ ଅଗ୍ନିଶମ ବାହିନୀ ବିଶୋଧନ କରିଛି।

ସମ୍ବନ୍ଧିତ ଖବର