୩ ବର୍ଷ ବିତିଲା, ନିର୍ମାଣ ହୋଇପାରିଲାନି ଇ-ଟଏଲେଟ୍‌

ଜମି ନମିଳିବାରୁ ଅଟକି ରହିଛି ୧୦ ପ୍ରକଳ୍ପ, ଅଧାପନ୍ତରିଆ ଅବସ୍ଥାରେ ୫ ସ୍ଥାନ

ଭୁବନେଶ୍ବର: ଭୁବନେଶ୍ବରକୁ ସ୍ବଚ୍ଛ ରଖିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ସ୍ବଚ୍ଛ ଭାରତ ମିସନ୍‌ରେ ରାଜଧାନୀକୁ ସର୍ବାଗ୍ରେ ରଖିବାକୁ ବିଏମ୍‌ସି ପ୍ରାଣପଣେ ଉଦ୍ୟମ କରୁଛି। ବାହ୍ୟ ମଳମୁକ୍ତ ସହର ଭାବେ ଗଢ଼ି ତୋଳିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଇ-ଟଏଲେଟ୍‌ର ପରିକଳ୍ପନା କରାଯାଇଥିଲା। ଲୋକମାନେ ଏହାକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରିବା ପାଇଁ ବାହାରେ ମଳତ୍ୟାଗ କି ପରିସ୍ରା କଲେ ଜରିମାନା ଗଣିବାକୁ ପଡ଼ିବା ଭଳି ନିୟମ ଲାଗୁ କରାଗଲା। ହେଲେ ଭିତ୍ତିଭୂମି ନାହିଁ। ତିନି ବର୍ଷ ବିତି ଗଲା ପରେ ବି ଇ-ଟଏଲେଟ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରି ନାହିଁ।

ଶୌଚାଳୟ ଅଭାବ ଯୋଗୁଁ ଲୋକ ବାଟଘାଟ, କାନ୍ଥକଡ଼ ଯେଉଁଠି ପାରୁଥିଲେ ସେଠି ପରିସ୍ରା କରୁଥିଲେ। ଏସବୁ ସମସ୍ୟାର ସମାଧାନ ପାଇଁ ରାଜଧାନୀକୁ ବାହ୍ୟ ମଳମୁକ୍ତ ଅଞ୍ଚଳ କରିବା ପାଇଁ ୨୦୧୮ ମସିହାରେ ହକି ବିଶ୍ବକପ୍‌ ସମୟରେ ଇ-ଟଏଲେଟ୍‌ର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଷ୍ଟିଲ୍‌ ଘର ସାଙ୍ଗକୁ ସ୍ବୟଂଚାଳିତ ବ୍ୟବସ୍ଥାର ଅତ୍ୟାଧୁନିକ ଟଏଲେଟ୍‌ଗୁଡ଼ିକୁ ନିର୍ମାଣ କରାଯାଇଛି। ଏହା ସାଧାରଣ ଶୌଚାଳୟଠାରୁ ଭିନ୍ନ ଏବଂ ସହରର ସୌନ୍ଦର୍ଯ୍ୟୀକରଣକୁ ବୃଦ୍ଧି କରୁଛି। ବସ୍‌ଷ୍ଟାଣ୍ଡ, ରେଳଷ୍ଟସନ୍‌, ମଲ୍‌, ହଲ୍‌, ବଜାର ସମତେ କେତେକ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ବିଏମ୍‌ସି ଟାର୍ଗେଟ୍‌ କରିଥିଲା।

ଏମିତି ରାଜଧାନୀରେ ୩୦ଟି ସ୍ଥାନରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ୬୦ଟି ଇ-ଟଏଲେଟ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଥିଲା। ଗୋଟିଏ ସ୍ଥାନରେ ପୁରୁଷ ଓ ମହିଳାଙ୍କ ଦୁଇଟି ପ୍ରକଳ୍ପ ପାଇଁ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ପ୍ରକଳ୍ପ ପାଇଁ ମୋଟ ୫.୭୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ୨ ବର୍ଷ ମଧ୍ୟରେ ପ୍ରକଳ୍ପକୁ ସାରିବା ପାଇଁ ସମୟ ସୀମା ରଖାଯାଇଥିଲା। ୨୦୧୮ରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ବି ମାତ୍ର ୨୦ଟି ସ୍ଥାନରେ ୪୦ଟି ଟଏଲେଟ୍‌ ନିର୍ମାଣ ହୋଇଛି। ୫ଟି ସ୍ଥାନରେ ୧୦ଟି ପ୍ରକଳ୍ପର କାମ ଚାଲିଛି। ବାକି ୧୦ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ତେବେ ଜମି ମିଳୁନଥିବାରୁ ପ୍ରକଳ୍ପଗୁଡ଼ିକରେ ସମସ୍ୟା ଦେଖାଦେଇଥିବା କୁହାଯାଉଛି।

କେତେକ ସ୍ଥାନରେ ମଧ୍ୟ ଲୋକ ଏହି ପ୍ରକଳ୍ପକୁ କରିବାକୁ ଦେଉନାହାନ୍ତି। ଯେଉଁଠି ବିରୋଧ କରାଯାଉଛି ସେଠାରେ ପ୍ରକଳ୍ପ କରା ନଯାଇ ନିକଟରେ ଥିବା ନିର୍ବିବାଦୀୟ ସ୍ଥାନରେ ନିର୍ମାଣ ପାଇଁ ଯୋଜନା ହେଉଛି। ବର୍ତ୍ତମାନ ରାଜଧାନୀର ପାଖାପାଖି ୨୦ଟି ସ୍ଥାନରେ ୪୦ଟି ଇ-ଟଏଲେଟ୍‌, ୭୫ଟି କମ୍ୟୁନିଟି ଟଏଲେଟ୍‌ ଏବଂ ୯୯ଟି ପବ୍ଲିକ୍‌ ଟଏଲେଟ୍‌ ରହିଛି। ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପାଇଁ ୧୯୯୭ଟି ସ୍ଥାନ ରହିଛି। ଦିନକରେ ୨୨ହଜାର ଲୋକ ଏହି ଟଏଲେଟ୍‌ ବ୍ୟବହାର କରିବା ଭଳି ବ୍ୟବସ୍ଥା ରହିଛି। ପୂର୍ବରୁ ଇ-ଟଏଲେଟ୍‌ ପାଇଁ ପ୍ରଥମେ ୫ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଛି।

ଅନ୍ୟପଟେ ଏନେଇ ବିଏମ୍‌ସି ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି ଯେ କୋଭିଡ୍‌ ଯୋଗୁଁ ଯନ୍ତ୍ରାଂଶ ଆସିବାରେ ବିଳମ୍ବ ହୋଇଥିଲା। ତେଣୁ ପ୍ରକଳ୍ପ ସରିବାରେ ବିଳମ୍ବ ହୋଇଛି। ୫ଟି ସ୍ଥାନରେ ୧୦ ପ୍ରକଳ୍ପ କାମ ଦ୍ରୁତଗତିରେ ଚାଲିଛି। ବାକି ୧୦ଟି ପାଇଁ ସମସ୍ତ ସରଞ୍ଜାମ ଆମପାଖରେ ଅଛି। ସେଗୁଡ଼ିକର କାମ ପାଇଁ ସମସ୍ତ ପ୍ରକ୍ରିୟା ମଧ୍ୟ ସରିଛି। ଖୁବ୍‌ଶୀଘ୍ର ସମସ୍ତ ପ୍ରକଳ୍ପ ସରିବ ବୋଲି ଡେପୁଟି କମିସନର୍‌ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର