ଭୁବନେଶ୍ବର: ବାରମ୍ବାର ସଚେତନତା, ତାଗିଦ୍ ପରେ ମଧ୍ୟ ଲୋକ ଶୁଣୁ ନାହାନ୍ତି। କିଏ ଓଦା, ଶୁଖିଲା ଅଳିଆକୁ ପୃଥକ୍ କରୁନି ତ କିଏ ରାତି ଅଧରେ ରାସ୍ତା ଉପରେ ଅଳିଆ ଫିଙ୍ଗି ଦେଉଛି। ବ୍ୟାବସାୟିକ ପ୍ରତିଷ୍ଠାନ ବି ନିୟମ ମାନୁନାହାନ୍ତି। ଫଳରେ ସହରକୁ ସ୍ବଚ୍ଛ, ସୁନ୍ଦର କରିବା ପାଇଁ ବିଏମ୍ସିର ସବୁ ଚେଷ୍ଟା ବିଫଳ ହେଉଛି। ତେଣୁ ଆର୍ବଜନାକୁ ନେଇ ବିଏମ୍ସି ଏଥର କଠୋର୍ ଆଭିମୁଖ୍ୟ ଗ୍ରହଣ କରିଛି। ଏଣିକି ବାହାରେ ଆବର୍ଜନା ଗଦା କଲେ, ବିଏମ୍ସି ଜରିମାନା ଆଦାୟ କରିବ। ଖିଲାପକାରୀଙ୍କଠାରୁ ସର୍ବାଧିକ ୫ ହଜାର ଟଙ୍କା ଆଦାୟ କରାଯିବ। ସିସିଟିଭି ଜରିଆରେ ଅମାନିଆଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଏକ ନିର୍ଦ୍ଦେଶାବଳୀ(ଏସ୍ଓପି) ଜାରି ହେବା ସହ ପ୍ରତ୍ୟେକ ଜୋନ୍ସ୍ତରରେ ଟିମ୍ ଗଠନ ହୋଇଛି। ବିଶେଷକରି ଖାଓଗଳିମାନଙ୍କରେ କଡ଼ା ନଜର ରଖାଯାଇଥିବା ଜଣାପଡ଼ିଛି।
ଖାଓ ଗଳିରେ କଡ଼ା ନଜର
ଜୋନ୍ସ୍ତରରେ ଗଠନ ହେଲା ଟିମ୍
ଏସ୍ଓପି ମୁତାବକ, ପ୍ରତ୍ୟେକ ବ୍ୟବସାୟୀ ବା ସାଧାରଣ ଲୋକ ନିଜ ଘର ବା ପ୍ରତିଷ୍ଠାନ ସମ୍ମୁଖରୁ ୫ ମିଟର ପର୍ଯ୍ୟନ୍ତ ସଫା ରଖିବେ। ସମସ୍ତେ ଦୁଇଟି ଡଷ୍ଟବିନ୍ରେ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ୍ ପୃଥକ୍ ରଖିବେ। କୌଣସି ପରିସ୍ଥିତିରେ ରାସ୍ତାକଡ଼ କିମ୍ବା ଡ୍ରେନ୍ରେ ଆବର୍ଜନା ପକାଇବେ ନାହିଁ। ପାନ ଦୋକାନୀ, ଜଳଖିଆ ଦୋକାନୀ, ପରିବା ବ୍ୟବସାୟୀ, ବିଶେଷକରି ଖାଓ ଗଳିମାନଙ୍କରେ ଥିବା ଫାଷ୍ଟଫୁଡ୍ ଦୋକାନୀଙ୍କ ଉପରେ ନଜର ରହିବ। ସିସିଟିଭି ଜରିଆରେ ଅମାନିଆମାନଙ୍କୁ ଚିହ୍ନଟ କରାଯିବ। ଏସବୁ ନିଶ୍ଚିତ କରିବା ପାଇଁ ତିନିଟି ଜୋନ୍ସ୍ତରରେ ଟିମ୍ ଗଠନ କରାଯାଇଛି। ଏଥିରେ ୱାର୍ଡ ଅଫିସର୍, ସାନିଟାରି ଇନ୍ସ୍ପେକ୍ଟରଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଗୋଟିଏ ଜୋନ୍ରେ ଦୁଇଜଣ କର୍ମଚାରୀଙ୍କୁ ସୁପରଭାଇଜର୍ ଭାବେ ଦାୟିତ୍ବ ଦିଆଯାଇଛି। ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି। ଏଣେତେଣେ ଆବର୍ଜନା ପକାଉଥିବା ଲୋକ ବାବଦରେ ଯେ କେହି ସେମାନଙ୍କୁ ସୂଚନା ଦେଇପାରିବେ। ସମ୍ପୃକ୍ତ ଟିମ୍ ଦାୟିତ୍ବ ଦିଆଯାଇଥିବା ଅଞ୍ଚଳ ଉପରେ ନଜର ରଖିବେ। ନିୟମିତ ଚଢ଼ଉ କରି ଜରିମାନା ଧାର୍ଯ୍ୟ କରିବେ। ଆବର୍ଜନା ପାରିମାଣକୁ ନେଇ ଏହି ଜରିମାନା ଧାର୍ଯ୍ୟ ହେବ। ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ।
ବାହାରେ ଏଣେତେଣେ ଆବର୍ଜନା ପକାଇ ଜରିମାନା ପକାନ୍ତୁ ନାହିଁ ବୋଲି ଡେପୁଟି କମିସନର(ପରିମଳ)ଶୁଭେନ୍ଦୁ ସାହୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜନସାଧାରଣଙ୍କ ସହଯୋଗରେ ହିଁ ସହରକୁ ସ୍ବଚ୍ଛ ରଖିହେବ। ଏଣୁ ବ୍ୟବସାୟୀ ଓ ସାଧାରଣ ଲୋକେ ଏହି ମିସନ୍ରେ ସହଯୋଗ କରନ୍ତୁ।
ସିଲ୍ ହେଲା କ୍ୟାପିଟାଲ ବ୍ରଏଲର୍
/sambad/media/post_attachments/wp-content/uploads/2022/07/49-5.jpg)
ପଟିଆ ଅଞ୍ଚଳରେ ଥିବା କ୍ୟାପିଟାଲ ବ୍ରଏଲରକୁ ସିଲ୍ କରିଛି ବିଏମ୍ସି। ବ୍ୟବସାୟ ପ୍ରତିଷ୍ଠାନଠାରୁ ୫ ମିଟର ଭିତରେ ସଫା ରଖିବା ପାଇଁ ଜାରି ହୋଇଥିବା ଏସ୍ଓପି ଉଲ୍ଲଙ୍ଘନ ଅଭିଯୋଗରେ ଏହି ଦୋକାନକୁ ୩ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ୩ ଦିନ ପରେ ଯଦି ସମ୍ପୃକ୍ତ ବ୍ୟବସାୟୀ ଏହି ନିୟମ ପାଳିବାକୁ ପ୍ରତିଶ୍ରୁତି ଦିଅନ୍ତି, ତେବେ ପୁନଃ ଖୋଲିବାକୁ ଅନୁମତି ଦିଆଯିବ ବୋଲି ବିଏମ୍ସି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/bmc-f.jpg)