ଭାରତ-ଚୀନ୍‌ ସମସ୍ୟା ସମାଧାନର ସୂତ୍ର ତିବ୍ବତ

ଭୁବନେଶ୍ବର : ଭାରତ ଓ ଚୀନ୍‌ ମଧ୍ୟରେ ଲାଗି ରହିଥିବା ଦୀର୍ଘ ଦିନର ସୀମା ବିବାଦର ସରଳ ସମାଧାନର ସୂତ୍ର ତିବ୍ବତରେ ରହିଛି। ଉଭୟ ବୃହତ୍‌ ଦେଶ ମଧ୍ୟରେ ସ୍ବାଧୀନ ତିବ୍ବତ ଦେଶ ରହିଲେ, ଚିରଦିନ ପାଇଁ ସୀମା ବିବାଦ ଶେଷ ହୋଇ ଯୁଦ୍ଧ ପରିସ୍ଥିତି ସମାପ୍ତ ହୋଇପାରିବ। ଧର୍ମଗୁରୁ ଦଲାଇଲାମା ଭାରତ ମାଟିରୁ ଚଳାଉଥିବା ତିବ୍ବତ ସ୍ବାଧୀନତା ସଂଗ୍ରାମକୁ ସ୍ବୀକୃତି ପ୍ରଦାନ କରି ଭାରତ ସରକାର ଧର୍ମଶାଳାରେ ଚାଲୁଥିବା ତିବ୍ବତ ବିସ୍ଥାପିତ ସରକାରଙ୍କୁ ତୁରନ୍ତ ସ୍ବୀକୃତି ପ୍ରଦାନ କରନ୍ତୁ। ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମିଠାରେ ଭାରତ ତିବ୍ବତ ମୈତ୍ରୀସଂଘ ପକ୍ଷରୁ ଆୟୋଜିତ ସଭାରେ ବକ୍ତାମାନେ ଏପରି ମତ ପ୍ରକାଶ କରିଛନ୍ତି।

ସଂଘର ରାଷ୍ଟ୍ରୀୟ ସହସଂଯୋଜକ ସୁରେନ୍ଦ୍ର କୁମାରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନା‌ରେ ଯୋଗଦେଇ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ ତିବ୍ବତରେ ବୌଦ୍ଧ ଧର୍ମର ପ୍ରସାର କଳିଙ୍ଗ ମାଧ୍ୟମରେ ହୋଇଛି। ଆଜି ତିବ୍ବତ ଚୀନ୍‌ ଶାସନରେ ରହିବା ଫଳରେ ଉଭୟ ବୌଦ୍ଧ ଧର୍ମ ଓ ତିବ୍ବତର ସାର୍ବଭୌମତ୍ବ ବିପନ୍ନ। ତିବ୍ବତ ବିସ୍ଥାପିତ ସରକାର ପକ୍ଷରୁ ଦିଲ୍ଲୀସ୍ଥିତ ଇଣ୍ଡୋ ତିବ୍ବତ ସମନ୍ବୟ କେନ୍ଦ୍ରର ସଂଯୋଜକ ଜିଗମେ ସୁଲଟ୍ରିମ କହିଲେ, ତିବ୍ବତରେ ଚୀନ୍‌ ଅକଥନୀୟ ଅତ୍ୟାଚାର ଚଳାଇଛି। ସେଠାକାର ସଂସ୍କୃତି ଓ ସଭ୍ୟତାକୁ ନଷ୍ଟ କରିବାକୁ ଅନେକ ନୀତି ପ୍ରଣୟନ କରିଛି। ହଜାର ହଜାର ତିବ୍ବତୀ ଆଜି ଜେଲରେ, ଅନେକ ମଠ ଧ୍ବଂସ କରି ଦିଆଯାଉଛି। ଚୀନ୍‌ ସରକାର ପକ୍ଷରୁ ତିବ୍ବତ ସଂସ୍କୃତିକୁ ଧ୍ବଂସ କରିବା ପାଇଁ ତିବ୍ବତୀ ପୁଅ ଝିଅଙ୍କ ମଧ୍ୟରେ ବିବାହକୁ ବି ରୋକାଯାଉଛି।

ଏହି ଅବସରରେ ଭୂତପୂର୍ବ ଲୋକସଭା ବାଚସ୍ପତି ତଥା ତିବ୍ବତ ମୈତ୍ରୀସଂଘର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରବି ରାୟଙ୍କୁ ମରଣୋତ୍ତର ଭାବେ ଏବଂ ପଦ୍ମଶ୍ରୀ ଡ. ପଟ୍ଟନାୟକଙ୍କୁ ବୁଦ୍ଧଚିତ୍ର ସମ୍ବଳିତ ସମ୍ମାନ ଚିହ୍ନ ଓ ମାନପତ୍ର ଚନ୍ଦ୍ରଗିରିସ୍ଥିତ ତିବ୍ବତ ସେଟଲମେଣ୍ଟର ମୁଖ୍ୟ ପାଲଡେନ ସେରିଙ୍ଗ ପ୍ରଦାନ କରି ସମ୍ମାନିତ କରିଥିଲେ। ରବି ରାୟଙ୍କ ପକ୍ଷରୁ ଲୋହିଆ ଏକାଡେମିର ସମ୍ପାଦକ ଦେବପ୍ରସାଦ ରାୟ ଏହି ସମ୍ମାନ ଗ୍ରହଣ କରିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି, ପୂର୍ବଭାରତ ତିବ୍ବତ ମୈତ୍ରୀସଂଘର ସଂଯୋଜିକା ଆଇନଜୀବୀ ରୁବି ମୁଖାର୍ଜୀ, ମହାବୋଧି ସୋସାଇଟିର ସମ୍ପାଦକ ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ଓଡ଼ିଶା ରାଜ୍ୟ ଭାରତ ତିବ୍ବତ ମୈତ୍ରୀସଂଘର ସଂଯୋଜକ ଡା. ବିଶ୍ବଜିତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର