ଖଣ୍ଡଗିରି: ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଟିକେଟ୍‌ ଦଲାଲଙ୍କ ଦୌରାତ୍ମ୍ୟ ସୀମା ଟପିବାରୁ ଉତ୍ତ୍ୟକ୍ତ ଯାତ୍ରୀ ସେମାନଙ୍କୁ ଘେରି ଯାଇଥିଲେ। ଏକ ଅଣଓଡ଼ିଆ ଦମ୍ପତିଙ୍କୁ ମାଡ଼ମାରୁଥିବା ଜଣେ ଦଲାଲକୁ ବହେ ଛେଚିବା ପରେ ଯାତ୍ରୀମାନେ ତାକୁ ପୁଲିସ ଜିମା ଦେଇଛନ୍ତି। ଚତୁରତାର ସହ ଦୁଇ ଦଲାଲ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଭରତପୁର ଥାନା ପୁଲିସ ଦଲାଲକୁ ଅଟକ ରଖି ପଚରାଉଚରା ଚଳାଇଛି ଏବଂ ଚମ୍ପଟ ମାରିଥିବା ଦୁଇ ଦଲାଲଙ୍କୁ ଖୋଜୁଛି। ଆଜି ସନ୍ଧ୍ୟାରେ ବିହାରରୁ ଆସିଥିବା ଏକ ଦମ୍ପତି ସେମାନଙ୍କ ଶିଶୁପୁତ୍ରକୁ ଧରି ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। 

Advertisment

ସେମାନେ ଗଞ୍ଜାମ ସୋରଡ଼ା ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ପାଖରେ ଜଣେ ଦଲାଲ ପହଞ୍ଚି ରିହାତି ଦରରେ ଟିକେଟ କରାଇଦେବାକୁ କହି ଟଙ୍କା ମାଗିଥିଲା। କିନ୍ତୁ ଦମ୍ପତି ଟଙ୍କା ଦେବାକୁ ମନା କରିବାରୁ ଦଲାଲଜଣକ ସେମାନଙ୍କୁ ମାରଧର କରିଥିଲେ। ବାପାମାଆଙ୍କୁ ମାଡ଼ ହେଉଥିବା ଦେଖି କୁନି ଶୁଶୁଟି କାନ୍ଦିବାକୁ ଲାଗିଥିଲା। ଏହାପରେ ଦଲାଲଜଣକ ନିଜର ଦୁଇଜଣ ସହଯୋଗୀଙ୍କୁ ଡକାଇ ଦମ୍ପତିଙ୍କଠାରୁ ବ୍ୟାଗ୍‌ ଛଡ଼ାଇବାକୁ ଚେଷ୍ଟା କରିଥିଲା। ଦମ୍ପତିଙ୍କ ଚିତ୍କାର ଶୁଣି ଉପସ୍ଥିତ ବସ୍‌ଯାତ୍ରୀମାନେ ଦଲାଲମାନଙ୍କୁ ଘେରି ଯାଇଥିଲେ। ଲୋକଙ୍କ କବଳରୁ ଦୁଇ ଦଲାଲ ଖସିଗଲେ, କିନ୍ତୁ ଦମ୍ପତିଙ୍କୁ ମାଡ଼ମାରିଥିବା ଦଲାଲକୁ ଲୋକେ ମାଡ଼ିବସି ବହେ ଛେଚିଥିଲେ।