ଚନ୍ଦକାରେ ପ୍ରଥମ ପର୍ଯ୍ୟାୟ ଗଣନା ସରିଲା : ମୋବାଇଲ୍‌ ଆପ୍‌ରେ ବାଘ ଖୋଜା

ଖଣ୍ଡଗିରି : ଚନ୍ଦକା ଅଭୟାରଣ୍ୟରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ବାଘ ଗଣନାର ପ୍ରଥମ ପର୍ଯ୍ୟାୟ ସରିଛି। ୧୯ ତାରିଖରୁ ଗଣନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ୨୧ ତାରିଖରେ ସରିବ। ପୂର୍ବର ପାରମ୍ପରିକ ପଦ୍ଧତି ସହ ଏଥର ନୂତନ ପଦ୍ଧତି ବ୍ୟବହାର କରାଯାଉଛି। ଗଣନା ଫଳାଫଳର ସଠିକତା ପାଇଁ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି। ଏକ ମୋବାଇଲ୍‌ ଆପ୍‌ ଦ୍ୱାରା ଗଣନା କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ୱାଇଁଙ୍କ ସୂଚନାନୁସାରେ ଚଳିତ ବର୍ଷ ଚନ୍ଦକା ଅଭୟାରଣ୍ୟରେ ଏହି ଗଣନା ପାଇଁ ମୋଟ୍‌ ୩୩ଟି ୟୁନିଟ୍‌ କରାଯାଇଛି। ପ୍ରତି ୟୁନିଟ୍‌ରେ ୩ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଓ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଗଣନା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ବିଟ୍‌ରେ ବୁଲି ବୁଲି କର୍ମଚାରୀମାନେ ଗଣନା କରିଛନ୍ତି ଓ ଦ୍ୱିତୀୟ ପର୍ଯ୍ୟାୟରେ ଭିନ୍ନ ପଦ୍ଧତି ଅବଲମ୍ବନ କରାଯିବ। ଚଳିତ ବର୍ଷ ନୂତନ ଜ୍ଞାନକୌଶଳ ଦ୍ୱାରା ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଗଣନା ଓ ଫଳାଫଳ ନିର୍ଣୟ ସଠିକ୍‌ ହେବ।

ମୋବାଇଲ୍‌ ଆପ୍‌ ଦ୍ୱାରା ସବୁ ସମ୍ଭାବ୍ୟ ସ୍ଥାନର ଫଟୋଚିତ୍ର ସଂଗ୍ରହ କରାଯାଇ ଗଣନା କରାଯାଉଛି। ପାରମ୍ପରିକ ପଦ୍ଧତି ଅନୁସାରେ ବାଲୁକା ଶଯ୍ୟା କରାଯାଇଛି ଓ ପାଦଚିହ୍ନକୁ ପ୍ଲାଷ୍ଟର ଅଫ୍‌ ପାରିସ୍‌ ଦ୍ୱାରା ସଂଗ୍ରହ କରାଯାଉଛି। ବାଘ ଗଣନା ସହ ଏଠାରେ ରହୁଥିବା ଅନ୍ୟ ବନ୍ୟପ୍ରାଣୀଙ୍କ ଗଣନା ମଧ୍ୟ କରାଯାଉଛି ବୋଲି ବନ କର୍ମଚାରୀମାନଙ୍କଠାରୁ ଜଣାପଡ଼ିଛି। ତୃଣଭୋଜି ପ୍ରାଣୀଙ୍କ ସହ ଅନ୍ୟ ହିଂସ୍ର ପ୍ରାଣୀଙ୍କୁ ଗଣନା କରାଯାଉଛି। ଏମିତିକି ଜଙ୍ଗଲ ଭିତରେ କି ପ୍ରକାର ଗଛ ଓ ଘାସ ରହିଛି ତାହା ମଧ୍ୟ ଏହି ଗଣନା ପଦ୍ଧତିରେ ସ୍ଥାନ ପାଇଛି। ଘାସରୁ ତୃଣଭୋଜି ପ୍ରାଣୀଙ୍କ ରହଣି ଓ ତୃଣଭୋଜି ପ୍ରାଣୀଙ୍କ ପାଇଁ ଏଠାରେ ରହୁଥିବା ହେଟା, ବିଲୁଆ ଆଦି ପ୍ରାଣୀଙ୍କ ଗଣନା ମଧ୍ୟ ଏକା ସଂଗରେ ହେଉଛି ବୋଲି କର୍ମଚାରୀମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହି ହସ୍ତୀ ଅଭୟାରଣ୍ୟରେ ବାଘ ନଥିବା ଏକ ସାଧାରଣ ଘଟଣା। କିନ୍ତୁ ପୂର୍ବରୁ ଏହି ଜଙ୍ଗଲରେ ବାଘ ରହିଥିବା ପ୍ରମାଣିତ ହୋଇଛି। ଏହି ଜଙ୍ଗଲରୁ ବାହାରି ବାଘ ନନ୍ଦନକାନନରେ ପଶିଥିବା ଭଳି ଉଦାହରଣ ରହିଛି। ତେଣୁ ବାଘ ଗଣନା ପରେ ଏଠାରେ ବାଘ ଥିବା ନଥିବା କଥା ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର