ଗର୍ଜନପାହାଡ଼ରେ କଳା ବାଘ ଛୁଆ! ନିରୀକ୍ଷଣ ପାଇଁ ଲାଗିଲା ୩୦ ଶକ୍ତିଶାଳୀ ଟ୍ରାପ କ୍ୟାମେରା

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିର ବନାଞ୍ଚଳର ଗର୍ଜନପାହାଡ଼ରେ ୨ଟି କଳା ବାଘ ଛୁଆ (ବ୍ଲାକ ପନ୍ଥର ମେଲାନିଷ୍ଟିକ୍‌ କଲରାପତରିଆ ବାଘ) ସ୍ଥାନୀୟ ଅଧିବାସୀଙ୍କ ନଜରକୁ ଆସିଥିଲା। ଗତ ମାସରେ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା କିଛି ଲୋକ ଏକ ବଡ଼ କଳା ବାଘ ସହ ସହ ଛୁଆ ବାଘଙ୍କୁ ଦେଖିଥିବା କହିଥିଲେ। ଏ ସମ୍ପର୍କିତ ଖବର ‘ସମ୍ବାଦ’ର ୧୨ ତାରିଖ ସଂସ୍କରଣରେ ପ୍ରକାଶ ପାଇଥିଲା। ବନ ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତା’ର ନିରୀକ୍ଷଣ ପାଇଁ ତତ୍ପର ହୋଇଛି।

ଆଜି ସକାଳ ୧୦ଟାରେ ବନ୍ୟପ୍ରାଣୀ ଗବେଷକ ନିମାଇଁ ପଲେଇ ଓ ଭକ୍ତ ରଥଙ୍କ ସହ କନିକା ବନପାଳ ପ୍ରକାଶ ନାଏକ ଗର୍ଜନପାହାଡ଼ ଜଙ୍ଗଲରେ ପଶି ବାଘର ସ୍ଥିତି ଅନୁଧ୍ୟାନ କରିଥିଲେ। ସକାଳେ ଜଙ୍ଗଲର ପୂର୍ବ ଭାଗରେ ପ୍ରବେଶ କରିଥିବା ବେଳେ ଅପରାହ୍ନରେ ପଶ୍ଚିମ ଭାଗରେ ପଶି ନିରୀକ୍ଷଣ ଜାରି ରଖିଛନ୍ତି। ଏହି ଅବସରରେ ଟିମ୍‌ ବାଘ ଛୁଆର ସଠିକ ସନ୍ଧାନ ନେବାକୁ ଜଙ୍ଗଲ ମଧ୍ୟରେ ପୁଣି ୩୦ଟି ଶକ୍ତିଶାଳୀ ଟ୍ରାପ୍‌ କ୍ୟାମେରା ଲଗାଇଛନ୍ତି। ସୂଚନାଯୋଗ୍ୟ, ହେମଗିର ବନାଞ୍ଚଳର ଗର୍ଜନପାହାଡ଼ରେ ବିରଳ ବନ୍ୟପ୍ରାଣୀର ଅବସ୍ଥିତି ଜଣାପଡ଼ିବା ପରେ ବନବିଭାଗ ତାକୁ ସ୍ପଷ୍ଟ କରିବାକୁ ୨୦୧୫ ଡିସେମ୍ବରରୁ ଟ୍ରାପିଂ କ୍ୟାମେରା ଲଗାଯାଇ ପଶୁପକ୍ଷୀଙ୍କ ଅବସ୍ଥିତିକୁ ନିରୀକ୍ଷଣ କରାଯାଉଥିଲା। ୨୦୧୮ ମେ ୨୧ରେ ଓଡ଼ିଶା ମୁଖ୍ୟ ବନ୍ୟ ପ୍ରାଣୀ ପ୍ରବନ୍ଧକ ସନ୍ଦୀପ ତ୍ରିପାଠୀ ଗର୍ଜନପାହାଡ଼ରେ କଳା ବାଘ (ବ୍ଲାକ ପନ୍ଥର) ଥିବା ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ସେତେବେଳେ ଗର୍ଜନପାହାଡ଼ରେ ୯୦ଟି କ୍ୟାମେରା ଲଗାଯାଇଥିଲା। ସେଥିମଧ୍ୟରୁ ୨ ମାସ ତଳେ ୭୦ଟି କ୍ୟାମେରା କାଢ଼ି ନେଇଥିଲା ବିଭାଗ। ଏବେ କଳାବାଘ ଛୁଆ ଚର୍ଚ୍ଚା ହେବା ପରେ ବିଭାଗ ପୁଣି ଟ୍ରାପ କ୍ୟାମେରା ଲଗାଇଛି।

ସମ୍ବନ୍ଧିତ ଖବର