ବାରଙ୍ଗ: ଧଳା ଓ କଳା ବାଘ ପ୍ରଜନନ କରାଇବାରେ ଇତିହାସ ରଚନା କରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଗତ କିଛି ବର୍ଷ ହେଲା ଧଳା ଓ କଳା ବାଘଙ୍କୁ ନନ୍ଦନକାନନର ଗର୍ବ ଭାବେ ବିବେଚନା କରାଯାଉଛି। ବଡ଼ କଥା ହେଉଛି, ନନ୍ଦନକାନନରେ ଜନ୍ମ ନେଇଥିବା ଧଳା ଓ କଳା ବାଘ ଏବେ ଭାରତର ବହୁ ଚିଡ଼ିଆଖାନାରେ ଅଛନ୍ତି। ସେଠାରେ ମଧ୍ୟ ନନ୍ଦନକାନନ ପଦ୍ଧତି ଅନୁସରଣ କରାଯାଇ ବାଘ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ତେଣୁ ବାଘ ବଂଶ ବୃଦ୍ଧିରେ ନନ୍ଦନକାନନ ଭାରତରେ ଏକ ପ୍ରମୁଖ ଚିଡ଼ିଆଖାନା ଭାବେ ଖ୍ୟାତି ଲାଭ କରିଛି।

Advertisment

ଏବେ ନନ୍ଦନକାନନରେ ମୋଟ ୨୭ଟି ବାଘ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୭ଟି ଧଳା ବାଘ, ୩ଟି ବିରଳ କଳା ବାଘ ଓ ୧୭ଟି ସାଧାରଣ ନାଲି ରଙ୍ଗର ବାଘ। ପ୍ରଜନନ ଇତିହାସ ଅନୁସାରେ ୧୯୮୦ ମସିହା ଜାନୁଆରି ୮ ତାରିଖରେ ନନ୍ଦନକାନନର ସାଧାରଣ ନାଲି ବାଘୁଣି ଗଙ୍ଗା ଓ ସାଧାରଣ ରଙ୍ଗର ମହାବଳ ଦୀପକର ମିଳନରୁ ୩ଟି ଧଳା ବାଘ ଶାବକ ଜନ୍ମ ହୋଇଥିଲେ। ଆକସ୍ମିକ ଭାବେ ଧଳା ବାଘ ଛୁଆଙ୍କ ଜନ୍ମ ସେତେବେଳେ ସମଗ୍ର ଦେଶରେ ଆନନ୍ଦର ଲହରି ଖେଳାଇଦେଇଥିଲା। ଏହା ନନ୍ଦନକାନନ ପାଇଁ ଏକ ଇତିହାସ ହୋଇ ରହିଗଲା। ସେବେଠୁ ଏଠାରେ ଧଳା ବାଘ ବଂଶ ବୃଦ୍ଧି ପାଇ ଚାଲିଛି। ଏଠାରେ ମୋଟ ୧୬୦ ଧଳା ବାଘ ଜନ୍ମ ନେଇଛନ୍ତି ଏବଂ ସେମ‌ାନଙ୍କ ମଧ୍ୟରୁ କିଛି ଅନ୍ୟ ଚିଡ଼ିଆଖାନାକୁ ଦିଆଯାଇଥିବା ବେଳେ କିଛି ମରିଛନ୍ତି ଏବଂ ଏବେ ୭ଟି ଅଛନ୍ତି। ସେହିଭଳି ୨୦୦୪ ମସିହା ଜୁଲାଇ ୨୮ ତାରିଖରେ ସାଧାରଣ ରଙ୍ଗର ମହାବଳ ମନୀଷ୍ ଓ ଧଳା ରଙ୍ଗର ବାଘୁଣି ସ୍ନେହାର ମିଳନରୁ ପ୍ରଥମ ଥର ପାଇଁ ବିରଳ କଳା ରଙ୍ଗର ବାଘ ଶାବକ କ୍ରିଷ୍ଣା ଜନ୍ମ ନେଇଥିଲା। ଧଳା ବାଘୁଣି ସ୍ନେହାର ପ୍ରଥମ ଗର୍ଭରୁ ପ୍ରଥମ କଳା ବାଘ ଜନ୍ମ ନେବା ଭଳି ଘଟଣା ସେତେବେଳେ ନନ୍ଦନକାନନ ପାଇଁ ପୁଣି ଏକ ଇତିହାସ ହୋଇଯାଇଥିଲା।

ଏବେ ସୁଦ୍ଧା ନନ୍ଦନକାନନରେ ୪ଟି କଳା ବାଘ ଜନ୍ମ ନେଇସାରିଛନ୍ତି। କେବଳ ଧଳା କଳା ବାଘ ରେକର୍ଡ ନୁହେଁ, ପୁଣି ଏକ ବିରଳ ରେକର୍ଡ ବି ରହିଛି ନନ୍ଦନକାନନ ନାଁରେ। ଏହି ଚିଡ଼ିଆଖାନାକୁ ଦୁଇ ଦୁଇ ଥର ଚନ୍ଦକା ଅଭୟାରଣ୍ୟରୁ ଜଙ୍ଗଲି ବାଘ ଅନୁପ୍ରବେଶ କରି ଅଟକିଛନ୍ତି। ୧୯୬୭ ମସିହାରେ ଚନ୍ଦକା ଜଙ୍ଗଲରୁ ବାଘୁଣି କାନନ ପଶି ଆସିଥିଲା। ନନ୍ଦନକାନନର ମହାବଳ ବାଘ ପ୍ରେମରେ ପାଗଳୀ କାନନ ନନ୍ଦନକାନନର ପାଚେରି ଡେଇଁ ଭିତରକୁ ପଶିଥିଲା। ସେବେଠୁ କାନନ ମୃତ୍ୟୁ ପର୍ଯ୍ୟନ୍ତ ନନ୍ଦନକାନନରେ ହିଁ ରହିଥିଲା। ସେହିଭଳି ୨୦୧୩ ଜୁଲାଇ ୧୩ ତାରିଖରେ ଚନ୍ଦକା ଜଙ୍ଗଲରୁ ପୁଣି ଏକ ବାଘ ନନ୍ଦନକାନନକୁ ଅନୁପ୍ରବେଶ କରି ଧରା ହୋଇଥିଲା। ସେ ଥିଲା ଜଙ୍ଗଲି ବାଘ ‘ନନ୍ଦନ’। ଏକ ବାଘୁଣି ପ୍ରେମରେ ପଡ଼ି ନନ୍ଦନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଶି ଧରାପଡ଼ିଥିଲା। ଆସନ୍ତା ୨୯ ତାରିଖ ଦିନ ନନ୍ଦନକାନନରେ ୧୪ତମ ବିଶ୍ୱ ବାଘ ଦିବସ ପାଳିତ ହେବ। ଏନେଇ ବିଭିନ୍ନ ଛାତ୍ର ସଂଗଠନକୁ ନିମନ୍ତ୍ରଣ କରାଯାଇଛି ଏବଂ ବିଭିନ୍ନ କା‌ର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।